ନୂଆଦିଲ୍ଲୀ, ୨୬/୦୩ : ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ମୁସଲିମ ଭୋଟର ତାଲିକାକୁ ନେଇ ବିବାଦ। ୱଶୀରହାଟ ନର୍ଥ ବିଧାନସଭା କ୍ଷେତ୍ରର ବୋରୋ ଗୋବରା ଗାଁର ୫ନଂ ବୁଥ୍‌ରୁ ସମସ୍ତ ମୁସଲିମ ଭୋଟରଙ୍କ ନାମ କାଟିବାକୁ ନେଇ ବିବାଦ ହୋଇଛି। ଭୋଟର ଲିଷ୍ଟରୁ ବିଏଲଓଙ୍କ ସମେତ ୩୪୦ ମୁସଲିମ ଭୋଟଙ୍କ ନାମ କଟିଯାଇଛି। ଏମାନଙ୍କ ନାମ ପ୍ରଥମେ ଡ୍ରାଫ୍ଟ ଭୋଟର ଲିଷ୍ଟରେ ଅଣ୍ଡର ଆଡଜୁଡିକେସନରେ ରଖାଯାଇଥିଲା। ଏଗୁଡ଼ିକର ଯାଞ୍ଚ କରାଯାଇଥାନ୍ତା। ହେଲେ ମଙ୍ଗଳବାର ସନ୍ଧ୍ୟା ୫ଟାରେ ଜାରି ହୋଇଥିବା ପ୍ରଥମ ସପ୍ଲିମେଣ୍ଟାରୀ ତାଲିକାରୁ ଏମାନଙ୍କ ନାମ ହଟାଇ ଦିଆଯାଇଛି। 

ୱଶୀରହାଟ ବ୍ଲକ-୨ର ବେଗମପୁର ବିବିପୁର ଗ୍ରାମପଞ୍ଚାୟତର ୫ନଂ ବୁଥରେ ୯୯୨ ଜଣ ପଞ୍ଜୀକୃତ ଭୋଟର ଅଛନ୍ତି। ସେମାନଙ୍କ ମଧ୍ୟରୁ ମୃତ୍ୟ କିମ୍ଵା ସ୍ଥାନ ପରିବର୍ତ୍ତନ ପାଇଁ ୩୮ ନାମ ହଟାଇ ଦିଆଯାଇଛି। ଏତଦ୍ ବ୍ୟତୀତ ୩୫୮ଭୋଟରଙ୍କୁ ସେମାନଙ୍କ ପରିଚୟପତ୍ର ଯାଞ୍ଚ ପାଇଁ ଡକାଯାଇଥିଲା। ଡ୍ରାଫ୍ଟ ଲିଷ୍ଟରେ ଏଥିରୁ ୧୮ ଜଣଙ୍କ ନାମ କ୍ଲିଅର ହୋଇଥିଲା। ହେଲେ ୩୪୦ ଜଣଙ୍କୁ ଅଣ୍ଡର ଆଡଜୁଡିକେସନ ପାଇଁ ରଖାଯାଇଥିଲା। ହେଲେ ୨୩ ତାରିଖରେ ଜାରି ହୋଇଥିବା ସପ୍ଲିମେଣ୍ଟାରୀ ଲିଷ୍ଟରେ ଏହି ସମସ୍ତଙ୍କ ନାମ ହଟାଇ ଦିଆଯାଇଥିଲା। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀର ଲୋକଙ୍କୁ ଭୋଟର ତାଲିକାରୁ ନାମ କଟିଥିବାରୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ସମୁଦାୟକୁ ଆଧାର କରି ବହୁ ଲୋକ ଟାର୍ଗେଟ୍ କରୁଛନ୍ତି। 

ଏନେଇ ବିଏଲଓ ମହମ୍ମଦ ଶଫିଉଲ ଆଲମ କହିଛନ୍ତି ଯେ, ସେ ୱଶୀରହାଟ ବ୍ଲକ-୨ର ଉନ୍ନୟନ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ। ହେଲେ ଏବେ ଆଉ କିଛି ହୋଇପାରିବନି ବୋଲି ସେ ମନା କରିଦେଇଥିଲେ। ଏହି ମାମଲାକୁ ନେଇ ସେ ଟ୍ରିବ୍ୟୁନାଲ ପାଖକୁ ଯିବେ। ଆଇନଗତ ଲଢେଇ ଲଢିବେ। ପ୍ରଭାବିତ ଭୋଟରଙ୍କ ମଧ୍ୟରୁ ଜଣେ କାଜିରୁଲ ମଣ୍ଡଳ କହିଛନ୍ତି ଯେ, ନିର୍ବାଚନ ଆୟୋଗ ନିୟମ ଅନୁଯାୟୀ, ୧୧ଟାରୁ କେବଳ ଗୋଟିଏ ପ୍ରମାଣପତ୍ର ଦେବା ଜରୁରୀ। ବହୁ ଲୋକ ୩ରୁ ୪ଟି ପ୍ରମାଣପତ୍ର ଦେଇଥିଲେ ବି ସେମାନଙ୍କ ନାମ ହଟାଇ ଦିଆଯାଇଛି। 

ଏହି ଖବରଟିକୁ ପଢନ୍ତୁ- ପାକିସ୍ତାନକୁ ଭିଡିଓ ସେୟାର ମାମଲା : ୨୧ ସନ୍ଦିଗ୍ଧ ଜାସୁସ ଅଟକ, ଶତ୍ରୁକୁ ଦେଉଥିଲେ ସମ୍ଵେଦନଶୀଳ ତଥ୍ୟ, ଅମ୍ଵାଲା ଷ୍ଟେସନରେ ଲଗାଇଥାନ୍ତେ ସିସିଟିଭି