ନୂଆଦିଲ୍ଲୀ, ୨୮।୪: ହ୍ୱାଟ୍ସଆପ୍ ୟୁଜର୍ସଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ୮ ସେପ୍ଟେମ୍ବର, ୨୦୨୬ରୁ ବିଶ୍ୱର ସବୁଠାରୁ ଲୋକପ୍ରିୟ ଇନଷ୍ଟାଣ୍ଟ ମେସେଜିଂ ଆପ୍ କିଛି ନିର୍ଦ୍ଦିଷ୍ଟ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନରେ କାମ କରିବା ବନ୍ଦ କରିଦେବ । ମେଟା ମାଲିକାନାରେ ଥିବା ଏହି କମ୍ପାନୀ କିଛି ପୁରୁଣା ଅପରେଟିଂ ସିଷ୍ଟମରେ ଚାଲୁଥିବା ଡିଭାଇସ୍ ପାଇଁ ନିଜର ସପୋର୍ଟ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି । ହ୍ୱାଟ୍ସଆପ୍ କ୍ରମାଗତ ଭାବରେ ନିଜକୁ ଅଧିକ ସୁରକ୍ଷିତ ଏବଂ ଆଧୁନିକ କରିବା ପାଇଁ ନୂଆ ନୂଆ ଫିଚର୍ସ ଆଣୁଛି । ଏହି ସବୁ ନୂଆ ଟେକ୍ନୋଲୋଜି ଏବଂ ସୁରକ୍ଷା ବ୍ୟବସ୍ଥାକୁ ପୁରୁଣା ସ୍ମାର୍ଟଫୋନର ହାର୍ଡୱେର୍ ବା ସଫ୍ଟୱେର୍ ସପୋର୍ଟ କରିପାରୁ ନାହିଁ । କମ୍ପାନୀ ବର୍ତ୍ତମାନ 'ନୋଟିଫିକେସନ୍ ବବଲ୍ସ' ପରି କିଛି ଉନ୍ନତ ଫିଚର୍ ଆଣିବାକୁ ଯାଉଛି, ଯାହା ପାଇଁ ଆଧୁନିକ ଅପରେଟିଂ ସିଷ୍ଟମର ଆବଶ୍ୟକତା ରହିଛି । ସେଥିପାଇଁ ପୁରୁଣା ଫୋନରେ ଏହି ଆପ୍‌କୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । 

କେଉଁ ଫୋନରେ ଚାଲିବନି ହ୍ୱାଟ୍ସଆପ୍ ?

ହ୍ୱାଟ୍ସଆପ୍‌ର ଅପଡେଟ୍ ଉପରେ ନଜର ରଖୁଥିବା ୱେବସାଇଟ୍ WABetainfo ଅନୁଯାୟୀ, ଯେଉଁ ଆଣ୍ଡ୍ରଏଡ୍ ଫୋନ୍ ଗୁଡ଼ିକ Android 6.0 ରୁ ପୁରୁଣା ସିଷ୍ଟମରେ ଚାଲୁଛି, ସେଥିରେ ହ୍ୱାଟ୍ସଆପ୍ ବନ୍ଦ ହୋଇଯିବ । ବିଶେଷ କରି Android 5.0 ଏବଂ 5.1 (Lollipop) ସଂସ୍କରଣରେ ଚାଲୁଥିବା ଫୋନ୍ ଗୁଡ଼ିକ ଏହି ତାଲିକାରେ ଅଛନ୍ତି । ଆଇଫୋନ୍ ୟୁଜର୍ସଙ୍କ ଉପରେ ବର୍ତ୍ତମାନ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ସୂଚନା ମିଳିଛି । ଭାରତ, ବ୍ରାଜିଲ୍, ପାକିସ୍ତାନ ଏବଂ ଆଫ୍ରିକୀୟ ଦେଶ ଗୁଡ଼ିକରେ ଏବେ ବି ଅନେକ ଲୋକ ପୁରୁଣା ମଡେଲର ଫୋନ୍ ବ୍ୟବହାର କରୁଥିବାରୁ ଏହି ନିଷ୍ପତ୍ତି ସେମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ।

ହ୍ୱାଟ୍ସଆପ୍‌ରେ ଆସୁଛି କିଛି ଦମଦାର୍ ଫିଚର୍ସ:

କମ୍ପାନୀ ଏବେ ସିଷ୍ଟମର କାର୍ଯ୍ୟଦକ୍ଷତା ଏବଂ ଲୁକ୍ ଉପରେ ଗୁରୁତ୍ୱ ଦେଉଛି । ଏହି ଫିଚର୍ ଜରିଆରେ ଆପଣ ଚାଟ୍ କରୁଥିବା ବେଳେ ସ୍କ୍ରିନ୍ ଉପରେ ଏକ ଛୋଟ ଗୋଲାକାର ଆଇକନ୍ ଦେଖିବେ । ଏହା ଆପଣଙ୍କୁ ଅନ୍ୟ କାମ କରୁଥିବା ସମୟରେ ମେସେଜ୍ କରିବାକୁ ସହଜ କରିବ । ଏହା ଜରିଆରେ ୟୁଜର ଇଣ୍ଟରଫେସ୍ ପୂର୍ବ ଅପେକ୍ଷା ଆହୁରି ସରଳ ଓ ଆଧୁନିକ ହେବାକୁ ଯାଉଛି ।

ଆପଣଙ୍କୁ ଏବେ କ’ଣ କରିବାକୁ ହେବ ?

ସେପ୍ଟେମ୍ବର ୮ ପୂର୍ବରୁ ଆପଣ କିଛି ପଦକ୍ଷେପ ଗ୍ରହଣ କରନ୍ତୁ:

୧. ଆପଣଙ୍କ ଫୋନର ଓଏସ୍ (OS) ଚେକ୍ କରନ୍ତୁ । ପ୍ରଥମେ ଫୋନର Settingsକୁ ଯାଆନ୍ତୁ । ସେଠାରେ System କିମ୍ବା About Phone ବିକଳ୍ପକୁ ଚୟନ କରନ୍ତୁ । ଏଠାରେ System Update ଉପରେ କ୍ଲିକ୍ କରି ଆପଣ ଜାଣିପାରିବେ ଆପଣଙ୍କ ଫୋନ୍ କେଉଁ ଆଣ୍ଡ୍ରଏଡ୍ ଭର୍ସନରେ ଚାଲୁଛି । ଯଦି ଏହା ୬.୦ ରୁ ଅଧିକ, ତେବେ ଆପଣ ସୁରକ୍ଷିତ ।

୨. ଚାଟ୍ ବ୍ୟାକଅପ୍ ନିଅନ୍ତୁ:

ଯଦି ଆପଣଙ୍କ ଫୋନ୍ ପୁରୁଣା ଏବଂ ଆପଣ ନୂଆ ଫୋନ୍ କିଣିବାକୁ ଚାହୁଁଛନ୍ତି, ତେବେ ବର୍ତ୍ତମାନର ହ୍ୱାଟସ୍ଆପ୍ ଚାଟ୍ ଏବଂ ଫଟୋର ବ୍ୟାକଅପ୍ ନେଇ ରଖନ୍ତୁ । ହ୍ୱାଟସ୍ଆପ୍ର Settingsକୁ ଯାଆନ୍ତୁ । Chats ଉପରେ କ୍ଲିକ୍ କରନ୍ତୁ । ଏହାପରେ Chat Backup ବିକଳ୍ପକୁ ଯାଆନ୍ତୁ । ସେଠାରେ Backup Now ବଟନ୍ ଉପରେ କ୍ଲିକ୍ କରି ନିଜର ସମସ୍ତ ଡାଟାକୁ ଗୁଗଲ୍ ଡ୍ରାଇଭରେ ସୁରକ୍ଷିତ ରଖନ୍ତୁ । ସମୟ ଥାଉ ଥାଉ ଏହି କାମ କରିନିଅନ୍ତୁ, ନଚେତ୍ ସେପ୍ଟେମ୍ବର ୮ ପରେ ଆପଣ ନିଜର ଗୁରୁତ୍ୱପୂର୍ଣ୍ଣ ଚାଟ୍ କିମ୍ୱା ସୂଚନା ହରାଇ ପାରନ୍ତି ।

ଆହୁରୁି ପଢ଼ନ୍ତୁ... Indian Economy: ଭାରତୀୟ ଅର୍ଥନୀତିକୁ 'ଟ୍ରିପଲ୍ ଆଟାକ୍', ମହଙ୍ଗା ତେଲ ପରେ ପ୍ରଚଣ୍ଡ ଖରା ଓ କମ୍ ବର୍ଷା ବଢ଼ାଇଲା ଚିନ୍ତା