ଭୁବନେଶ୍ୱର,୨୨/୦୬: ରବିବାର ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା  ବର୍ଷା ସମ୍ଭାବନା ଅଛି । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା,  ବରଗଡ଼, ବଲାଙ୍ଗିର, ନୂଆପଡ଼ା, ସମ୍ବଲପୁର, ସୋନପୁର, କଳାହାଣ୍ଡି, କନ୍ଧମାଳ,  ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି ଓ ଗଞ୍ଜାମର  କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । 

ସୋମବାର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରର କିଛି ସ୍ଥାନରେ ବର୍ଷା ହୋଇପାରେ । ୨୪ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼,  ବାଲେଶ୍ୱର ଓ ଭଦ୍ରକରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ୨୫  ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ର କିଛି ସ୍ଥାନରେ ପ୍ରବଳ ବର୍ଷା ସହିତ ଘଣ୍ଟାପ୍ରତି  ୩୦ରୁ ୪୦ କିମି ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ଶନିବାର ସୋନପୁରରେ ୨୭ ମିମି ବର୍ଷା ହୋଇଛି । କଟକରେ ୨୧.୨ମିମି,  ପାରାଦୀପରେ ୧୬ ଓ ନୟାଗଡ଼ ଓ ଜଗତସିଂହପୁରରେ ୩ମିମି ବର୍ଷା ହୋଇଛି ।  ଝାଡ଼ଖଣ୍ଡରେ ଅଧିକ ବର୍ଷା ଯୋଗୁ ବ୍ରାହ୍ମଣୀ ଓ ସୁବର୍ଣ୍ଣରେଖାରେ ଜଳସ୍ତର ସାମାନ୍ୟ  ବଢ଼ିଛି । ରାତି ୮ଟା ସୁଦ୍ଧା ସୁବର୍ଣ୍ଣରେଖାରେ ଜଳସ୍ତର ବିପଦ ସଙ୍କେତ ଉପରେ  ଥିଲା । ବାଲେଶ୍ୱରର ୪ଟି ବ୍ଲକ୍‌ରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ବସ୍ତା, ଭୋଗରାଇ, ଜଳେଶ୍ୱର ଓ ବାଲିଆପାଳର ୨୧ଟି ପଞ୍ଚାୟତର ୬୧ଟି ଗାଁରେ ବନ୍ୟା ପାଣି ପଶିଛି ।