ଲୋକକଥା ଅନୁସାରେ, ଥରେ ଗୋଟିଏ କୁକୁଡ଼ା ଗଛ ନିକଟରେ ଥିଲା । ଦୈବାତ ଖଣ୍ଡେ ଶୁଖିଲା କାଠ ତା' ମୁଣ୍ଡ ଉପରକୁ ଖସିପଡ଼ିଲା । ସେ ଆତଙ୍କିତ ହୋଇଗଲା । ଭାବିଲା ଯେ, ଏହା ହେଉଛି ଆକାଶର ଖଣ୍ଡେ । ସେ ନିଶ୍ଚିତ ହେଲା ଯେ, ସାରା ଆକାଶ ଏମିତି ଅଜାଡ଼ି ହୋଇ ପୃଥିବୀରେ ମାଡ଼ି ବସିବ । ଏହା ହେବ ପୃଥିବୀର ଅନ୍ତ । ସେ ଚିନ୍ତାକଲା ଯେ, ଏହି ଚରମ ବିପର୍ଯ୍ୟୟ ସଂପର୍କରେ ରାଜାଙ୍କୁ ଆଗୁଆ ସୂଚାଇବା ନିହାତି ଆବଶ୍ୟକ । ତାହାଲେ ଏଥିରୁ ରକ୍ଷା ପାଇବାକୁ ରାଜା ସତର୍କତାମୂଳକ ପଦକ୍ଷେପ ନେବେ । ତାକୁ ତର ସହିଲା ନାହିଁ । ଏକମୁହାଁ ହୋଇ ଦୌଡ଼ିଲା । ରାସ୍ତାରେ ଅନେକ ଜୀବଜନ୍ତୁ ତାକୁ ଅଣନିଃଶ୍ୱାସୀ ଭାବେ ଧାଉଁଥିବା ଦେଖି କାରଣ ଜାଣିବାକୁ କୌତୂହଳୀ ହେଲେ । କିନ୍ତୁ ସେମାନଙ୍କୁ ବିଶଦ ବିବରଣୀ ଶୁଣାଇବାକୁ ତା' ପାଖରେ ସମୟ ନଥିଲା । ଧାଉଁଥିବା ସମୟରେ ପାଟି କରି କହୁଥାଏ ‘ଆକାଶ ମାଡ଼ି ବସୁଛି । ରାଜାଙ୍କୁ ଏହି ବିପତ୍ତି ଜଣାଇବା ଜରୁରି ।'

ତାକୁ ଅନୁସରଣ କରି ଗଞ୍ଜା, ବତକ, ବଡ଼ କୁକୁଡା ଇତ୍ୟାଦି ପକ୍ଷୀମାନେ ଅସମ୍ଭାଳ ହୋଇ ଦୌଡ଼ିଲେ । ଦୈବାତ ରାସ୍ତାରେ ଗୋଟିଏ ଚତୁର ବିଲୁଆ ସେମାନଙ୍କ ଅବିରତ କ୍ଷିପ୍ର ଯାତ୍ରା ଦେଖି ପ୍ରକୃତ କାରଣ ବୁଝିନେଲା । ସେମାନଙ୍କୁ ବୁଝାଇଲା ଯେ, ଏମିତି ଧଇଁସଇଁ ହୋଇ ଯିବା ଅଯଥାରେ ଦେହକୁ କଷ୍ଟ ଦେବା କଥା । ରାଜାଙ୍କୁ ଭେଟିବାକୁ ତା' ପାଖରେ ସହଜ ଉପାୟ ଅଛି । ସେମାନଙ୍କୁ ସାମୂହିକ ଭାବେ ସେ ଏହା ବତାଇବାକୁ ଚାହୁଁଛି । ତା' କଥା ମାନି ପକ୍ଷୀଦଳ ତା' ପଛେ ପଛେ ଯାଇ ତା' ଗୁମ୍ଫାରେ ପହଞ୍ଚିଲେ । ଧୂର୍ତ୍ତ ବିଲୁଆଟିକୁ ଅନେକ ଦିନ ଧରି କୁକୁଡ଼ାମାଂସର ଭରପୂର ଆହାର ଏହି ପ୍ରକାରେ ପ୍ରାପ୍ତ ହେଲା । କେହି କେହି କହିପାରନ୍ତି ଯେ, କୁକୁଡ଼ା ଗୋଟିଏ ଭୟାଳୁ ଜୀବ । ତେଣୁ କୁକୁଡ଼ା-ଦଳ ଏମିତି ଘଟଣାସ୍ଥଳରୁ ପଳାୟନ କଲେ । ଅବଶ୍ୟ ଭୟ ହେଉଛି ଏହି ଦୌଡ଼ ପାଇଁ ଦାୟୀ । ଏହାର ଅର୍ଥ ନୁହେଁ ଯେ, ସେମାନେ ଶାରୀରିକ ଦୃଷ୍ଟିରୁ ଦୁର୍ବଳ । କମ୍‌ ବପୁବିଶିଷ୍ଟ ହେବା ସତ୍ତେ୍ୱ ସେମାନେ ବୁଦ୍ଧିମାନ । ଏହି ଦୌଡ଼ ଦୁର୍ବଳତା ନୁହେଁ, ବରଂ ବୁଦ୍ଧିମତ୍ତା । ଅନ୍ୟମାନଙ୍କ ଶିକାର ନହେବା ପାଇଁ ସେମାନେ ଦୌଡ଼ି ପଳାନ୍ତି ବା ଲୁଚିଯାନ୍ତି । ପୁଣି ସେମାନଙ୍କ ବଂଶଜ ଗଞ୍ଜାମାନେ ଲଢ଼େଇ କରିବାପାଇଁ ଆଗଭର ହେବା କଥା ଆମେ ଜାଣୁ । ସେମାନେ ଯୁଦ୍ଧକ୍ଷେତ୍ରରୁ ଛତ୍ରଭଙ୍ଗ ଦେଇନଥାନ୍ତି । କିନ୍ତୁ ଆମେ ସେମାନଙ୍କୁ ଦୁର୍ବଳ ବୋଲି ଆଖ୍ୟା ଦେଇ ସେମାନଙ୍କ ଚରିତ୍ର ସଂହାର କରୁଛୁ ।

ଅଷ୍ଟ୍ରେଲିଆନ ରାଇଟର୍‌ସ ସେଣ୍ଟାର୍‌ର ଆଲୋଚନାରୁ ଜଣାଯାଏ ଯେ, କୁକୁଡ଼ାକୁ ଭିତ୍ତିହୀନ ଓ ଅଣ-ବୈଜ୍ଞାନିକ ଭାବେ ବଦନାମ କରାଯାଉଛି । (ସୂତ୍ର: ଡିନ କୁରେ, କୋରା) ପାଶ୍ଚାତ୍ୟ ଦେଶରେ ଚଉଦ ଶତାବ୍ଦୀରେ ଏମିତି ଧାରାର ପ୍ରାରମ୍ଭ ହୋଇଥିଲା । ଫଳରେ ଭୀରୁମାନଙ୍କୁ ଚିକେନ- ହାର୍ଟେଡ଼, ସ୍ତ୍ରୀ’ଦ୍ୱାରା ବଶୀଭୂତ ସ୍ୱାମୀକୁ ହେନପେକଡ଼ ବୋଲି ଆଖ୍ୟା ଦିଆଯାଉଛି । କିନ୍ତୁ ଏହା ନିରାଧାର । ବାସ୍ତବରେ ସେମାନେ ଶାରୀରିକ ଦୌର୍ବଲ୍ୟ ଯୋଗୁଁ ପଳାୟନପନ୍ଥୀ ହୋଇନଥିଲେ । ତାହେଲେ ଏହା ପଛରେ କ'ଣ କାରଣ ହୋଇପାରେ? ଏହାର ଉତ୍ତର ହେଉଛି ସେମାନଙ୍କ ମାନସିକତା । ଯଦି ଆହତ କୁକୁଡ଼ାଟି କୌତୂହଳୀ ହୋଇ ଧୈର୍ଯ୍ୟର ସହ ପରିସ୍ଥିତିକୁ ଲକ୍ଷ୍ୟ କରିଥାନ୍ତା, ତେବେ ସେ ସହଜରେ ବୁଝିପାରିଥାନ୍ତା ଯେ, ଆକାଶ ତା' ମୁଣ୍ଡ ଉପରେ ଲଦିହେବନାହିଁ । ତା'ପରେ ସେ ଆଶ୍ୱସ୍ତ ହୋଇ ଶାନ୍ତିରେ ନିଃଶ୍ୱାସ ମାରିଥାନ୍ତା । ତଥାପି ଏହା ଅସ୍ୱୀକାର କରିହେବ ନାହିଁ ଯେ, ଆକାଶରୁ ବସ୍ତୁ ପୃଥିବୀରେ ଭୂପତିତ ହୋଇଥାଏ । ତେଣୁ ବିଶେଷ ପରିସ୍ଥିତିରେ ଆତ୍ମରକ୍ଷାତ୍ମକ ପଦକ୍ଷେପ ନେବା ଉଚିତ । ବିଶ୍ୱସ୍ତରରେ ଏବଂ ସ୍ଥାନୀୟ ଭାବେ ବ୍ୟକ୍ତିଗତ ଓ ସାମୂହିକ ପ୍ରଚେଷ୍ଟାରେ ସମ୍ଭାବ୍ୟ ବିପଦରୁ ବର୍ତ୍ତିବା ଅବଶ୍ୟ ଗୋଟିଏ ବଡ଼ ସମସ୍ୟା । ଆକାଶ ସଂପର୍କରେ ଚିନ୍ତା କରିବାବେଳେ ବିଭିନ୍ନ ଘଟଣାବଳୀ ଆମ ମନକୁ ଆନ୍ଦୋଳିତ କରିଥାଏ ।

ଆକାଶସ୍ଥ ବା ଆକାଶୀୟ ପିଣ୍ଡ (ହେଭେନ୍‌ଲି ବଡି) ମଧ୍ୟରେ ଆମେ ଜାଣିଛେ ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ, ଉପଗ୍ରହ, ନକ୍ଷତ୍ର, କ୍ଷୁଦ୍ରଗ୍ରହ (ଏଷ୍ଟିରଏଡ), ଧୂମକେତୁ (କମେଟ), ଆକାଶଗଙ୍ଗା (ମିଲ୍‌କି ୱେ) ଇତ୍ୟାଦି । ଖଗୋଳୀୟ ଘଟଣାବଳୀ ମଧ୍ୟରେ ଅନ୍ତର୍ଭୁକ୍ତ ସୂର୍ଯ୍ୟୋପରାଗ, ଚନ୍ଦ୍ରଗ୍ରହଣ, ଉଲ୍‌କାପାତ (ମେଟିଅର ସାୱାର), ଖଣ୍ଡ ବିଖଣ୍ଡିତ ତାରା (ସୁଟିଂ ଷ୍ଟାର), ପ୍ଲାନେଟ ପେରେଡ଼ (କେତେକ ଗ୍ରହ ଗୋଟିଏ ସରଳରେଖାରେ ରହିବା ସ୍ଥିତି, ଯାହାର ଦୃଷ୍ଟାନ୍ତ ୨୮ ଫେବ୍ରୁଆରୀ ୨୦୨୬ ଛଅଟି ଗ୍ରହର ସମ୍ଭାବିତ ସମାବେଶ), ଆରୋରା ବା ଧ୍ରୁବୀୟ ଜ୍ୟୋତି, ଆଜିକାଲି ଯନ୍ତ୍ରଦ୍ୱାରା ଦୃଶ୍ୟମାନ କୃତ୍ରିମ ଗ୍ରହର ଚଳନ ଇତ୍ୟାଦି । ଏମାନଙ୍କ ମଧ୍ୟରୁ ଯେଉଁ କେତୋଟି ଆକାଶୀୟ ପିଣ୍ଡ ଉପରେ ବିଶେଷ ଆଲୋଚନା କରାଯାଇପାରେ, ତାହା ହେଉଛି ଧୂମକେତୁ ବା ଲଞ୍ଜାତାରା, ଗ୍ରହାଣୁ ବା କ୍ଷୁଦ୍ରଗ୍ରହ ଏବଂ ଉଲ୍‌କା ଓ ଉଲ୍‌କାପିଣ୍ଡ । ଜନଜୀବନ ସହ ଏମାନଙ୍କ ସଂପୃକ୍ତି ଉଲ୍ଲେଖନୀୟ । ଗୋଟିଏ ଦୃଷ୍ଟାନ୍ତ ଭାବେ ଧୂମକେତୁକୁ ନିର୍ବାଚନ କରାଯାଇପାରେ । ଏହା ହେଉଛି ଏକ ପୁଚ୍ଛଯୁକ୍ତ ତାରା, ଯାହା ସୂର୍ଯ୍ୟ ଚାରିପଟେ ଘୂରୁଥିବା କିଛି ଅସ୍ପଷ୍ଟ ପଦାର୍ଥ ।

ସାଧାରଣତଃ ଏହା ବରଫ, ଧୂଳି ଏବଂ ହିମ ଶୀତଳ ଗ୍ୟାସଦ୍ୱାରା ଗଢ଼ିଉଠିଛି । ତେଣୁ ଏହା ଡାର୍ଟି ସ୍ନୋବଲ ବା ‘ଡାର୍ଟ ଆଇସବଲ' ଭାବେ ନାମିତ । ଆମ ବାୟୁମଣ୍ଡଳରେ ପ୍ରବେଶ କରିବାବେଳେ ଘର୍ଷଣ ଓ ଉତ୍ତାପ ଯୋଗୁଁ ବାଷ୍ପୀଭୂତ ହୋଇଯିବାରୁ ସେମାନେ ସାଧାରଣତଃ ଅକ୍ଷତ ଭାବେ ପୃଥିବୀପୃଷ୍ଠରେ ପ୍ରବେଶ କରିପାରିନଥାନ୍ତି । ଏହାକୁ ଏକ ଅଶୁଭ ସଂକେତ ବୋଲି ବିଚାର କରାଯାଏ । ଏହା ପଛରେ ଐତିହାସିକ ଦୃଷ୍ଟାନ୍ତ ଭୁଲ୍‌ବଶତଃ ଅଦ୍ୟାବଧି ତିଷ୍ଠିରହିଛି । ଦୀର୍ଘକାଳୀନ ଭୟଙ୍କର ହିଂସା, ପ୍ଲେଗ, ମରୁଡ଼ି ତଥା ସାଂପ୍ରଦାୟିକ ଖ୍ରୀଷ୍ଟୀୟ ଧର୍ମଯୁଦ୍ଧ (୧୬୧୮- ୧୬୪୮) ଦୀର୍ଘ ତିରିଶ ବର୍ଷ ଧରି ଚାଲିଥିଲା । ଏଥିରେ ସାଢ଼େ ଚାରିରୁ ଆଠ ନିୟୁତ ଲୋକ ପ୍ରାଣ ହରାଇଥିଲେ । ‘ପବିତ୍ର ରୋମାନ ସାମ୍ରାଜ୍ୟ'ରେ ସଂଘଟିତ ଉକ୍ତ ବିନାଶକାରୀ ଘଟଣାର କାରଣ ଭାବେ ସେତେବେଳେ ପରିଦୃଷ୍ଟ ସି/୧୬୧୮ ଡବ୍ଲୁ ୱାନ (ଦି ଗ୍ରେଟ କମେଟ ଅଫ ୧୬୧୮)କୁ ଦାୟୀ କରାଗଲା । ଏହା ଈଶ୍ୱରଙ୍କ ଦଣ୍ଡଭାବେ ପ୍ରଚାରିତ ହେଲା । କିନ୍ତୁ କାରଣ ଅନ୍ୟତ୍ର । ଜନସାଧାରଣଙ୍କ ମତରେ ଦୋଷୀ ହେଲେ ଧୂମକେତୁ ଓ ସ୍ରଷ୍ଟା ଈଶ୍ୱର ।

କହିବା ବାହୁଲ୍ୟ ଯେ, ଏହି ଅତି ଉଜ୍ଜ୍ୱଳ ଧୂମକେତୁ ଖାଲିଆଖିରେ ଦେଖାଯାଉଥିଲା । କିନ୍ତୁ ଏହା ପୃଥିବୀକୁ ସ୍ପର୍ଶ କରିନଥିଲା । ତଥ୍ୟାନୁସାରେ, ୨୫ ନଭେମ୍ବର ୧୬୧୮ରେ ଆବିଷ୍କୃତ ଉକ୍ତ ଲଞ୍ଜାତାରାଟି ୬ ଡିସେମ୍ବର ୧୬୧୮ରେ ପୃଥିବୀର ନିକଟତମ ଦୂରତାରେ ପହଞ୍ଚିଥିଲା, ଯାହା ହେଉଛି ସୁଦୀର୍ଘ ୫୪ ନିୟୁତ କିଲୋମିଟର । ଏତେ ଦୂରରେ ଥିଲେ ମଧ୍ୟ ପୃଥିବୀର ବିଭିନ୍ନ ଉପଦ୍ରବ ପାଇଁ ତାକୁ ଦୋଷ ଦେବା ଆମ ଅଜ୍ଞତାର ସୂଚକ । ଏମିତି କାକତାଳୀୟ ନ୍ୟାୟକୁ ବିଜ୍ଞାନ ପ୍ରତ୍ୟାଖ୍ୟାନ କରେ । ଏହି ମର୍ମରେ ଲୋକକଥାର କୁକୁଡ଼ା ଓ ଆମର ତତ୍କାଳୀନ ଚିନ୍ତାଧାରା ମଧ୍ୟରେ ବିଦ୍ୟମାନ ଅଣବୈଜ୍ଞାନିକ ମନୋଭାବ । ବାସ୍ତବରେ ଏଥିମଧ୍ୟରେ ବିଶେଷ ପ୍ରଭେଦ ନାହିଁ । ଆତଙ୍କିତ ହୋଇ ଆମେ ଯେଉଁ କାରଣ ଦର୍ଶାଉଥିଲେ, ତାହା ସହଜ ହୋଇପାରେ । କିନ୍ତୁ ଭ୍ରମାତ୍ମକ, ତେଣୁ ବର୍ଜନୀୟ । ଏହା ଆମକୁ ଅନୁପ୍ରାଣିତ କରୁ ଯେ, କୌଣସି ପ୍ରାକୃତିକ ଘଟଣାକୁ ଈଶ୍ୱରଙ୍କ ଦଣ୍ଡ ବୋଲି ବିଚାର କରି ବିଶ୍ଳେଷଣରୁ ନିବୃତ୍ତ ହେବା ଏକ ଗୁରୁତର ପ୍ରସଙ୍ଗ । ଏହାର ପ୍ରଭାବରେ ଆମେ କୁସଂସ୍କାରର ଅନ୍ଧାରରୁ ମୁକ୍ତ ହୋଇ ଆଧୁନିକ, ଯୁକ୍ତିସଂଗତ, ବୈଜ୍ଞାନିକ ବାତାବରଣ ସୃଷ୍ଟି କରିପାରିବା ଦୁରୂହ ବ୍ୟାପାର । ଆମେ ଶାରୀରିକ ଭାବେ ଦୁର୍ବଳ ନହେଲେ ସୁଦ୍ଧା ଲୋକକଥାର କୁକୁଡ଼ା ପରି ପଳାୟନ ପନ୍ଥା ଅବଲମ୍ବନ କରି ଅବୋଧ ଓ ଅଜ୍ଞାନୀ ଯେମିତି ନହେବା, ତାହା ଗୁରୁତ୍ୱପୂର୍ଣ୍ଣ । କାହାଣୀରେ କୁକୁଡ଼ା ମରିଯାଇଥିଲା । ତେବେ ସେହି ପ୍ରକାରେ ଆମର କୌତୂହଳ, ଜିଜ୍ଞାସା ଓ ବିଚାରଶକ୍ତି ଯେମିତି ମୃତ ନହେଉ, ତାହା ବାଞ୍ଛନୀୟ । 

​​​​​​​