ନୂଆଦିଲ୍ଳୀ,୨୫।୪: ଅଶୋକ କୁମାର ଲାହିରୀଙ୍କୁ ନୀତି ଆୟୋଗର ଉପାଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି। ତାଙ୍କ ସହିତ ରାଜୀବ ଗୌବା, ପ୍ରଫେସର କେଭି ରାଜୁ, ପ୍ରଫେସର ଗୋବର୍ଦ୍ଧନ ଦାସ, ଡକ୍ଟର ଏମ୍ ଶ୍ରୀନିବାସ ଏବଂ ପ୍ରଫେସର ଅଭୟ କରାଣ୍ଡିକର ମଧ୍ୟ ଏହି କମିଶନର ପୂର୍ଣ୍ଣକାଳୀନ ସଦସ୍ୟ ଅଛନ୍ତି। ଏହି ନିଯୁକ୍ତି ପରେ, ଅଶୋକ ଲାହିରୀ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୀତି ଆୟୋଗର ନୂତନ ଉପାଧ୍ୟକ୍ଷ ଅଶୋକ କୁମାର ଲାହିରୀ ଏବଂ ଗୋବର୍ଦ୍ଧନ ଦାସଙ୍କୁ ଏବଂ ପୂର୍ଣ୍ଣକାଳୀନ ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଶୁକ୍ରବାର ସରକାର ଲାହିରୀଙ୍କୁ ନୀତି ଆୟୋଗର ଉପାଧ୍ୟକ୍ଷ ଭାବରେ ନିଯୁକ୍ତ କରିଛନ୍ତି। ବୈଜ୍ଞାନିକ ଗୋବର୍ଦ୍ଧନ ଦାସଙ୍କୁ ମଧ୍ୟ କମିଶନର ସଦସ୍ୟ ଭାବରେ ନିଯୁକ୍ତ କରାଯାଇଛି। ପ୍ରଧାନମନ୍ତ୍ରୀ ନିଜେ ନୀତି ଆୟୋଗର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରନ୍ତି, ଯାହା ନୀତି ନିର୍ଦ୍ଧାରଣ ପାଇଁ ଏହି ନିଯୁକ୍ତିକୁ ଗୁରୁତ୍ୱପୂର୍ଣ୍ଣ କରିଥାଏ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ ପରେ, ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଥିଲେ ଲାହିରୀ। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ହେଉଛି ୨୦୪୭ ସୁଦ୍ଧା ଭାରତକୁ ‘ବିକଶିତ ଭାରତ’ କରିବା, ଏବଂ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଠୋସ୍ ଏବଂ ପ୍ରଭାବଶାଳୀ ନୀତି ପ୍ରଣୟନ କରାଯିବା ଆବଶ୍ୟକ।
ଲାହିରୀ ତାଙ୍କ ନିଯୁକ୍ତିକୁ ପଶ୍ଚିମବଙ୍ଗର ଦୀର୍ଘକାଳୀନ ଶିକ୍ଷା ନୀତିକୁ ଶ୍ରେୟ ଦେଇ କହିଛନ୍ତି ଯେ ରାଜ୍ୟର ଶିକ୍ଷାଗତ ଐତିହ୍ୟ ତାଙ୍କ ସଫଳତାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ସେ ଏହାକୁ ପଶ୍ଚିମବଙ୍ଗ ପାଇଁ ଏକ ଗର୍ବର ମୁହୂର୍ତ୍ତ ବୋଲି କହିଥିଲେ। ତଥାପି, ସେ ରାଜ୍ୟର ବର୍ତ୍ତମାନର ପରିସ୍ଥିତି ବିଷୟରେ ମଧ୍ୟ ଚିନ୍ତା ପ୍ରକାଶ କରିଥିଲେ। ତାଙ୍କର କହିବା ଅନୁସାରେ, ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଗୁଜରାଟ ଭଳି ଅପେକ୍ଷାକୃତ ବିକଶିତ ରାଜ୍ୟ ତୁଳନାରେ ପଶ୍ଚିମବଙ୍ଗ ପଛରେ ରହିଛି। ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଥିଲେ। କହିଥିଲେ ଯେ, ସେ ରାଜ୍ୟରେ ପରିବର୍ତ୍ତନ ଓ ବିକାଶର ପ୍ରତିଶୃତି ଦେଇଥିଲେ, କିନ୍ତୁ ତାକୁ ପୁରା କରିପାରିଲେନି। ଏବେ ଦେଖିବାର ଅଛି ଆଗାମୀ ସମୟରେ ପଶ୍ଚିମ ବଙ୍ଗଳାରେ କୌଣସି ବାସ୍ତବିକ ଭାବରେ ପରିବର୍ତ୍ତନ ହେଉଛି କିମ୍ବା ହେଉନି। ଲାହିରୀ ବର୍ତ୍ତମାନ ପଶ୍ଚିମବଙ୍ଗର ବିଜେପି ବିଧାୟକ ଏବଂ ଦେଶର ସବୁଠାରୁ ବରିଷ୍ଠ ଅର୍ଥନୀତିଜ୍ଞଙ୍କ ମଧ୍ୟରୁ ଅନ୍ୟତମ। ତାଙ୍କର ଚାରି ଦଶନ୍ଧିରୁ ଅଧିକ ସମୟ ଧରି କ୍ୟାରିଅର ରହିଛି, ସେ ଭାରତ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଏବଂ ପଞ୍ଚଦଶ ଅର୍ଥ କମିଶନର ସଦସ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି।
ଅଶୋକ କୁମାର ଲାହିରୀଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଇନଷ୍ଟାଗ୍ରାମରେ ମଧ୍ୟ ପୋଷ୍ଟ କରିଥିଲେ। ଏଥିରେ ସେ ତାଙ୍କୁ ନୀତି ଆୟୋଗର ଉପାଧ୍ୟକ୍ଷ ଭାବରେ ନିଯୁକ୍ତି ପାଇଁ ଅଭିନନ୍ଦନ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଅର୍ଥନୀତି ଏବଂ ସାର୍ବଜନୀନ ନୀତିରେ ତାଙ୍କର ବ୍ୟାପକ ଅଭିଜ୍ଞତା ଭାରତର ସଂସ୍କାର ପଥକୁ ଆହୁରି ମଜବୁତ କରିବ ଏବଂ 'ବିକଶିତ ଭାରତ' ହେବା ଦିଗରେ ଏହାର ପ୍ରଗତିରେ ସାହାଯ୍ୟ କରିବ। ମୁଁ ନିଶ୍ଚିତ ଯେ ତାଙ୍କର ପ୍ରୟାସ ଆମ ଦେଶର ନୀତି ନିର୍ଦ୍ଧାରଣ ପ୍ରକ୍ରିୟାକୁ ଆହୁରି ଗତିଶୀଳ କରିବ। ଏକ ସଫଳ କାର୍ଯ୍ୟକାଳ ପାଇଁ ମୋର ଶୁଭକାମନା।’