ନୂଆଦିଲ୍ଲୀ, ୧୦/୦୭ : ମା' ସହ ବସ୍‌ ରେ ଯାତ୍ରା କରୁଥିଲା ଜଣେ କୁନି ଝିଅ। ସେହି ବସ୍‌ ରେ କଣ୍ଡକ୍ଟର ଥିଲେ ତାଙ୍କ ବାପା। ଏତିକି ବେଳେ ବସ୍‌ରେ ହୋଇଗଲା ଖଚାଖଚ୍ ଭିଡ଼। କୁନି ଝିଅଟିର ମା ବସିଥିବା ସିଟ୍ ପଛପଟେ ସପୋର୍ଟ ପାଇଁ ହାତ ରଖିଥିଲେ ଜଣେ ଅଜଣା ଯାତ୍ରୀ। ଅସୁବିଧା ହେବାରୁ ହାତ ହଟାଇବାକୁ ବିନମ୍ରତାର ସହ କହିଲେ ମହିଳା ଜଣଙ୍କ। ହେଲେ ହାତ ହଟାଇବା ବଦଳରେ ମହିଳାଙ୍କୁ ବେଜିତ୍ କରିବାକୁ ଲାଗିଲେ ଯାତ୍ରୀ ଜଣଙ୍କ। କହିଲେ ତୁମେ କଣ ଡିସି ? ତୁମ କଥା ଆମକୁ ମାନିବାକୁ ପଡ଼ିବ। ବାସ୍ କଥା ଥିଲା ଏତିକି। ସେଦିନର ସେହି ଡିସି ଶବ୍ଦ ଶୁଣି ଭାବନାରେ ପଡ଼ିଯାଇଥିଲା କୁନି ଝିଅଟି। ଏହି ଡିସି ପୁଣି କିଏ ? ସେ କଣ ଏତେ ପାୱାରଫୁଲ୍ ଯେ ତାଙ୍କ କଥା ସମସ୍ତେ ମାନନ୍ତି। 

ସେଦିନ ମାଙ୍କ ତିରସ୍କାର ଶୁଣି ତୁନି ରହିଥିବା କୁନି ଝିଅଟି ସ୍ଥିର କରିସାରିଥିଲା ଯେ, ବଡ଼ ହେଲେ ସେ ଡିସି ହେବ। ସେଦିନର ସେହି କୁନି ଝିଅଟି ହେଉଛନ୍ତି ଆଇପିଏସ୍ ଅଫିସର ଶାଳିନୀ ଅଗ୍ନିହୋତ୍ରୀ। ୧୦ ଶ୍ରେଣୀରେ ପଢିଲା ବେଳକୁ ସେ ବୁଝି ସାରିଥିଲେ ଯେ, ଜିଲ୍ଲା କଲେକ୍ଟର ଏବଂ ଏସପି ପଦ ହେଉଛି ପ୍ରଶାସନିକ ବ୍ୟବସ୍ଥାର ଦୁଇଟି ପ୍ରମୁଖ  ପଦବୀ।

ହିମାଚଳ ପ୍ରଦେଶର ଉନା ଜିଲ୍ଲାର ଶାଳିନୀ ଅଗ୍ନିହୋତ୍ରୀ। ତାଙ୍କ ପିତା ହିମାଚଳ ରୋଡୱେଜ୍ ରେ ବସ୍ କଣ୍ଡକ୍ଟର ଥିଲେ। ଧର୍ମଶାଳାରେ ସ୍କୁଲ ଶିକ୍ଷା ସମାପ୍ତ ହେବା ପରେ ଶାଳିନୀ ହିମାଚଳ ପ୍ରଦେଶ ୟୁନିଭରସିଟିରେ ଏଗ୍ରିକଲଚରରେ ଗ୍ରାଜୁଏସନ ଏବଂ ପରେ ପୋଷ୍ଟ ଗ୍ରାଜୁଏସନ କଲେ। ୧୦ମରେ ସେ ୯୨ ପ୍ରତିଶତ ଏବଂ ଦ୍ଵାଦଶରେ ୭୭ ପ୍ରତିଶତ ନମ୍ଵର ରଖିଥିଲେ। ଗ୍ରାଜୁଏସନ କରିବା ବେଳେ ପରିବାର ଲୋକଙ୍କୁ ନଜଣାଇ ୟୁପିଏସସି ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। ୨୦୧୧ରେ ସେ ପ୍ରଥମ ଚେଷ୍ଟାରେ ବିନା କୋଚିଂରେ ଅଲ୍ ଇଣ୍ଡିଆ ରାଙ୍କରେ ୨୮୫ତମ ସ୍ଥାନରେ ରହି ଆଇପିଏସ୍ ଅଫିସର ହୋଇଥିଲେ। ତାଙ୍କୁ ହିମାଚଳ କ୍ୟାଡର ଆଲର୍ଟ ହୋଇଥିଲା। 

ପିଲାଦିନେ ଶାଳିନୀ ଟମ୍ ବୟ ଭଳି ଦେଖାଯାଉଥିଲେ। ପୁଅମାନଙ୍କ ସହ ମିଶି କ୍ରିକେଟ୍, କୁଆବାଡି ଖେଳୁଥିଲେ। ତାଙ୍କ ଆତ୍ମବିଶ୍ଵାସ ବଢାଇବାରେ ତାଙ୍କ ମାଙ୍କ ବଡ଼ ଅବଦାନ ରହିଛି। ସେ ୭ମ ଶ୍ରେଣୀରେ ପଡ଼ିଲା ବେଳକୁ ତାଙ୍କ ମା ବ୍ୟାଙ୍କରେ ଟଙ୍କା ଜମା କରିବା ପାଇଁ ଏକୁଟିଆ ପଠାଉଥିଲେ। ସେ ପାଠ ପଢିବା ପାଇଁ ଯେତେବେଳେ ଟଙ୍କା ମାଗୁଥିଲେ, ତାଙ୍କ ବାପା ଅସୁବିଧା ସତ୍ତ୍ଵେ ଟଙ୍କା ଯୋଗାଡ଼ କରି ବଢାଇ ଦେଉଥିଲେ। ଶାଳିନୀ ଏବେ ଦେଶର ଲୋକପ୍ରିୟ ଆଇପିଏସ୍ ଅଫିସରଙ୍କ ମଧ୍ୟରୁ ଜଣେ। ଫେମ୍ ଇଣ୍ଡିଆ ମାଗାଜିନର ସର୍ଭେରେ ଦେଶର ୫୦ ଟପ୍ ଆଇପିଏସ୍ ଙ୍କ ମଧ୍ୟରେ ଶାଳିନୀଙ୍କ ନାମ ଥିଲା। ଚଳିତ ବର୍ଷ ଜାନିଆରୀରେ ତାଙ୍କୁ ଡିଆଇଜି ପଦ ପାଇଁ ପ୍ରମୋସନ ମିଳିଛି। ତାଙ୍କ ସ୍ଵାମୀ ସଙ୍କଳ୍ପ ଶର୍ମା ମଧ୍ୟ ଜଣେ ଆଇପିଏସ୍ ଅଫିସର।.. 

ଆହୁରି ପଢନ୍ତୁ- ୪୩୦୦ କିମି ବେଗରେ ଆଖି ପିଛୁଳାକେ ଶତ୍ରୁର ହେବ ବିନାଶ, ବ୍ରହ୍ମୋସ-NGର ‘ସୁପର ସ୍ପିଡ୍’ ଟାର୍ଗେଟରେ ପାକିସ୍ତାନର କେଉଁ ସହର ?

Why Is Gate No.7 Opened First at Hirakud Dam ?| କାହିଁକି ପ୍ରଥମେ ଖୋଲାଯାଏ ହୀରାକୁଦର ୭ ନମ୍ବର ଗେଟ୍ ?