ନୂଆଦିଲ୍ଲୀ, ୧୮।୩: ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ୧୮ ଦିନରେ ପହଞ୍ଚିଥିବା ବେଳେ ବିଶ୍ୱର ଭୂ-ରାଜନୀତି ସମ୍ପୂର୍ଣ୍ଣ ବଦଳିବାରେ ଲାଗିଛି । ବିଶେଷ କରି ଷ୍ଟେଟ୍ ଅଫ୍ ହର୍ମୁଜ ଏବେ ବିଶ୍ୱ ପାଇଁ ସବୁଠାରୁ ବଡ଼ ସଙ୍କଟ ପାଲଟିଛି, ଯାହା ସାରା ଦୁନିଆର ଅଶୋଧିତ ତୈଳ, ଏଲପିଜି ଏବଂ ଏଲଏନଜି ଯୋଗାଣ ଶୃଙ୍ଖଳାକୁ ଛିନ୍ନ କରିଦେଇଛି । ହର୍ମୁଜ ସଙ୍କଟ ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ ହେଉଥିବା ଦେଶମାନଙ୍କ ମଧ୍ୟରେ ଭାରତ ବି ସାମିଲ । କିନ୍ତୁ, ଗତ ଏକ ସପ୍ତାହ ମଧ୍ୟରେ ଭାରତ ଓ ଇରାନ ମଧ୍ୟରେ ଏପରି ଏକ ରଣନୀତି ପ୍ରସ୍ତୁତ ହୋଇଛି, ଯାହା ସମଗ୍ର ବିଶ୍ୱକୁ ଚକିତ କରିଦେଇଛି । ଯେଉଁ ସମୟରେ ବିଶ୍ୱର ବଡ଼ ବଡ଼ ଦେଶଙ୍କ ଜାହାଜ ଏହି ଅଞ୍ଚଳ ଦେଇ ଯିବାକୁ ଭୟ କରୁଛନ୍ତି, ସେହି ସମୟରେ ଭାରତୀୟ ତୈଳ ଏବଂ ଗ୍ୟାସ୍ ଟ୍ୟାଙ୍କରଗୁଡ଼ିକ ଅତି ସହଜରେ ଏବଂ ସମ୍ମାନର ସହ ହର୍ମୁଜ ଅତିକ୍ରମ କରୁଛନ୍ତି ।
ଏହା ବି ପଢ଼ନ୍ତୁ... 'ରାଜନୀତିରେ କେବେ ପୂର୍ଣ୍ଣଚ୍ଛେଦ ପଡ଼େ ନାହିଁ'...; ୩୭ ରାଜ୍ୟସଭା ସାଂସଦଙ୍କ ବିଦାୟୀ ଭାଷଣରେ କହିଲେ ପ୍ରଧାନମନ୍ତ୍ରୀ
ଭାରତୀୟ ନୌସେନାର ସୁରକ୍ଷା ବଳୟରେ ଜାହାଜ:
ଯୁଦ୍ଧଗ୍ରସ୍ତ ହର୍ମୁଜ ଷ୍ଟ୍ରେଟ୍ ଏବଂ ଓମାନ ଉପସାଗରରୁ ତିନୋଟି ବଡ଼ ଭାରତୀୟ ଜାହାଜ LPG ଟ୍ୟାଙ୍କର 'ଶିବାଲିକ' ଓ 'ନନ୍ଦା ଦେବୀ' ଏବଂ ତୈଳ ଟ୍ୟାଙ୍କର 'ଜଗ ଲାଡକି' ସୁରକ୍ଷିତ ଭାବେ ବାହାରି ଆସିଛନ୍ତି । ଏଥିପାଇଁ ଭାରତ ସରକାର ଦୁଇଟି ପ୍ରମୁଖ ପଦକ୍ଷେପ ନେଇଛନ୍ତି:
ଇରାନ ସହ କୂଟନୈତିକ ଆଲୋଚନା: ଇରାନ ସହିତ ସିଧାସଳଖ ଆଲୋଚନା କରି ଭାରତ ନିଜର ବାଣିଜ୍ୟିକ ସ୍ୱାର୍ଥ ରକ୍ଷା କରିଛି ।
ଭାରତୀୟ ନୌସେନାର ମୁତୟନ: ଭାରତୀୟ ନାଗରିକ ଏବଂ ଜାହାଜର ସୁରକ୍ଷା ପାଇଁ ହର୍ମୁଜ ଅଞ୍ଚଳରେ ଇଣ୍ଡିଆନ ନେଭିର ଶକ୍ତିଶାଳୀ ଯୁଦ୍ଧ ଜାହାଜ ମୁତୟନ କରାଯାଇଛି, ଯାହା ଏକ ସୁରକ୍ଷା ଘେର ମଧ୍ୟରେ ଭାରତୀୟ ଜାହାଜଗୁଡ଼ିକୁ ନିଜ ସୀମାକୁ ନେଇ ଆସୁଛନ୍ତି ।
ଭାରତର ଏହି ସଫଳତାକୁ ନେଇ ଆନ୍ତର୍ଜାତୀୟ ଖବର ସଂସ୍ଥା 'ରଏଟର୍ସ' ଦାବି କରିଥିଲା ଯେ, ଏହାର ବଦଳରେ ଭାରତକୁ ଜବତ କରାଯାଇଥିବା ଇରାନୀ ଟ୍ୟାଙ୍କରଗୁଡ଼ିକୁ ଛାଡ଼ିବାକୁ ପଡ଼ିବ । କିନ୍ତୁ, ଭାରତ ଏହି ସମସ୍ତ ଗୁଜବକୁ ଖଣ୍ଡନ କରି ନିଜର ସ୍ୱାଧୀନ ବିଦେଶ ନୀତିର ପରିଚୟ ଦେଇଛି ।
ଆମେରିକା ଓ ନାଟୋକୁ ଶକ୍ତ ଧକ୍କା:
ଆମେରିକୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ହର୍ମୁଜର ବର୍ତ୍ତମାନର ସ୍ଥିତିକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅତ୍ୟନ୍ତ ଚିନ୍ତିତ ଏବଂ ଅସନ୍ତୁଷ୍ଟ ଅଛନ୍ତି । ଏହାର କାରଣ ହେଉଛି: ଆମେରିକାର ବାରମ୍ବାର ଚେଷ୍ଟା ସତ୍ତ୍ୱେ କୌଣସି ନାଟୋ ସହଯୋଗୀ ଦେଶ ହର୍ମୁଜରେ ନିଜର ନୌସେନା ମୁତୟନ କରିବାକୁ ସାହସ ଜୁଟାଇ ପାରିନାହାନ୍ତି । ଗୋଟିଏ ପଟେ ପାଶ୍ଚାତ୍ୟ ଦେଶଗୁଡ଼ିକ ଅସହାୟ ଅନୁଭବ କରୁଥିବା ବେଳେ ଭାରତର ସୁରକ୍ଷିତ ଗମନାଗମନ ଆମେରିକା ଏବଂ ୟୁରୋପ ପାଇଁ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଭାରତ ନିଜର ରଣନୈତିକ ସ୍ୱାୟତ୍ତତା ଏବଂ ଉଭୟ ପକ୍ଷ ସହ ଥିବା ଭଲ ସମ୍ପର୍କକୁ ବ୍ୟବହାର କରି ବିଶ୍ୱର ସବୁଠାରୁ ବିପଜ୍ଜନକ ସମୁଦ୍ର ପଥରେ ବିଜୟୀ ହୋଇଛି ।