ୱାଶିଂଟନ ଡିସି,୧୭/୦୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ  ଟ୍ରମ୍ପ୍‌ ଏବେ କିଛି ପ୍ରମୁଖ ଗଣମାଧ୍ୟମ ସଂସ୍ଥାଙ୍କୁ ଟାର୍ଗେଟ୍‌ କରିଛନ୍ତି । ସେମାନେ ଏଣିକି ରାଷ୍ଟ୍ରପତିଙ୍କ ବିଭିନ୍ନ ଗତିବିଧିକୁ ସିଧାସଳଖ ଭାବେ କଭର୍‌ କରିପାରିବେ ନାହିଁ । ଅନ୍ୟ ପ୍ରମୁଖ ସଂସ୍ଥାଠାରୁ ଏହା  ସେମାନଙ୍କୁ ହାସଲ କରିବାକୁ ପଡ଼ିବ । ଏହି ସୁବିଧା ସେମାନଙ୍କଠାରୁ ଛଡ଼ାଇ ନେଇଛି ହ୍ୱାଇଟ୍‌ ହାଉସ୍‌ । ଟ୍ରମ୍ପ୍‌ ପ୍ରଶାସନ ହ୍ୱାଇଟ୍‌ ହାଉସ୍‌ ପ୍ରେସ୍‌ ପୁଲ୍‌ରୁ ରଏଟର୍ସ, ବ୍ଲୁମ୍‌ବର୍ଗ ଏବଂ ଆସୋସିଏଟେଡ୍‌ ପ୍ରେସ୍‌ (ଏପି) ନ୍ୟୁଜ୍‌ ଏଜେନ୍ସିକୁ ବାଦ୍‌ ଦେବା ଲାଗି ନିଷ୍ପତ୍ତି ନେଇଛି । ପ୍ରେସ୍‌ ପୁଲ୍‌ରେ ଏଣିକି ଏହି  ୩ଟି ଏଜେନ୍ସିଙ୍କୁ ସ୍ଥାୟୀ ଜାଗା ମିଳିବ ନାହିଁ ବୋଲି ହ୍ୱାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି ।  

ଉଲ୍ଲେଖଯୋଗ୍ୟ, ପ୍ରେସ୍‌ ପୁଲ୍‌ ହେଉଛି  ଏକ ଛୋଟ ଗ୍ରୁପ୍‌, ଯେଉଁଥିରେ ପ୍ରାୟ ୧୦ଟି  ଗଣମାଧ୍ୟମ ସଂସ୍ଥା ରହିଥାନ୍ତି । ଏଥିରେ କିଛି  ସାମ୍ବାଦିକ ଓ ଫଟୋଗ୍ରାଫର ସାମିଲ ଥାଆନ୍ତି ।  ଏମାନେ ରାଷ୍ଟ୍ରପତିଙ୍କ ଛୋଟବଡ଼ ଗତିବିଧିକୁ  ସିଧାସଳଖ କଭର୍‌ କରିଥାନ୍ତି । ଏହାପରେ  ଅନ୍ୟ ସାମ୍ବାଦିକଙ୍କୁ ସେୟାର କରିଥାଆନ୍ତି । 

ଟ୍ରମ୍ପ୍‌ ପ୍ରଶାସନ ଏଭଳି କରି ୧୧୧  ବର୍ଷର ପୁରୁଣା ପରମ୍ପରାକୁ ବଦଳାଇ  ଦେଇଛି । ହ୍ୱାଇଟ୍‌ ହାଉସ୍‌ ପ୍ରେସ୍‌ ପୁଲ୍‌ର ଆରମ୍ଭ ୧୯୫୦ ଦଶକରେ ତତ୍‌କାଳୀନ  ରାଷ୍ଟ୍ରପତି ଡ୍ୱାଇଟ୍‌ ଆଇଜନହାୱରଙ୍କ ସମୟରେ ହୋଇଥିଲା । ରାଷ୍ଟ୍ରପତିଙ୍କ ଗତିବିଧି କଭର୍‌ ପାଇଁ ସାମ୍ବାଦିକଙ୍କ ପ୍ରବଳ ଭିଡ଼ ହେବାରୁ ସମସ୍ୟା  ଉପୁଜିଥିଲା । ସମାଧାନ ସ୍ୱରୂପ ପ୍ରମୁଖ  ସାମ୍ବାଦିକଙ୍କୁ ନେଇ ଏକ ଛୋଟ ଗ୍ରୁପ୍‌  ବନାଯାଇଥିଲା । ଏହାର ନାମ ପ୍ରେସ୍‌  ପୁଲ୍‌ ରଖାଯାଇଥିଲା । ପ୍ରେସ୍‌ ପୁଲ୍‌ରେ  କେଉଁ ଗଣମାଧ୍ୟମ ସଂସ୍ଥା ରହିବେ, ତାହା ଧାର୍ଯ୍ୟ କରିବା ଦାୟିତ୍ୱ ହ୍ୱାଇଟ୍‌  ହାଉସ୍‌ କରେସପଣ୍ଡେନ୍ସ ଆସୋସିଏସନ  (ଡବ୍ଳ୍ୟୁଏଚ୍‌ସିଏ) ପାଖରେ ରହିଛି ।