ଭୁବନେଶ୍ୱର ୨୦/୦୨: ଆସନ୍ତା ୨୪  ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା  ରହିଛି । ବିଶେଷ କରି ଉତ୍ତର ଓଡ଼ିଶା ଓ ଏହାର ପାଶ୍ୱର୍ବର୍ତ୍ତୀ ଜିଲ୍ଲାରେ ବର୍ଷା ସମ୍ଭାବନା ଅଧିକ  ଅଛି । ଆଜି ରାଜ୍ୟର ୨୨ଟି  ଜିଲ୍ଲାରେ ବର୍ଷା ହୋଇପାରେ । ୧୫ଟି ଜିଲ୍ଲାରେ  ଅଳ୍ପ କେତେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି ।  ୭ଟି ଜିଲ୍ଲାରେ ସ୍ଥାନେ ସ୍ଥାନେ ହୋଇପାରେ ବର୍ଷା ।  

ପାଣିପାଗ ବିଭାଗ ସତର୍କ କରାଇଛି, ଗୁରୁବାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ,  ସୁନ୍ଦରଗଡ଼, ଯାଜପୁର, ଢେଙ୍କାନାଳରେ ଘଡ଼ଘଡ଼ି, କୁଆପଥର ମାଡ଼ ଏବଂ ପବନ  ଆଶଙ୍କା ରହିଛି । ପବନର ବେଗ ୪୦ରୁ ୫୦ କିଲୋମିଟର ରହିପାରେ । ଏ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାବାଦ୍‌ କେନ୍ଦ୍ରାପଡ଼ା,  ଜଗତସିଂହପୁର, କଟକ, ଅନୁଗୁଳ, ଦେବଗଡ଼,  ସମ୍ବଲପୁର, ଝାରସୁଗୁଡ଼ା, ନୟାଗଡ଼, ଖେର୍ଦ୍ଧା,  ପୁରୀ, ଗଞ୍ଜାମ ଓ ଗଜପତିର ସ୍ଥାନେ ସ୍ଥାନେ  ଘଡ଼ଘଡ଼ି ଆଶଙ୍କା ରହିଛି । ୨୧ ଓ ୨୨ ତାରିଖରେ  ମଧ୍ୟ କେତେକ ଜିଲ୍ଲାରେ ବର୍ଷା ସହ ଘଡ଼ଘଡ଼ି  ଏବଂ ପବନ ହୋଇପାରେ ।  

ବୁଧବାର ବାଲେଶ୍ୱର, ଭଦ୍ରକ, ଯାଜପୁର,  କେନ୍ଦ୍ରାପଡ଼ା ଓ କଟକରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି । ବର୍ଷା, ପବନ ଓ ବଜ୍ରପାତ ଯୋଗୁ ପାରାଦୀପର ମୂଷାଡିହି ଘାଟରେ  ରାତିରେ ଏକ ବୋଟ୍‌ ବୁଡ଼ିଯାଇଛି । ବର୍ଷା, ପବନ ଯୋଗୁ କେତେକ ସ୍ଥାନରେ ଗଛ ପଡ଼ି  ରାସ୍ତା ଅବରୋଧ ହୋଇଛି । କେନ୍ଦୁଝରରେ ବି  ହାଲୁକା ବର୍ଷା ହୋଇଛି । 

ଗୁରୁବାର ବାଲେଶ୍ୱର,  ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ,  ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା,  ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ,  କେନ୍ଦୁଝର, ମୟୂରଭଞ୍ଜର କେତେକ ସ୍ଥାନରେ  ହାଲୁକାରୁ ମଧ୍ୟମ ବର୍ଷା ସହ ଘଡ଼ଘଡ଼ି ଆଶଙ୍କା  ଅଛି । ରାୟଗଡ଼ା, କୋରାପୁଟ, ମାଲକାନଗିରି,  ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତିରେ  ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ ।  ୨୧, ୨୨, ୨୩ ପର୍ଯ୍ୟନ୍ତ ଏଭଳି ବର୍ଷା ରାଜ୍ୟର  ଉତ୍ତର ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାମାନଙ୍କରେ ହେବା  ସମ୍ଭାବନା ଅଛି । ୨୪ ତାରିଖରେ କାଁ ଭାଁ ବର୍ଷା  ହୋଇପାରେ । ୨୫ରୁ ପାଗ ଶୁଖିଲା ରହିବ ।   

ବୁଧବାର ବୌଦ୍ଧରେ ଦିନର ସର୍ବୋଚ୍ଚ  ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍‌ ଥିବାବେଳେ  ଝାରସୁଗୁଡ଼ା ୩୬.୬, ପାରଳାଖେମୁଣ୍ଡି ୩୫.୬, ମାଲକାନଗିରି ୩୫.୪, ଭବାନୀପାଟଣା  ୩୫.୫, ସୁନ୍ଦରଗଡ଼ ୩୫.୨, ସମ୍ବଲପୁର  ୩୫, ସୋନପୁର ୩୫.୫, ଟିଟିଲାଗଡ଼ ୩୬, ବଲାଙ୍ଗୀର ୩୫, ଫୁଲବାଣୀ ୩୫.୧ ଡିଗ୍ରୀ  ସେଲସିୟସ୍‌ ଥିଲା ।