ନୂଆଦିଲ୍ଲୀ : ତାମିଲନାଡ଼ୁ ସହ ପଶ୍ଚିମବଙ୍ଗରେ ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ । ପଶ୍ଚିମବଙ୍ଗରେ ଭୋଟିଂ ଚାଲିଥିବାବେଳେ ଗୋଟିଏ ପରେ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବୀରଭୂମରୁ ମୁର୍ଶିବାଦ ସବୁଠି ନିର୍ବାଚନୀ ହିଂସା । କେଉଁଠି ବିଜେପି ନେତାଙ୍କ ଉପରେ ମାଡ଼ ମରାଯାଉଥିବାବେଳେ ଆଉ କେଉଁଠି ପୁଲିସ ଉପରେ ଆକ୍ରୋଶ ଶୁଝାଉଛନ୍ତି ଜନତା । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଆରମ୍ଭ ହୋଇଛି ବୟାନବାଜି । କିଏ ଟିଏମସିକୁ ଦୋଷ ଦେଉଛି ତ ଆଉ କିଏ ବିଜେପି ଏଭଳି ପ୍ରାୟୋଜିତ ଭାବେ ଦଙ୍ଗା କରୁଛି ବୋଲି ଯୁକ୍ତି ବାଢ଼ୁଛି । ସୋସିଆଲ ମିଡିଆରେ ଆରମ୍ଭ ହୋଇଛି ଏଭଳି କାଦୁଅଫିଙ୍ଗା ରାଜନୀତି ।
ବୀରଭୂମର ଖୈରାଶୋଲରେ ଏବେ ମଧ୍ୟ ବିଶୃଙ୍ଖଳା ଲାଗି ରହିଥିବା ଖବର ମିଳିଛି । କେନ୍ଦ୍ରୀୟ ବାହିନୀ ଉପରେ ଆକ୍ରମଣ କରିଛନ୍ତି ସ୍ଥାନୀୟ ଲୋକେ । ଏହାସହ ପୁଲିସ ଗାଡ଼ିକୁ ଭଙ୍ଗାରୁଜା ମଧ୍ୟ କରିଛନ୍ତି । ଗାଁ ଲୋକେ ଅଭିଯୋଗ କରିଛନ୍ତି କି, ଇଭିଏମରେ ଟିଏମସି ପ୍ରାର୍ଥୀଙ୍କୁ ଭୋଟ ଦେଉଥିବାବେଳେ ଏହା ବିଜେପିକୁ ଯାଉଛି । ଯେଉଁ କାରଣରୁ ଆରମ୍ଭ ହୋଇଥିଲା ପାଟିତୁଣ୍ଡ । ଆଉ ଶେଷରେ ଠେଙ୍ଗା, ପଥର ଉଡ଼ିଥିଲା । ସ୍ଥାନୀୟ ଲୋକେ କହିଛନ୍ତି ପ୍ରାୟ ୨୦୦ ଭୋଟ୍ ପଡ଼ିବା ପରେ ସେମାନେ ଏହା ଜାଣିବାକୁ ପାଇଥିଲେ । ଆଉ ଏହାର ବିରୋଧ କରିଥିବାବେଳେ ଶୁଣିନଥିବାରୁ ଏଭଳି ପରିସ୍ଥିତି ହୋଇଛି ।
ବିଜେପି ପକ୍ଷରୁ କୁହାଯାଇଛି କି, ଟିଏମସିର ଗୁଣ୍ଡାମାନେ ଜାଣିଶୁଣି ଏଭଳି କରୁଛନ୍ତି । ସେମାନେ ବିଜେପି ନେତା ଏବଂ କର୍ମୀଙ୍କ ଉପରେ ଆକ୍ରମଣ କରୁଛନ୍ତି । ଯାହାର ଜବାବ ଜନତା ଦେବେ ବୋଲି କହିଛନ୍ତି । ସେପଟେ ମମତା କହିଛନ୍ତି କି, ଭୋଟ୍ ଏସଆଇଆର ବିପକ୍ଷରେ ଯାଉଛି । ଆମେ ପ୍ରଥମ ପର୍ଯ୍ୟାୟରୁ ଅନୁମାନ କରୁଛୁ କି, ନିଶ୍ଚୟ ଜିତିବୁ । ଆମ ସପକ୍ଷରେ ମତଦାନ ଯାଉଥିବା ସେ କହିଛନ୍ତି । ତେବେ ୫ଟା ସୁଦ୍ଧା ୯୦ ପ୍ରତିଶତ ମତଦାନ ହୋଇଛି ।
ଏହାସହ ପଢ଼ନ୍ତୁ : ମହିଳା କ୍ରିକେଟରଙ୍କ ନାଁରେ ଯୌନଶୋଷଣ ଏବଂ ବଟି ଆଦାୟ ଅଭିଯୋଗ