ଭୁବନେଶ୍ୱର,୫/୦୭: ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ପ୍ରକୋପ ଜାରି ରହିବ । ତା’ପରେ ମଧ୍ୟ ଶୁଖିଲା ପାଗ ସମ୍ଭାବନା କମ୍‌ । ଆସନ୍ତା ୩ ଦିନ କାଳରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି । 

ଗାଙ୍ଗେୟ ପଶ୍ଚିମବଙ୍ଗ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଉପରେ ଏକ  ଘୂର୍ଣ୍ଣିବଳୟ ଅଛି । ଆଉ ଏକ ଟର୍ଫ ଲାଇନ ଏହି ଘୂର୍ଣ୍ଣିବଳୟ ଉପର  ଦେଇଯାଇଛି । ସେହିପରି ମୌସୁମୀ  ଟର୍ଫ ଉତ୍ତର ପୂର୍ବ ବଙ୍ଗୋପସାଗର  ପର୍ଯ୍ୟନ୍ତ ଲମ୍ବିଛି । ଏହା ପ୍ରଭାବରେ  ରାଜ୍ୟରେ ପାଗ ବର୍ତ୍ତମାନ ମେଘୁଆ  ରହିବା ସମ୍ଭାବନା ଅଛି । ଗତ ୨୪  ଘଣ୍ଟାରେ ଅନେକ ସ୍ଥାନରେ ବର୍ଷା  ହୋଇଛି । 

ଆଜି ବାହୁଡ଼ା ଯାତ୍ରାରେ ରାଜ୍ୟର ଅଧିକାଂଶ  ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର  ବର୍ଷା ହୋଇପାରେ । ମୟୂରଭଞ୍ଜ,  କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା,  ସମ୍ବଲପୁର, ଦେବଗଡ଼ର ଗୋଟିଏ ୨ଟି  ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ପବନ ସହ ଘଡ଼ଘଡି ଆଶଙ୍କା ବି ଅଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ,  ଜଗତସିଂହପୁର, ଅନୁଗୁଳ, ଢେଙ୍କାନାଳ, ବରଗଡ଼ରେ ବଜ୍ରପାତ ଓ ପବନ ହୋଇପାରେ । ଆଜି ପୁରୀରେ ପାଗ ଆଂଶିକ ମେଘୁଆ ରହିପାରେ । ମଧ୍ୟମ  ଧରଣର ବର୍ଷା ହୋଇପାରେ । ଭୁବନେଶ୍ୱରରେ ମଧ୍ୟ ଏଭଳି ପାଗ ସମ୍ଭାବନା ରହିଛି ।  

୬ ତାରିଖ (ରବିବାର) ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା  ସହ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ାରେ  ପ୍ରବଳ ବର୍ଷା ହୋଇପାରେ । ୭ରେ ଅନେକ ସ୍ଥାନରେ ବର୍ଷା ଏବଂ ସୁନ୍ଦରଗଡ଼,  ଝାରସୁଗୁଡ଼ାରେ ପ୍ରବଳ ବର୍ଷା ଆଶଙ୍କା ଅଛି । ୮ରୁ ବର୍ଷା ପରିମାଣ କମିପାରେ, ତଥାପି  ଅଳ୍ପ କେତେକ ସ୍ଥାନରେ ବର୍ଷା ରହିବା ନେଇ ଆକଳନ କରାଯାଇଛି ।