ନୂଆଦିଲ୍ଲୀ,୨୦/୧୧: ଆମ ଦୈନନ୍ଦିନ ଜୀବନରେ ହ୍ୱାଟ୍‌ସ ଆପ୍ ଏକ ପ୍ରମୁଖ ଅଂଶ ପାଲଟିଛି । ଏଭଳି କ୍ଷେତ୍ରରେ ଏହି ଆପ୍‌ର ଡାଟା ନିରାପତ୍ତାକୁ ନେଇ ଉଠିଛି ପ୍ରଶ୍ନ । ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ୩୫୦ କୋଟିରୁ ଊଦ୍ଧ୍ୱର୍ ହ୍ୱାଟ୍‌ସଆପ୍ ୟୁଜରଙ୍କ ଫୋନ୍ ନମ୍ବର ଏବେ ବିପଦରେ । ଏକ ବଡ଼ ନିରାପତ୍ତାଜନିତ ତ୍ରୁଟି କାରଣରୁ ୟୁଜରଙ୍କ ପ୍ରୋଫାଇଲ ଫୋଟୋ, ଷ୍ଟାଟସ୍ ଏବଂ ଆବାଉଟ୍ ସେକ୍ସନ୍‌ର ବିବରଣୀ ଲିକ୍ ହୋଇପାରେ । ଭିଏନା ୟୁନିଭର୍ସିଟିର ଗବେଷକମାନେ ଏହି ତ୍ରୁଟିକୁ ଚିହ୍ନଟ କରିଛନ୍ତି ।

ଗବେଷକଙ୍କ ମୁତାବକ, ଏହି ତ୍ରୁଟି ଯୋଗୁ ଯେକୌଣସି ନମ୍ବରକୁ ଚେକ୍ କରି ଜଣାପଡ଼ିଯାଇଥାଏ ଯେ, ଏହା ହ୍ୱାଟ୍ସଆପ୍‌ର ସଚଳ ଅଛି ଅବା ନୁହେଁ । ଏହାପରେ ପ୍ରୋଫାଇଲ ପିକ୍ଚର, ଷ୍ଟାଟସ୍ ଏବଂ ଆବାଉଟ୍ ସେକ୍ସନ ବିବରଣୀ ସହଜରେ ବାହାର କରାଯାଇପାରିବ । ଏହାର ଅପବ୍ୟବହାର କରାଯାଇପାରେ ।

ଗବେଷକମାନେ କୁହନ୍ତି ଯେ, ସମସ୍ୟା ହ୍ୱାଟ୍‌ସଆପ୍‌ର କଣ୍ଟାକ୍ଟ ଡିସ୍କଭରୀ ଫିର୍ଚରେ ରହିଛି । ୟୁଜରଙ୍କ ଫୋନ୍ ଆଡ୍ରେସ ବୁକକୁ ସିଙ୍କ୍ କରି ଲୋକଙ୍କୁ ଖୋଜିବା ସହଜ ହେବ, ସେଥିପାଇଁ ଏହି ଫିଚରକୁ ପ୍ରସ୍ତୁତ କରାଯାଇଥିଲା । କିନ୍ତୁ ଅଜାଣତରେ ଏହା ୟୁଜର ଡାଟାକୁ ବଡ଼ ଆକାରରେ ଚୋରି କରିବାର ଫାଟକ ଖୋଲିଦେଇଛି । ଭିଏନା ବିଶ୍ୱବିଦ୍ୟାଳୟର ଗବେଷକମାନେ ଲିଭ୍‌ଫୋନ୍‌ଜେନ୍  ଟୁଲ୍‌କୁ ବ୍ୟବହାର କରି ୨୪୫ ଦେଶର ରିୟଲିଷ୍ଟିକ୍ ଫୋନ୍ ନମ୍ବର ଜେନେରେଟ୍ କରିଛନ୍ତି । ଏହାପରେ ହ୍ୱାଟ୍‌ସଆପ୍‌ର ଏକ୍ସଏମ୍‌ପିପି ପ୍ରୋଟୋକଲରୁ କନେକ୍ଟ କରି କ୍ବେରି ପଠାଇଥିଲେ । ଗବେଷଣାରେ ୫ଟି ଆକାଉଣ୍ଟ୍‌ରୁ ୬୩୦୦ କୋଟି ସମ୍ଭାବ୍ୟ ନମ୍ବର ଚେକ୍ କରାଯାଇଥିଲା । ଶେଷରେ ଘଣ୍ଟା ପିଛା ୧୦ କୋଟି ବେଗରେ ୩୫୦ କୋଟି ସକ୍ରିୟ ଆକାଉଣ୍ଟ ମିଳିଥିଲା । ୫୬.୭% ୟୁଜରଙ୍କ ପ୍ରୋଫାଇଲ ପିକ୍ଚର ଏବଂ ୨୯.୩% ଆବାଉଟ୍ ଟେକ୍ସଟ୍ ସାମ୍ନାକୁ ଆସିଥିଲା । ଏହି ଟେକ୍ସଟରେ ରାଜନୈତିକ ମତ, ଧର୍ମ ଏବଂ ଅନ୍ୟ ସୋସିଆଲ ମିଡିଆ ଲିଙ୍କ୍ ବି ଥିଲା ।

ଗବେଷକଙ୍କ କହିବାନୁସାରେ, ଏହି ୩୫୦ କୋଟି ୟୁଜରଙ୍କ ମଧ୍ୟରୁ ଭାରତରେ ସର୍ବାଧିକ ୭୪.୯ କୋଟି, ଇଣ୍ଡୋନେସିଆର ୨୩.୫ କୋଟି, ବ୍ରାଜିଲ୍‌ର ୨୦.୭ କୋଟି, ଆମେରିକାର ୧୩.୮ କୋଟି ଏବଂ ରୁଷର ୧୩.୩ କୋଟି ଆକାଉଣ୍ଟ ରହିଛି । ଏଥିରେ ୮୧% ଆଣ୍ଡ୍ରଏଡ୍ ଏବଂ ୧୯% ଆଇଓଏସ୍ ୟୁଜର ସାମିଲ ଅଛନ୍ତି । ଏହାବ୍ୟତୀତ ୯% ବିଜ୍‌ନେସ୍ ଆକାଉଣ୍ଟ ରହିଛି, ଯାହା ହ୍ୱାଟ୍‌ସ ଆପ୍ ବିଜ୍‌ନେସ୍ ଫିଚର ଦ୍ୱାରା ଅଧିକ ଡାଟା ସେୟାର କରିଥାନ୍ତି । ପଶ୍ଚିମ ଆଫ୍ରିକା ଭଳି ପ୍ରାନ୍ତରେ ୮୦% ପ୍ରୋଫାଇଲ ପବ୍ଲିକ ଅଛି, ଯେଉଁଠି ମେସେଜିଂ ପାଇଁ ହ୍ୱାଟ୍‌ସଆପ୍ ହିଁ ବ୍ୟବହାର ହୋଇଥାଏ ।

ହ୍ୱାଟ୍ସଆପ୍ର ଉପସଭାପତି (ଇଞ୍ଜିନିୟରିଂ) ନିତିନ ଗୁପ୍ତା କୁହନ୍ତି, ଏହି ଗବେଷଣା ଆମର ଆଣ୍ଟି-ସ୍କ୍ରାପିଂ ପଦକ୍ଷେପଗୁଡ଼ିକର ପରୀକ୍ଷଣରେ ସହାୟକ ହୋଇଛି । ଏଯାଏ ଡାଟାର କୌଣସି ଅପବ୍ୟବହାର ଦେଖିବାକୁ ମିଳିନାହିଁ । ସାଇବର ସୁରକ୍ଷା ବିଶେଷଜ୍ଞମାନେ ଏହି ତ୍ରୁଟିକୁ ନେଇ କୁହନ୍ତି, ୟୁଜରମାନେ ପ୍ରୋଫାଇଲ୍‌କୁ ପ୍ରାଇଭେଟ୍ ସେଟ୍ କରିପାରିବେ । ଆବାଉଟ୍‌ରେ ବ୍ୟକ୍ତିଗତ ବିବରଣୀ ନ ଦେଇ ଷ୍ଟାଟସ୍ ସେୟାରିଂକୁ ଲିମିଟ୍ କରିବା ଉଚିତ । ବିଜନେସ ୟୁଜର ହୋଇଥିଲେ ହ୍ୱାଟ୍‌ସଆପ୍ ବିଜ୍‌ନେସ୍ ଏପିଆଇର ନିରାପଦ ଫିଚର୍କୁ ବ୍ୟବହାର କରିବା ଉଚିତ ।