ନୂଆଦିଲ୍ଲୀ,୧୨।୧: ମୃତ୍ୟୁ ସର୍ବଦା ମାନବଜାତି ପାଇଁ ଏକ ବଡ଼ ରହସ୍ୟ । ଅନେକ ଲୋକ ଦେଖିଥିବେ ଯେତେବେଳେ କାହାର ମୃତ୍ୟୁ ସେମାନଙ୍କର ନିଶ୍ୱାସ ପ୍ରଶ୍ୱାସ କମିଯାଏ କିମ୍ବା ବଢିଯାଏ। ହୃଦସ୍ପନ୍ଦନ କ୍ଷୀଣ ହୋଇଯାଏ, ହାତ ଏବଂ ପାଦ ଥଣ୍ଡା ପଡିଯାଏ। ଆପଣ ଜାଣିଛନ୍ତି କି ଜଣେ ବ୍ୟକ୍ତି ମୃତ୍ୟୁର ଠିକ୍ କିଛି ସମୟ ପୂର୍ବରୁ କ’ଣ ଅନୁଭବ କରନ୍ତି? କୁହାଯାଏ ପ୍ରକୃତରେ ମୃତ୍ୟୁ ପୂର୍ବରୁ ମଣିଷକୁ ଏକ ଉଜ୍ବଳ ଆଲୋକ ଦେଖାଯାଏ । ପୁରୁଣା ସ୍ମୃତି ସବୁ ଫିଲ୍ମ ଭଳି ଆଖି ଆଗରେ ଝଲସି ଉଠେ? ନିକଟରେ ବୈଜ୍ଞାନିକମାନେ ଏକ ଅଧ୍ୟୟନରେ ଏହି ରହସ୍ୟ ଉପରକୁ ପରଦା ଉଠାଇଛନ୍ତି। ତେବେ ଆସନ୍ତୁ ଜାଣିବା ବିଜ୍ଞାନ ଦୃଷ୍ଟିକୋଣରୁ ଜଣେ ବ୍ୟକ୍ତି ମୃତ୍ୟୁର ଠିକ୍ ପୂର୍ବରୁ କ’ଣ ଅନୁଭବ କରନ୍ତି ?
ପୁରୁଣା ସ୍ମୃତି ସବୁ ଫିଲ୍ମ ଭଳି ଭଳି ଦେଖାଯାଏ
Metro.co.uk ର ରିପୋର୍ଟ ଅନୁସାରେ, ଯେତେବେଳେ ଶରୀର କାମ କରିବା ବନ୍ଦ କରିଦିଏ, ସେତେବେଳେ ମସ୍ତିଷ୍କର କିଛି ଅଂଶ ସକ୍ରିୟ ରହିଥାଏ। ମୃତ୍ୟୁ ପୂର୍ବରୁ ‘ଗାମା ଅକ୍ସିଲେସନ୍’ ନାମକ ମସ୍ତିଷ୍କ ତରଙ୍ଗ ବୃଦ୍ଧି ପାଏ। ଏହି ତରଙ୍ଗ ଆମେ ସ୍ୱପ୍ନ ଦେଖିବା, ଧ୍ୟାନ କରିବା କିମ୍ବା ପୁରୁଣା ସ୍ମୃତିକୁ ପୁନର୍ଜୀବିତ କରିବା ସମୟରେ ଅନୁଭବ କରିଥାଉ। ଏହାର ଅର୍ଥ ହେଉଛି ମୃତ୍ୟୁ ସମୟରେ, ଜଣେ ବ୍ୟକ୍ତି ତାଙ୍କ ଜୀବନର ସୁନ୍ଦର ମୁହୂର୍ତ୍ତ ଗୁଡ଼ିକୁ ଫ୍ଲାସବ୍ୟାକ୍ ଭଳି ଅନୁଭବ କରିପାରନ୍ତି। ଏହି ଅନୁଭବକୁ ମୃତ୍ୟୁ ନିକଟବର୍ତ୍ତୀ ଅଭିଜ୍ଞତା ବା ‘ନିୟର ଡେଥ୍ ଏକ୍ସପିରିୟନ୍ସ’ କୁହାଯାଏ। ମୃତ୍ୟୁର ଠିକ୍ ପୂର୍ବରୁ ସବୁଠୁ ଅଧିକ ଭଲ ପାଉଥିବା ଲୋକଙ୍କୁ ସେମାନେ ଖୋଜିଥାନ୍ତି। ଏହି ରିସର୍ଚ୍ଚ ଜଣେ ହୃଦଘାତ ରୋଗୀଙ୍କ ମସ୍ତିଷ୍କ କାର୍ଯ୍ୟକଳାପ ରେକର୍ଡ କରାଯିବା ପରେ ଜଣାପଡିଛି। ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ, ମୃତ୍ୟୁ କେବଳ ଏକ ଅନ୍ଧକାର ଅଭିଜ୍ଞତା ନୁହେଁ ବରଂ ଏକ ପରିପୂର୍ଣ୍ଣ ଯାତ୍ରା। ମୃତ୍ୟୁ ସମୟରେ, ମାନବ ମସ୍ତିଷ୍କ ‘ଲାଇଫ୍ ରିକଲ୍’ ନାମକ ଏକ ଅବସ୍ଥାକୁ ଚାଲିଯାଏ। ୨୦୨୩ରେ ‘ଫ୍ରଣ୍ଟିୟର୍ସ ଇନ୍ ଏଜିଂ ନ୍ୟୁରୋସାଇନ୍ସ’ରେ ପ୍ରକାଶିତ ଏକ ଅଧ୍ୟୟନ ସମସ୍ତଙ୍କୁ ଚକିତ କରିଛି। ତାହା ହେଲା ମୃତ୍ୟୁ ପୂର୍ବରୁ, ବନ୍ଦ ହେବା ପରିବର୍ତ୍ତେ, ମସ୍ତିଷ୍କ ଅତ୍ୟଧିକ ସକ୍ରିୟ ହୋଇଯାଏ। ସେଭଳି ହୃଦସ୍ପନ୍ଦନ ବନ୍ଦ ହେବା ପରେ ମଧ୍ୟ ମସ୍ତିଷ୍କ ଅତ୍ୟାଧିକ ସକ୍ରିୟ ହୋଇଯାଏ।
ମସ୍ତିଷ୍କ ହୋଇଯାଏ ହାଇପର ଆକ୍ଟିଭ
ଆମେରିକାର ‘ଲୁଇସଭିଲ୍ ବିଶ୍ୱବିଦ୍ୟାଳୟ’ ର ନ୍ୟୁରୋସର୍ଜନ୍ ଡକ୍ଟର ଅଜମଲ୍ ଜେମାର ଏହି ଅଧ୍ୟୟନର ନେତୃତ୍ୱ ନେଇଥିଲେ। ଜଣେ ୮୭ ବର୍ଷୀୟ ନ୍ୟୁରୋ ରୋଗୀଙ୍କ ମସ୍ତିଷ୍କ କାର୍ଯ୍ୟକଳାପ ରେକର୍ଡ କରାଯାଇଥିଲା। ଡକ୍ଟର ଅଜମଲଙ୍କ କହିବା ଅନୁସାରେ ଏହି ଷ୍ଟଡି ରୋଗୀଙ୍କ EEG ଉପରେ ଆଧାରିତ ଥିଲା। ଯାହାକି ମସ୍ତିଷ୍କର ଗତିବିଧିକୁ ତାଙ୍କ ମୃତ୍ୟୁ ସମୟରେ ମନିଟର କରୁଥିଲା। ଏହି ସମୟରେ ରୋଗୀ ଜଣଙ୍କର ହୃଦଘାତ ପରେ ମୃତ୍ୟୁ ହୋଇଥିଲା। ରିସର୍ଚ୍ଚରମାନେ ଦେଖିଥିଲେ ହୃଦଘାତର ୩୦ ସେକେଣ୍ଡ ପର୍ଯ୍ୟନ୍ତ ତାଙ୍କ ମସ୍ତିଷ୍କ ଅତ୍ୟାଧିକ ସକ୍ରିୟ ଥିଲା। ସେ କହିଛନ୍ତି ମୃତ୍ୟୁ ସମୟରେ, ମାନବ ମସ୍ତିଷ୍କ ହଠାତ୍ ବନ୍ଦ ହୁଏ ନାହିଁ; ବରଂ, ବିଭିନ୍ନ ମସ୍ତିଷ୍କ ତରଙ୍ଗ ସକ୍ରିୟ ହୋଇଯାଏ, ଯାହାକୁ ବୈଜ୍ଞାନିକ ଭାଷାରେ ‘ଅକ୍ସିଲେସନ୍’ ବା ଦୋଳନ କୁହାଯାଏ।’ ଏଥିରେ ଗାମା, ଥିଟା, ଆଲଫା ଏବଂ ବିଟା ମସ୍ତିଷ୍କ ତରଙ୍ଗ ରହିଛି, ଯାହା ସାଧାରଣତଃ ସ୍ୱପ୍ନ, ସ୍ମୃତି ଏବଂ ଚିନ୍ତାଧାରା ସହିତ ଜଡିତ।
ଶାନ୍ତି ଅନୁଭବ ହୁଏ
ଡକ୍ଟର ଅଜମଲଙ୍କ କହିବା ଅନୁସାରେ, ଆମର ମସ୍ତିଷ୍କ ହୁଏତ ଏହି ସମୟରେ ମୃତ୍ୟୁ ପାଇଁ ପ୍ରସ୍ତୁତ ହୁଏ। ବୈଜ୍ଞାନିକଙ୍କ ମତରେ ‘ନିୟର ଡେଥ୍ ଏକ୍ସପିରିୟନ୍ସ’ ଅନୁଭବ ସବୁଠାରୁ ଅଲଗା। ଏଭଳି ସମୟ ଦେଇ ଗତି କରୁଥିବା ଲୋକ ସୁଡଙ୍ଗ କିମ୍ବା ଅନ୍ଧାର ଗଳିରେ ଏକ ‘ଉଜ୍ବଳ ଆଲୋକ’ ଦେଖି ଥିବାର ଦାବି କରିଥାନ୍ତି। ଯେତେବେଳେ ହୃତପିଣ୍ଡ କାମ କରିବା ବନ୍ଦ କରିଦିଏ, ମସ୍ତିଷ୍କରେ ରକ୍ତ ପ୍ରବାହ ହେବା ବନ୍ଦ ହୋଇଯାଏ। ଅକ୍ସିଜେନ୍ କମ୍ ହେବାରେ ଲାଗିଥାଏ। ଏଭଳି ସ୍ଥିତିରେ ଆଖିର ରେଟିନା ଓ ମସ୍ତିଷ୍କର ଭିଜୁଆଲ୍ କର୍ଟେକ୍ସ ଭିତରେ ସମ୍ପର୍କ ବିଚ୍ଛିନ୍ନ ହୋଇଥାଏ। ଯାହାଫଳରେ ଏକ ‘ଟନେଲ୍ ଭିଜନ୍’ ବା ସୁଡଙ୍ଗ ଭଳି ଦୃଶ୍ୟ ଦେଖାଦିଏ। ଏହି କାରଣରୁ ଲୋକଙ୍କୁ ଲାଗିଥାଏ କୌଣସି ଅନ୍ଧାର ସୁଡଙ୍ଗ ଆଡକୁ ଯାଉଛନ୍ତି। ରିସର୍ଚ୍ଚରଙ୍କ ମତରେ ମୃତ୍ୟୁର ନିକଟତର ହେବା ମାତ୍ରେ ମସ୍ତିଷ୍କ ଭାରି ମାତ୍ରାରେ ଏଣ୍ଡୋଫ୍ରିନ୍ସ ଓ ଅନ୍ୟ ନ୍ୟୁରୋକେମିକାଲ୍ସ ରିଲିଜ୍ କରିଥାଏ। ଏହି କେମିକାଲ ଶରୀରରେ ଭୟ ଏବଂ ପୀଡାକୁ କମ୍ କରିବାରେ କାମ କରେ। ଏହି କାରଣରୁ ଯେଉଁ ଲୋକ ମୃତ୍ୟୁ ମୁଖରୁ ବଞ୍ଚିକି ଆସିଥାନ୍ତି ତାଙ୍କୁ ହୋସ୍ ଆସିବ ପରେ ଏକ ଅଦ୍ଭୁତ ଶାନ୍ତି ଅନୁଭବ କରନ୍ତି।