ବ୍ରହ୍ମପୁର,୧୫/୫ : ଚିକିଟି ନିର୍ବାଚନ ମଣ୍ଡଳୀର ପାତିସୋନପୁର ଗାଁରେ ମା’ ଠାକୁରାଣୀ ଯାତ୍ରାକୁ ନେଇ ଗଣ୍ଡଗୋଳ ଓ ୨୨ ଜଣଙ୍କୁ ଗିରଫ ଘଟଣାରେ ବ୍ରହ୍ମପୁର ଏସପି ଓ ଉପଜିଲ୍ଲାପାଳଙ୍କୁ ଭେଟିଲା ବିଜେଡି ପ୍ରତିନିଧି ଦଳ । ସାକ୍ଷାତ କରି ଗାଁରେ ଶାନ୍ତି ପ୍ରତିଷ୍ଠା ରକ୍ଷା କରିବାକୁ ବ୍ରହ୍ମପୁର ଏସପି ଓ ଉପଜିଲ୍ଲାପାଳଙ୍କୁ ନିବେଦନ କରିଛି ଏହି ଦଳ । ଗତ ୧୧ତାରିଖରେ ଗାଁରେ ମା’ ଠାକୁରାଣୀ ଯାତ୍ରାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବାଦ ବିବାଦ ସୃଷ୍ଟି ହେବା ସହ ଗଣ୍ଡଗୋଳ ହୋଇଥିଲା ।
ପରେ ପୋଲିସ ଉପରକୁ ଟେକା ପଥର ମାଡ଼ କରିଥିଲେ । ଏଥିରେ ଏକାଧିକ ଲୋକେ ଆହତ ହୋଇଥିଲେ । ଏହି ଘଟଣାରେ ପୋଲିସ ୧୮ ଜଣ ମହିଳା ଓ ୪ଜଣ ପୁରୁଷ ମୋଟ୍ ୨୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପୋଲିସର ଏଭଳି ଏକ ତରଫା ଗିରଫଦାରୀକୁ ବିଜେଡି ପ୍ରତିନିଧି ଦଳ ନାପସନ୍ଦ କରିଥିବାବେଳେ ଉଚିତ ପଦକ୍ଷେପ ଗ୍ରହଣ କରିବା ସହ ଗାଁରେ ଶାନ୍ତି ପ୍ରତିଷ୍ଠା କରିବାକୁ ନିବେଦନ କରିଛନ୍ତି । ଶତାଧିକ ଲୋକେ ଗାଁ ଛାଡ଼ି ଚାଲି ଯାଇଥିବାବେଳେ ସେମାନଙ୍କୁ ଗାଁକୁ ଫେରାଇ ଆଣିବାକୁ ବିଜେଡି ପୋଲିସ ଓ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛି । ସେପଟେ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯାଇଛି। ଫେରାର ଥିବା ଅନ୍ୟମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଏସପି କହିଛନ୍ତି ।