ଭୁବନେଶ୍ୱର,୨୭/୦୬: ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳ ଉପରେ ଲଘୁଚାପ ଅଛି । ଏହା ଉତ୍ତର ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼ ଆଡ଼କୁ ଗତି କରିବ । ଏହାର ପ୍ରଭାବରେ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ଅନେକ ସ୍ଥାନରେ ବର୍ଷା ସହ ଉତ୍ତର ଓଡ଼ିଶା ଏବଂ ପାଖ ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଶୁକ୍ରବାର ରଥଯାତ୍ରାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ।
ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଶୁକ୍ରବାର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା, ବଜ୍ରପାତ ଏବଂ ୩୦-୪୦ କିମି ବେଗରେ ପବନ ଆଶଙ୍କା ଅଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, ପୁରୀ, କଟକ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତିରେ ଘଡ଼ଘଡ ସହ ୩୦ରୁ ୪୦ କିମି ବେଗରେ ପବନ ବି ହୋଇପାରେ ।
ପୁରୀରେ ପାଗ ମେଘୁଆ ରହିବା ସହ ଅସରାଏ କିମ୍ବା ଦୁଇ ଅସରା ବର୍ଷା ସମ୍ଭାବନା ମଧ୍ୟ ରହିଛି । ବର୍ଷା ହେଲେ ଭକ୍ତ ଭିଜିବା ସହ ଗୁଳୁଗୁଳିରୁ ଆଶ୍ୱସ୍ତି ଦେବ । ଭୁବନେଶ୍ୱରରେ ପାଗ ମେଘୁଆ ସହ ମଝିରେ ବର୍ଷା ହୋଇପାରେ । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଜୁଲାଇ ୧ ଓ ୨ରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଅଛି ।
ଆଇଏମଡି ଆଗାମୀ ଦୁଇ ସପ୍ତାହ ପାଇଁ ବିସ୍ତାରିତ ପାଣିପାଗ ପୂର୍ବାନୁମାନ ଜାରି କରିଛି । ଏହି ଆକଳନ ଅନୁସାରେ ୨ ଜୁଲାଇ ପର୍ଯ୍ୟନ୍ତ ରାଜ୍ୟରେ ଭଲ ବର୍ଷା ସମ୍ଭାବନା ଅଛି । ୩ରୁ ୧୦ ତାରିଖ ଭିତରେ ପୂର୍ବ ଭାରତରେ ବର୍ଷା ସମ୍ଭାବନା ଅଛି । ଜୁନ୍ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ହାରାହାରି ୧୭୨.୨ ମିଲିମିଟର ବର୍ଷା ହୋଇଛି, ଯାହାକି ସ୍ୱାଭାବିକ । କେବଳ ୫ଟି ଜିଲ୍ଲାରେ (ଝାରସୁଗୁଡ଼ା, ବଲାଙ୍ଗୀର, ନୂଆପଡ଼ା, ବରଗଡ଼ ଓ ପୁରୀ) ବର୍ଷା ନିଅଣ୍ଟିଆ ଅଛି । ୭ ଜିଲ୍ଲାରେ ବର୍ଷା ଅଧିକ ହୋଇଥିବାବେଳେ ୧୮ ଜିଲ୍ଲାରେ ସ୍ୱାଭାବିକ ରହିଛି । ସୁନ୍ଦରଗଡ଼ରେ ୫୨%, ଦେବଗଡ଼ରେ ୫୬%, ବୌଦ୍ଧରେ ୩୯%, ସୋନପୁରରେ ୩୪%, ଜଗତସିଂହପୁରରେ ୩୪%, କେନ୍ଦ୍ରାପଡ଼ାରେ ୨୪%, ମୟୂରଭଞ୍ଜରେ ୨୦% ବର୍ଷା ଅଧିକ ହୋଇଛି ।
ଗତ ୨୪ ଘଣ୍ଟା ଭିତରେ ଅନେକ ସ୍ଥାନରେ ବର୍ଷା ହୋଇଥିବାବେଳେ ଗୁରୁବାର ଦିନ ଭିତରେ କଟକ, ହୀରାକୁଦ, ତାଳଚେର, ବଲାଙ୍ଗୀର, ଟିଟିଲାଗଡ଼ ସମେତ ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ବୁଧବାର ଭୁବନେଶ୍ୱର, ବୌଦ୍ଧ, କୋରାପୁଟ, ବଲାଙ୍ଗୀର, ଭଦ୍ରକ, ନବରଙ୍ଗପୁର ସମେତ ବହୁ ସ୍ଥାନରେ ଲଗାଣ ବର୍ଷା ହୋଇଥିଲା । ଏତେ ବର୍ଷା ସତ୍ତେ୍ୱ ରାଜ୍ୟରେ ଗୁଳୁଗୁଳି ପ୍ରକୋପ ଜାରି ରହିଛି ।