କୋଲକାତା,୨୨/୦୫; ପଶ୍ଚିମବଙ୍ଗର ଫାଲତା ଆସନକୁ ତୃଣମୂଳ କଂଗ୍ରେସର ଗଡ଼ ବୋଲି ବିବେଚନା କରାଯାଉଥିଲା । ଏହା ଲୋକସଭା ସାଂସଦ ଏବଂ ଦଳର ସୁପ୍ରିମୋ ମମତା ବାନାର୍ଜୀଙ୍କ ପୁରୁତା ଅଭିଷେକ ବାନାର୍ଜୀଙ୍କ ନିର୍ବାଚନମଣ୍ଡଳୀ ମଧ୍ୟରେ ପଡିଥାଏ । ଏଠାରେ ମୁଖ୍ୟତଃ ଜାହାଙ୍ଗୀର ଖାନଙ୍କ ପ୍ରଭାବ ରହିଥିଲା । ନିର୍ବାଚନ ଶେଷ ମୂହୁର୍ତ୍ତରେ ଜାହାଙ୍ଗୀର ମୈଦାନ ଛାଡିଥିଲେ । ଏହାର ପରିଣାମ ଟିଏମସି ପୂର୍ବ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁର ପରେ ଆଉ ଏକ ଗଡ଼ ହରାଇବା ଦ୍ୱାରଦେଶରେ ରହିଛନ୍ତି ।

​​​​​​​କିଛି ଦିନରେ ସବୁକିଛି ବଦଳିଗଲା-  ଏପ୍ରିଲ ୨୯ ତାରିଖରେ ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହୋଇଥିଲା । ଏଥିରେ ଫାଲତା ନିର୍ବାଚନ ମଣ୍ଡଳୀ ସାମିଲ ଥିଲା । ସେହି ସମୟରେ ନିର୍ବାଚନମଣ୍ଡଳୀର ସବୁଠି ଟିଏମସି ପତାକା ଏବଂ ଦଳୀୟ କର୍ମୀମାନଙ୍କୁ ଦେଖିବାକୁ ମିଳିଥିଲା । କିନ୍ତୁ ଏବେ କିଛି ନାହିଁ । ମାତ୍ର କିଛି ଦିନ ମଧ୍ୟରେ ପରିସ୍ଥିତି ବଦଳି ଯାଇଛି । ଅଞ୍ଚଳରେ ଏବେ ଅନ୍ୟ ଦଳର ପତାକାରେ ପରିପୂର୍ଣ୍ଣ ହୋଇଛି । ଜାତୀୟଗଣମାଧ୍ୟମ ରିପୋର୍ଟ ଅନୁସାରେ ସମଗ୍ର ନିର୍ବାଚନମଣ୍ଡଳୀରେ ଗୋଟିଏ ବି ଟିଏମସି ପତାକା ଦେଖିବାକୁ ମିଳୁନାହିଁ । ନିର୍ବାଚନ ମଣ୍ଡଳୀର ଶକ୍ତିଶାଳୀ ବ୍ୟକ୍ତି ଜାହାଙ୍ଗୀର ଖାନ ମଧ୍ୟ ନିର୍ବାଚନରୁ ଓହରିଯିବା ପରେ ନିର୍ବାଚନମଣ୍ଡଳୀକୁ ନିଖୋଜ ଅଛନ୍ତି । ରିପୋର୍ଟ ଅନୁସାରେ ଗୁରୁବାର ଭୋଟରେ ଅଂଶଗ୍ରହଣ କରିଥିଲେ । ସ୍ଥାନୀୟ ଲୋକଙ୍କ ଅନୁସାରେ ତାଙ୍କୁ ଶେଷ ଥର ପାଇଁ ମଙ୍ଗଳବାର ଦେଖିବାକୁ ମିଳିଥିଲା । ଜାହାଙ୍ଗୀର ଖାନ ମଙ୍ଗଳବାର ନିର୍ବାଚନରୁ ଓହରିଯିବାକୁ ନିଷ୍ପତ୍ତି ନେଇଥିଲେ । ଜାହାଙ୍ଗୀର ଖାନଙ୍କୁ ଡାଇମଣ୍ଡ ହାର୍ବର ସାଂସଦ ଅଭିଷେକ ବାନାର୍ଜୀଙ୍କ ନିକଟତର ବୋଲି କୁହାଯାଏ । ୨୦୨୪ରେ ଏହି ନିର୍ବାଚନମଣ୍ଡଳୀରେ ୮୯ ପ୍ରତିଶତରୁ ଅଧିକ ଭୋଟ ପାଇଥିଲା । ବର୍ତ୍ତମାନ ଜାହାଙ୍ଗୀର ଖାନ ନିର୍ବାଚନରୁ ଓହରିବା ପରେ ତୃଣମୂଳ କଂଗ୍ରେସ ଏହାକୁ ବ୍ୟକ୍ତିଗତ ନିଷ୍ପତି ବୋଲି କହି ନିଜକୁ ଦୂରେଇ ରଖିଛି ।

ଏହା ବି ପଢନ୍ତୁ...ଦେଶରେ ଆଉ କେତେ ଦିନ ଯାଏ କ୍ଷମତାରେ ରହିବ ବିଜେପି ? ବଡ଼ ଭବିଷ୍ୟବାଣୀ କଲେ ଆକ୍ସିସ ମାଇଁ ଇଣ୍ଡିଆର ପ୍ରତିଷ୍ଠାତା...  

​​​​​​​ଦିଦି ହରାଇଥିଲେ ଭବାନୀପୁର- ମେ ୪ ତାରିଖରେ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ବାହାରିଥିଲା । ଭବାନୀପୁର ଆସନରୁ ମମତା ବାନାର୍ଜୀ ପରାସ୍ତ ହୋଇଥିଲେ । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ୧୫ ହଜାରରୁ  ଅଧିକ ଭୋଟରେ ମମତାଙ୍କୁ ପରାସ୍ତ କରିଥିଲେ । ୨୦୨୧ ନିର୍ବାଚନରେ ନନ୍ଦିଗ୍ରାମ ଆସନରେ ଅଧିକାରୀଙ୍କଠାରୁ ପରାସ୍ତ ହୋଇଥିଲେ ।

ଫାଲ୍‌ତା ଆସନରେ ୮୭% ମତଦାନ- ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ଫାଲ୍‌ତା ବିଧାନସଭା ଆସନରେ ଗୁରୁବାର କଡା ସୁରକ୍ଷା ବଳୟ ଭିତରେ ମତଦାନ ସମ୍ପନ୍ନ ହୋଇଛି । ଭୋଟିଂ ହାର ପ୍ରାୟ ୮୭.୯୦ ପ୍ରତିଶତ ରହିଛି । ଏହି ଆସନର ସମସ୍ତ ୨୮୫ ବୁଥରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା । ଆସନ୍ତା ୨୪ ତାରିଖରେ ଭୋଟ ଗଣତି ସହ ଫଳ ପ୍ରକାଶ ପାଇବ । ଏହି ଆସନରେ ୬ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି । କିନ୍ତୁ ମୁଖ୍ୟତଃ ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡା ଓ ଟିଏମ୍‌ସି ପ୍ରାର୍ଥୀ ଜାହାଙ୍ଗୀର ଖାନଙ୍କ ମଧ୍ୟରେ ମୁକାବିଲା ହୋଇଛି । ଜାହାଙ୍ଗୀର ଖାନ ଦୁଇଦିନ ତଳେ ନିର୍ବାଚନରୁ ଓହରିଯିବା ବିଷୟ ଘୋଷଣା କରିଥିଲେ । କିନ୍ତୁ ଇଭିଏମ୍‌ରେ ତାଙ୍କର ନାଁ ଓ ଚିହ୍ନ ରହିଥିବା ଦେଖିବାକୁ ମିଳିଥିଲା ।  ରାଜ୍ୟ ବିଧାନସଭା ନିର୍ବାଚନ ବେଳେ ଏହି ଆସନରେ ଗତ ଏପ୍ରିଲ ୨୯ ତାରିଖରେ ମତଦାନ ହୋଇଥିଲା । କିନ୍ତୁ କେତେକ ବୁଥରେ ଇଭିଏମ୍‌ରେ ବିଜେପି ପ୍ରାର୍ଥୀଙ୍କ ନାମ ଓ ଚିହ୍ନ ପାଖରେ ଧଳା ଟେପ୍ ଲଗାଯାଇଥିବାର ଅଭିଯୋଗ ହୋଇଥିଲା । ତେଣୁ ନିର୍ବାଚନ କମିଶନ ଏଠାରେ ସାନି ଭୋଟ ଗ୍ରହଣ ଲାଗି ନିର୍ଦ୍ଦେଶ ଦେଇଥିଲେ । ସୁରକ୍ଷା ପାଇଁ ଏଠାରେ ପ୍ରାୟ ୩୫ କମ୍ପାନି କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀର ଯବାନଙ୍କୁ ମୁତୟନ କରାଯାଇଥିଲା ।