ନୂଆପଡ଼ା, ୧୪/୧୧ : ନୂଆପଡ଼ାରେ କିଏ ମାରିବ ବାଜି ? ଇଭିଏମ୍ରୁ ଖୋଲିବ ୧୪ ପ୍ରାର୍ଥୀଙ୍କ ଭାଗ୍ୟ। ସ୍ଥାନୀୟ ନ୍ୟାସନାଲ କଲେଜରେ ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ । ଫଳାଫଳକୁ ନେଇ ନେତା, କର୍ମୀ ଓ ସାଧାରଣ ଜନତାଙ୍କ ଭିତରେ ପ୍ରବଳ ଉତ୍କଣ୍ଠା । ନୂଆପଡ଼ା ଆସନର ବିଜୟ ମୁକୁଟ କିଏ ପିନ୍ଧିବ ତାକୁ ନେଇ ସମସ୍ତଙ୍କ ଛାତି ଏବେ ଦୁକୁଦୁକୁ । ସକାଳ ୮ଟାରେ ନ୍ୟାସନାଲ କଲେଜସ୍ଥିତ ଷ୍ଟ୍ରଙ୍ଗରୁମ ଖୋଲିବ । ପ୍ରଥମେ ବାଲଟ୍ ପେପର ଭୋଟ ଗଣତି ହେବ ଓ ସାଢ଼େ ୮ଟାରୁ ଇଭିଏମ୍ ଗଣତି ଆରମ୍ଭ ହେବ । ୩୫୮ଟି ବୁଥ ପାଇଁ ୧୪ଟି ଟେବୁଲରେ ୨୬ ରାଉଣ୍ଡ ଗଣତି ହେବ । ପ୍ରତି ଟେବୁଲରେ ଜଣେ ଗଣତି ସହାୟକ, ସୁପରଭାଇଜର, ମାଇକ୍ରୋ ପର୍ଯ୍ୟବେକ୍ଷକ ସମେତ ବହୁ ଅଧିକାରୀ ଓ କର୍ମଚାରୀ ନିୟୋଜିତ ହୋଇଛନ୍ତି ।
ରିଟର୍ଣ୍ଣିଂ ଅଫିସର ସେଠାରେ ଉପସ୍ଥିତ ରହି ଗଣତିକାର୍ଯ୍ୟ ତଦାରଖ କରିବେ ବୋଲି ଜିଲ୍ଲାପାଳ ମଧୁସୂଦନ ଦାଶ କହିଛନ୍ତି । ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେଣ୍ଟ୍ରାଲ ଆର୍ମ ପୁଲିସ ଫୋର୍ସ (ସିଏପିଏଫ) ଓ ଷ୍ଟେଟଆର୍ମ ପୁଲିସ ଫୋର୍ସ (ଏସଏପିଏଫ)ର ଯବାନ ସୁରକ୍ଷା ପାଇଁ ବ୍ୟବହୃତ ହୋଇଛନ୍ତି । କେବଳ ଅଧିକୃତ ଅଧିକାରୀ, କର୍ମଚାରୀ ଓ ଏଜେଣ୍ଟ ଭୋଟଗଣତି କେନ୍ଦ୍ର ଭିତରକୁ ଯାଇପାରିବେ । ନ୍ୟାସନାଲ କଲେଜ ମୁଖ୍ୟ ଗେଟର ଦୁଇ ପାର୍ଶ୍ୱରେ ଶହେ ମିଟର ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳ ଘୋଷଣା ହୋଇଛି । ଏଥିସହ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୁଲିସ ଫୋର୍ସ ନିୟୋଜିତ ହେବ । ଭୋଟ ଗଣତି ପାଇଁ ସମସ୍ତ ବ୍ୟବସ୍ଥା ହୋଇଥିବା ଏସପି ଅମ୍ରିତପାଲ ସିଂ ସୂଚନା ଦେଇଛନ୍ତି ।
ବିଜୟ ପାଇଁ ବିଜେପି, ବିଜେଡ଼ି ଓ କଂଗ୍ରେସ ଜୋରଦାର କସରତ କରିଛନ୍ତି । କିନ୍ତୁ ନୂଆପଡ଼ାର ଜନତା କାହାକୁ ବିଶ୍ୱାସ ଓ ଭରସା କରିଛନ୍ତି ତାହା ଆ ସ୍ପଷ୍ଟ ହେବ । ସନ୍ଧ୍ୟା ସୁଦ୍ଧା ନିର୍ବାଚନ ଫଳାଫଳ ପ୍ରାୟ ସ୍ପଷ୍ଟ ହୋଇଯିବ । ବିଜେପି, ବିଜେଡ଼ି ଓ କଂଗ୍ରେସ ସମେତ ୧୪ ଜଣ ପ୍ରାର୍ଥୀଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ । ବଡ଼ କଥା ହେଉଛି ୧୪ ତାରିଖରେ ୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ ୧୪ଟି ଗଣତି ଟେବୁଲରେ । ଶାସକ ଦଳ ବିଜେପିରୁ ଜୟ ଢୋଲକିଆ, ବିଜେଡ଼ିରୁ ସ୍ନେହାଙ୍ଗିନୀ ଛୁରିଆ ଓ କଂଗ୍ରେସରୁ ଘାସିରାମ ମାଝିଙ୍କ ମଧ୍ୟରେ କଡ଼ା ଟକ୍କର ହେଉଛି । ପ୍ରଚାର ପାଇଁ ୩ ପ୍ରମୁଖ ଦଳର ରାଜ୍ୟସ୍ତରୀୟ ନେତା ମାସେ ହେଲା ନୂଆପଡ଼ାରେ ଡେରା ପକାଇଥିଲେ ।