ଭୁବନେଶ୍ୱର,୩୦/୦୫:  ଲଘୁଚାପ ଘନୀଭୂତ ହୋଇ ଅବପାତରୁ ଗଭୀର ଅବପାତ ରୂପ ନେଲା । ମାତ୍ର  ପଳେଇଲା ପଶ୍ଚିମବଙ୍ଗ-ବାଂଲାଦେଶ  ଆଡ଼କୁ । ସାଗର ଦ୍ୱୀପ ପାଖରେ ସ୍ଥଳଭାଗରେ ପଶିଲା । ହେଲେ ଓଡ଼ିଶାରେ ଯେତିକି ବର୍ଷା ଆଶା କରାଯାଉଥିଲା, ସେଭଳି ବର୍ଷିଲାନି । 

ତଥାପି ଗତ ୨୪ ଘଣ୍ଟା ଭିତରେ  ଦକ୍ଷିଣ ଓଡ଼ିଶା ସମେତ କେତେକ ସ୍ଥାନରେ ଯେତିକି ବର୍ଷା ହୋଇଛି, ସେଥିରେ ୧୦ ଜିଲ୍ଲାରେ ମୌସୁମୀ ପ୍ରବେଶ କରିଛି । ମାତ୍ର ପାଣିପାଗ  ପୂର୍ବାନୁମାନ ଯାହା-ବର୍ଷା ପ୍ରକୋପ ଶୁକ୍ରବାର ପରେ କମିବ । ୩୧ରେ  କିଛି ବର୍ଷା ହେବ । ୧ରୁ ବର୍ଷା ଠାଏ  ଠାଏ ହେବ । ଅନ୍ୟପକ୍ଷରେ ଗରମ  ପ୍ରକୋପ ବଢ଼ିବ । ଜୁନ୍‌ ୧ରୁ ୩ ଯାଏ ତାପମାତ୍ରା ଅଧିକ ରହିପାରେ । 

ପାଣିପାଗ ବିଭାଗର ପୂର୍ବାନୁମାନ  ହେଲା-ଶୁକ୍ରବାର ରାଜ୍ୟର ଅନେକ  ସ୍ଥାନରେ ଘଡ଼ଘଡ଼ି ସହ ହାଲୁକାରୁ  ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି ।  କୋରାପୁଟ, ମାଲକାନଗିରି, ରାୟଗଡ଼ା,  ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା,  ମୟୂରଭଞ୍ଜ, ବାଲେଶ୍ୱରର ଗୋଟିଏ  ଦୁଇଟି ସ୍ଥାନରେ ବଜ୍ରପାତ, ୪୦-୫୦  କିମି ବେଗରେ ପବନ ଏବଂ ପ୍ରବଳ  ବର୍ଷା ହୋଇପାରେ । ଭଦ୍ରକ, ଯାଜପୁର,  କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର,  ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼,  ସମ୍ବଲପୁର, ଦେବଗଡ଼, ଅନୁଗୁଳ,  ଢେଙ୍କାନାଳ, କେନ୍ଦୁଝର,  ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୋନପୁର,  ବୌଦ୍ଧ, ବଲାଙ୍ଗୀର ଓ କନ୍ଧମାଳରେ କାଳବୈଶାଖୀପ୍ରଭାବରେ  ୩୦-୪୦ କିମି ପବନ, ବଜ୍ରପାତ, ଧୂଳିଝଡ଼ ଆଶଙ୍କା ଅଛି ।  ଶନିବାର ଅଳ୍ପ କିଛି ଜାଗାରେ ହାଲୁକାରୁ ମଧ୍ୟମ ବର୍ଷା ହେବ ।  କିଛି ସ୍ଥାନରେ ପବନ ସହ ବଜ୍ରପାତ ହୋଇପାରେ । ଜୁନ୍‌  ୧ରୁ ୪ ଯାଏଁ ବଡ଼ ବର୍ଷା ସମ୍ଭାବନା କମ୍‌ । ତଥାପି କିଛି କିଛି  ଜାଗାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । 

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ବିସ୍ତାରିତ  ଆକଳନ ଅନୁସାରେ ମେ’ ୨୯ରୁ ଜୁନ୍‌ ୧ ଭିତରେ ଓଡ଼ିଶାରେ  ବିକ୍ଷିପ୍ତ ବର୍ଷା ସମ୍ଭାବନା ଅଛି । ୩୦ରେ କିଛି ଜାଗାରେ ପ୍ରବଳ  ବର୍ଷା ହୋଇପାରେ । ଜୁନ୍‌ ୫ରୁ ୧୧ ତାରିଖ ମଧ୍ୟରେ ପୂର୍ବ  ଭାରତରେ ତାପମାତ୍ରା ସ୍ୱାଭାବିକଠାରୁ ୧ରୁ ୩ ଡିଗ୍ରୀ ସେଲସିୟସ୍‌  ଅଧିକ ରହିପାରେ । ଜୁନ୍‌ ୫ରୁ ୧୧ ତାରିଖ ମଧ୍ୟରେ ପୂର୍ବ  ଭାରତରେ ସ୍ୱାଭାବିକଠାରୁ କମ୍‌ ବର୍ଷା ସମ୍ଭାବନା ଅଛି ।  

ସୋଆ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ କହିବାନୁସାରେ ଲଘୁଚାପ ଘନୀଭୂତ ହୋଇ ମଧ୍ୟ ବଡ଼ ବର୍ଷା ହେଲାନି । ଅବପାତ ଓଡ଼ିଶା ଉପକୂଳରୁ ବହୁ ଦୂରରେ ପଳାଇଲା । ବର୍ତ୍ତମାନ ପାଗ  ଏମିତି ରହିବ । ଆର୍ଦ୍ରତା ଥିବାରୁ ଘଡ଼ଘଡ଼ି ସହ ବର୍ଷା ହେବ ।  ୩୧ରୁ ବର୍ଷା ପରିମାଣ କମିପାରେ । ଜୁନ୍‌ ୧ରୁ ୩ ଯାଏ ତାତି  ବଢ଼ିପାରେ । ଆଭ୍ୟନ୍ତରୀଣ ଅଞ୍ଚଳରେ ୩୭ରୁ ୩୯ ଡିଗ୍ରୀ ରହିପାରେ ତାପମାତ୍ରା । ସ୍ଥାନେ ସ୍ଥାନେ ୪୦ ଡିଗ୍ରୀ ଛୁଇଁପାରେ ।  ଉପକୂଳରେ ତାପମାତ୍ରା ୩୪ରୁ ୩୭ ଡିଗ୍ରୀ ରହିପାରେ । ୪ରେ  ତାତି କମିପାରେ ।  

ପାଣିପାଗ ବିଭାଗ କହିଛି, ମୌସୁମୀ ଓଡ଼ିଶାର  ମାଲକାନଗିରି, କୋରାପୁଟ, ଗଜପତି ଜିଲ୍ଲାରେ ସମ୍ପୂର୍ଣ୍ଣ ପ୍ରବେଶ କରିସାରିଛି । ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମର ଅଧିକାଂଶ  ଅଞ୍ଚଳକୁ ମୌସୁମୀ ଛୁଇଁଛି । ସେହିପରି କଳାହାଣ୍ଡି, କନ୍ଧମାଳ,  ଖୋର୍ଦ୍ଧା, ପୁରୀର କିଛି ଅଞ୍ଚଳରେ ମୌସୁମୀ ସ୍ପର୍ଶ ବାଜିଛି ।  

ଗତ ୨୪ ଘଣ୍ଟା ଭିତରେ ଲାଞ୍ଜିଗଡ଼ରେ ୧୦୦ ମିଲିମିଟର,  ଚିଲିକାରେ ୯୦ ମିମି, ଅନୁଗୁଳ, ବେଗୁନିଆ, କୃଷ୍ଣପ୍ରସାଦ, ଗଞ୍ଜାମରେ ୭୦ ମିମି ଲେଖାଏଁ, ଭାପୁର, ଉଲୁଣ୍ଡା, ଖଇରମାଳ,  ସୋନପୁରରେ ୬୦ ମିମି, ମଦନପୁର ରାମପୁର, ବୋଲଗଡ଼,  କର୍ଲାମୁଣ୍ଡା, ବାଲିଗୁଡ଼।।, ଛେଣ୍ଡିପଦା, ମୁନିଗୁଡ଼ା, କୁଜଙ୍ଗ,  ଛତ୍ରପୁର, ଟାଙ୍ଗୀ, ମହାକାଳପଡ଼ା, ବ୍ରହ୍ମପୁର, ଢେଙ୍କାନାଳରେ  ୫୦ ମିମି ବର୍ଷା ହୋଇଛି ।  

ଗୁରୁବାର ଦିନ ଭିତରେ ପାରାଦୀପରେ ୩୨.୭ ମିମି ବର୍ଷା  ହୋଇଥିବାବେଳେ କିଛି ଜାଗାରେ ହାଲୁକାରୁ ମଧ୍ୟମ ବର୍ଷା  ହୋଇଛି । ଅନ୍ୟପଟେ ତାପମାତ୍ରା ପ୍ରାୟ ୩୩ ଡିଗ୍ରୀ ପାଖାପାଖି  ଅଛି । ସୁନ୍ଦରଗଡ଼ ତାପମାତ୍ରା ୩୬.୫ ଡିଗ୍ରୀ ସେଲସିୟସ୍‌,  ଝାରସୁଗୁଡ଼ା ୩୬.୪, ବୌଦ୍ଧ ୩୬.୨, କୋରାପୁଟ ୩୬.୧,  ରାଉରକେଲା ୩୪.୯, ବାଲେଶ୍ୱର ୩୪, ଭଦ୍ରକ ୩୪.୫  ଡିଗ୍ରୀ ସେଲସିୟସ୍‌ ଥିଲା ।