ନୂଆଦିଲ୍ଲୀ, ୧୮/୦୩ : ଜଳୁଛି ଅଶାନ୍ତ ମଧ୍ୟପ୍ରାଚ୍ୟ। ଥମିବାର ନାଁ ନେଉନି ଯୁଦ୍ଧ। ଡବ୍ଲ୍ୟୁଏଫ୍ପି ପକ୍ଷରୁ ଚେତାବନୀ। ଜୁନ୍ ପଯ୍ୟନ୍ତ ଯଦି ଯୁଦ୍ଧ ଲାଗିରୁହେ, ତେବେ ଅତି କ୍ଷୁଧାକୁ ଚାଲିଯିବେ ବିଶ୍ୱର ଆଉ ୪.୫ କୋଟି ଲୋକ। ଚିନ୍ତା ବ୍ୟକ୍ତ କଲେ ଡବ୍ଲ୍ୟୁଏଫ୍ପିର ଉପ- କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କାର୍ଲ ସ୍କାଉ।
ମଙ୍ଗଳବାର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ(ଡବ୍ଲ୍ୟୁଏଫ୍ପି) ପକ୍ଷରୁ ଜାରି ଏକ ରିପୋର୍ଟରେ ଏହି ଚେତାବନୀ ଦିଆଯାଇଛି । ଇରାନ୍ ଉପରେ ଫେବ୍ରୁଆରୀ ୨୬ରୁ ଆମେରିକା-ଇସ୍ରାଏଲ୍ର ହମ୍ଲା ପରଠାରୁ ମଧ୍ୟପ୍ରାଚ୍ୟରେ ଅଶାନ୍ତ ମାହୋଲ । ଯୁଦ୍ଧରେ ଥରହର ହେଉଛି ମଧ୍ୟପ୍ରାଚ୍ୟ । ଫଳରେ ମାନବୀୟ ସହାୟତାର ମାର୍ଗ ବନ୍ଦ ହୋଇଯାଇଛି । ବିଭିନ୍ନ ପ୍ରାନ୍ତରେ ଜୀବନ-ରକ୍ଷାକାରୀ ପରିବହନ ସାମଗ୍ରୀ ପହଞ୍ଚିପାରୁନାହିଁ । ଖାଦ୍ୟ, ତୈଳ ଏବଂ ପରିବହନ ଖର୍ଚ୍ଚ ବୃଦ୍ଧି ଯୋଗୁ ବିଶ୍ୱରେ ଆଉ ୪.୫ କୋଟି ଲୋକ ଉତ୍କଟ କ୍ଷୁଧାକୁ ଚାଲିଯିବେ। ଡବ୍ଲ୍ୟୁଏଫ୍ପିର ଉପ- କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କାର୍ଲ ସ୍କାଉ ଏନେଇ ପ୍ରକାଶ କରିଛନ୍ତି। ବର୍ତ୍ତମାନ ବିଶ୍ୱରେ ୩୧.୯ କୋଟି ଲୋକ ଅତି କ୍ଷୁଧା ବର୍ଗରେ ଅଛନ୍ତି । ଯୁଦ୍ଧ ବନ୍ଦ ନ ହେଲେ ଏହା ୩୬ କୋଟିକୁ ବଢ଼ିଯିବ ବୋଲି ସ୍କାଉ କହିଛନ୍ତି । ବିଶ୍ୱ କ୍ଷୁଧା ସ୍ତର ଏହାର ସର୍ବକାଳୀନ ରେକର୍ଡ ସ୍ତରକୁ ଚାଲିଯିବ । ଏହା ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ। ଯୁଦ୍ଧ ପୂର୍ବରୁ ହିଁ ବିଶ୍ୱ କ୍ଷୁଧା ସ୍ତର ଭୟଙ୍କର ରହିଥିଲା । ବର୍ତ୍ତମାନ ଯୁଦ୍ଧ ଛବିକୁ ଅତି ବିକୃତ କରିଦେବ ବୋଲି ସ୍କାଉ କହିଛନ୍ତି ।
ଏହି ଖବରଟିକୁ ପଢନ୍ତୁ- ହୋର୍ମୁଜ ପ୍ରଣାଳୀରେ ଭାରତ-ଇରାନ ମଧ୍ୟରେ ମାଷ୍ଟର ପ୍ଲାନ ! ପଛଘୁଞ୍ଚା ଦେଲା NATO, ଚିନ୍ତାରେ ଆମେରିକା-ୟୁରୋପ