ନୂଆଦିଲ୍ଳୀ,୨୯।୪:  ପଶ୍ଚିମବଙ୍ଗରେ ଆଜି ଦ୍ବିତୀୟ ଓ ଶେଷ ପର୍ଯ୍ୟାୟ ମତଦାନ। ସକାଳ ୭ଟାରୁ ଭୋଟିଂ ଜାରି ରହିଛି। ଦ୍ବିତୀୟ ପର୍ଯ୍ୟାୟରେ ୮ଟି ଜିଲ୍ଲାର ୧୪୨ ବିଧାନସଭା ଆସନରେ ହେଉଛି ମତଦାନ। ଏହି ପର୍ଯ୍ୟାୟ ନିର୍ଣ୍ଣୟ କରିବ ଯେ ତୃଣମୂଳ କଂଗ୍ରେସ ବଙ୍ଗଳାରେ ତାର ଗଡ଼ ବଜାୟ ରଖିପାରିବ ନା ବିଜେପି ଏହାକୁ ଭାଙ୍ଗି କ୍ଷମତାରେ ପହଞ୍ଚିପାରିବ। ଭୋଟିଂ ବେଳେ ଏଥର ବି ରାଜ୍ୟରେ ହିଂସାକାଣ୍ଡ ଦେଖିବାକୁ ମିଳିଛି। ହେଲେ ହିଂସା ଭିତରେ ବି ହୋଇଛି ବମ୍ପର ଭୋଟିଂ। ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ, ମଧ୍ୟାହ୍ନ ୧ଟା ସୁଦ୍ଧା ମାତ୍ର ୬ ଘଣ୍ଟାରେ ପଶ୍ଚିମବଙ୍ଗର ୬୧.୧୧% ମତଦାନ ହୋଇଛି।

ଦ୍ବିତୀୟ ପର୍ଯ୍ୟାୟରେ କୋଲକାତା, ଶିଳ୍ପାଞ୍ଚଳ ଏବଂ ଦକ୍ଷିଣ ବଙ୍ଗର ଘନ ଜନବସତି ଅଞ୍ଚଳ ଅନ୍ତର୍ଭୁକ୍ତ। କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୩୦୦ ରୁ ଅଧିକ ପର୍ଯ୍ୟବେକ୍ଷକଙ୍କ ସହିତ ୨,୩୪୩ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ ମୁତୟନ କରାଯାଇଛି। ହେଲେ ସେପଟେ ଭବାନୀପୁରରେ, ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ଏବଂ ଟିଏମସି କର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିବା ରିପୋର୍ଟ ସାମ୍ନାକୁ ଆସୁଛି। ତଥାପି, ସୁରକ୍ଷା ବାହିନୀ ନିୟନ୍ତ୍ରଣକୁ ଆସି ଭିଡ଼କୁ ଘଉଡ଼ାଇବା ପାଇଁ ହାଲୁକା ବଳ ପ୍ରୟୋଗ କରି ଲାଠିଚାର୍ଜ କରିଛନ୍ତି। 

କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି, ‘ବଙ୍ଗଳାରେ ନିର୍ବାଚନ ହିଂସାମୁକ୍ତ ହେବା ଅସମ୍ଭବ। ଆମେ ଶାସକ ଦଳଠାରୁ ଏହା ଭୟ କରିଥିଲୁ। ତଥାପି, ବହୁ ସଂଖ୍ୟକ ଲୋକ ନିର୍ବାଚନରେ ​​ଅଂଶଗ୍ରହଣ କରୁଛନ୍ତି। ସାଧାରଣ ଲୋକ ବିଶ୍ୱାସ କରନ୍ତି ଯେ କେନ୍ଦ୍ରୀୟ ବାହିନୀର ପ୍ରବଳ ମୁତୟନ ସେମାନଙ୍କୁ ଭୋଟ୍ ଦେବାରେ ସମସ୍ୟା ସୃଷ୍ଟି କରିବନି।ତେବେ ସାଧାରଣ ଲୋକ ଭୟଭୀତ ହୋଇ ଭୋଟ ଦେଉଛନ୍ତି। ମମତା ବାନାର୍ଜୀଙ୍କୁ ତାଙ୍କ ଜିତିବା ଉପରେ ଭରସା ନାହିଁ। ପ୍ରଥମ ଥର ପାଇଁ ଦେଖୁଛୁ ମମତା ବୁଥ୍ କୁ ବୁଥ୍ ଯାଇ ମତଦାନ ଦେଖୁଛନ୍ତି।

ଆହୁରି ପଢନ୍ତୁ : ପୋଲିଂ ବୁଥ୍ ଇଭିଏମ୍‌ରେ ‘ପଦ୍ମ ଚିହ୍ନ’ ଉପରେ ଲାଗିଲା ଟେପ୍,ପୁଣି ଥରେ ଭୋଟିଂ ପାଇଁ ବିଜେପିର ଦାବି