ଭୁବନେଶ୍ଵର : ଆଟଲାସ୍ ସାଇକେଲ୍... ସେକାଳରେ ଲୋକଙ୍କ ସୁନୁଗାଡ଼ି। ନାଇଣ୍ଟିଜ୍ ପିଲାଙ୍କ ପାଇଁ ଏକ ଇମୋସନ। ଦିନ ଥିଲା ପ୍ରତି ଭାରତୀୟ ପରିବାରର ସଦସ୍ୟ ଥିଲା ଆଟଲାସ୍। ଦୈନନ୍ଦିନ ଜୀବନରେ ଏକ ଅଭିନ୍ନ ଅଙ୍ଗ ପାଲଟିଥିଲା। ଦାଣ୍ଡ ଦୁଆରେ, ଘର ପିଣ୍ଡାରେ ଆଉଜା ହୋଇଥିବା ଏହି ସାଇକେଲ। ହେଲେ ଏମିତି କ’ଣ ହେଲା ଯେ, ହଠାତ୍ ବଜାରରୁ ଉଭେଇଗଲା ଏହି ପ୍ରଡକ୍ଟ । ବିଶ୍ଵର ତୃତୀୟ ସବୁଠୁ ବଡ଼ ସାଇକେଲ ନିର୍ମାତା କମ୍ପାନୀ ୨୦୨୦ ବେଳକୁ ବର୍ବାଦ ହୋଇଗଲା । 

କରାଚୀର ସଫଳ ସାଇକେଲ ପାର୍ଟ୍ସ ନିର୍ମାତା ଶ୍ରୀ ଜାନକୀ ଦାସ କପୁର। ବ୍ରିଟିଶ କାଳରେ ଛୋଟ ମୋଟ ସାଇକେଲ ପାର୍ଟ୍ସ ତିଆରି କରି କରୁଥିଲେ ବିକ୍ରି । ମାତ୍ର ୧୯୪୭ରେ ଦେଶ ବିଭାଜନ ହେବା ପରେ କରାଚୀରେ ସବୁକିଛି ଛାଡ଼ି ଭାରତ ଚାଲିଆସିଲେ । ଆଉ ହରିୟାଣାର ସୋନିପତରେ ପୁଣି ଥରେ ଆରମ୍ଭ କରିଥିଲେ ସାଇକେଲ୍ ଦୋକାନ । ଛୋଟ ମୋଟ ହାତ ତିଆରି ପାର୍ଟ୍ସ ବଜାରରେ ବିକ୍ରି କରୁଥିଲେ । ସେତେବେଳେ ଭାରତୀୟ ବଜାରରେ ଇମ୍ପୋର୍ଟେଡ ସାଇକେଲର ଦବଦବା ଥିଲା। ୧୯୫୧ରେ ଜାନକୀ ଦାସ ନିଜର ପୂର୍ବ ଅଭିଜ୍ଞତା ଓ କଠିନ ପରିଶ୍ରମ ବଳରେ ପ୍ରଥମ ଭାରତୀୟ ସାଇକେଲ ତିଆରି କଲେ। ଏଇଠୁ ପଡ଼ିଥିଲା ଆଟଲାସ୍ ସାଇକେଲର ମୂଳଦୁଆ। ଜାନକୀ ଦାସଙ୍କ କାରବାର ଧୀରେ ଧୀରେ ବଢିଥିଲା। ହେଲେ ୧୯୬୭ରେ ତାଙ୍କର ନିଧନ ହୋଇଗଲା। ଏହାପରେ ଆଟଲାସ ସାଇକେଲର କମାଣ ସମ୍ଭାଳିଲେ ତାଙ୍କର ତିନି ପୁଅ ବିଡି କପୁର, ଜୟଦେବ କପୁର ଏବଂ ଜଗଦୀଶ କପୁର। ତିନି ଭାଇଙ୍କ ପରିଶ୍ରମ ଏବଂ ଏକଜୁଟତା ବଳରେ ଆଟଲାସ୍ ନୂଆ ଶିଖର ଛୁଇଁଥିଲା । 

୧୯୭୧ରେ ସାହିବାବାଦରେ ଆଟଲାସର ଦ୍ଵିତୀୟ ପ୍ଲାଣ୍ଟ ଖୋଲିଲା। ଏହାପରେ ୧୯୮୦ରେ ମାଲନପୁରରେ ତୃତୀୟ ପ୍ଲାଣ୍ଟର ଉଦଘାଟନ କଲେ ତିନି ଭାଇ । ସେତେବେଳକୁ ସାରା ଦେଶରେ ଆଟଲାସ ସାଇକେଲର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି ହୋଇସାରିଥିଲା। ଉଭୟ ଗ୍ରାମୀଣ ଏବଂ ସହରାଞ୍ଚଳ ଲୋକଙ୍କ ଏହା ପ୍ରଥମ ପସନ୍ଦ ପାଲଟିଥିଲା। ୧୯୮୨ରେ ଭାରତ ଏସିଆନ ଗେମ୍ସର ହୋଷ୍ଟ କରିଥିଲା । କପୁର ବ୍ରଦର୍ସଙ୍କୁ ଏତିକି ବେଳେ ନିଜ ବ୍ରାଣ୍ଡ୍ ର ବିଶ୍ବବ୍ୟାପୀ ପ୍ରମୋସନ ପାଇଁ ବଡ଼ ସୁଯୋଗ ମିଳିଲା । ଏସିଆନ ଗେମ୍ସ ପାଇଁ ଆଟଲାସକୁ ଅଫିସିଆଲ ସାଇକେଲ ମାନ୍ୟୁଫ୍ୟାକ୍ଚରର ଭାବେ ମନୋନୀତ କରାଗଲା। କମ୍ପାନୀ ରେସିଂ ସାଇକେଲ ନିର୍ମାଣ କରି ସାରା ଦୁନିଆର ଟପ୍ ଆଥଲେଟଙ୍କୁ ଚକିତ କରିଦେଲା। ଏହାପରେ ସାରା ଦୁନିଆରେ ଆଟଲାସର ଡିମାଣ୍ଡ ଏମିତି ବଢିଗଲା ଯେ ୫୦ଟି ଦେଶରେ ଏହାକୁ ରପ୍ତାନୀ କରାଗଲା। ଆଟଲାସ କେବଳ ମଜବୁତ ନୁହେଁ ଏକ ସୋଫିଷ୍ଟିକେଟେଡ ସାଇକେଲ ତିଆରି କରିପାରିବ ବୋଲି କପୁର ବ୍ରଦର୍ସ ପ୍ରମାଣିତ କରିଦେଲେ।

ମାତ୍ର ୯୦ ଦଶକରେ କମ୍ପାନୀ ପାଇଁ ଆସିଲା ବଡ଼ ଟର୍ଣ୍ଣିଂ ପଏଣ୍ଟ। ବଜାରରେ ଏଣ୍ଟ୍ରି କଲେ ହିରୋ ଏବଂ ଏଭନ କମ୍ପାନୀ। ଏହାପରେ ଆରମ୍ଭ ହେଲା ସାଇକେଲ କମ୍ପାନୀଙ୍କ ମଧ୍ୟରେ ପ୍ରତିଯୋଗୀତା। ଏହି ସମୟରେ କମ୍ପାନୀକୁ ରିସର୍ଚ୍ଚ ଏବଂ ଡେଭଲପମେଣ୍ଟରେ ଖୁବ୍ ଆବଶ୍ୟକତା ଥିଲା। ହେଲେ ଏହା ଉପରେ ଧ୍ୟାନ ଦେବା ପରିବର୍ତ୍ତେ କପୁର ପରିବାରରେ ମାଲିକାନାକୁ ନେଇ ଝଡ଼ ସୃଷ୍ଟି ହେଲା। ବିବାଦ ଏତେ ବଢିଗଲା ଯେ, କମ୍ପାନୀର ଆଡମିନିଷ୍ଟ୍ରେସନ ତିନି ଭାଗ ହୋଇଗଲା। ଘର କଳି ହାଟରେ ପଡ଼ି ଦାଣ୍ଡରେ ଗଡ଼ିଲା। ଶେଷରେ କୋର୍ଟ କଚେରୀ ଯାଏଁ ପହଞ୍ଚିଗଲା। ଯେଉଁଠି ଅନ୍ୟ କମ୍ପାନୀମାନେ ନୂଆ ଉଦ୍ଭାବନ ଉପରେ ଧ୍ୟାନ ଦେଉଥିଲେ ସେତେବେଳେ ଆଟଲାସର ମାଲିକ କୋର୍ଟ କଚେରୀର ଚକ୍କର କାଟୁଥିଲେ। ଧୀରେ ଧୀରେ କମ୍ପାନୀର ମାନ୍ୟୁଫ୍ୟାକ୍ଚରିଂ ୟୁନିଟ୍ ବନ୍ଦ ହେବାକୁ ଲାଗିଲା। 

୨୦୨୦ରେ କପୁର ପରିବାର ସବୁଠୁ ଖରାପ ସମୟ ଆରମ୍ଭ ହୋଇଗଲା। ଦିଲ୍ଲୀ ସ୍ଥିତ ଫ୍ଲାଟରେ କପୁର ପରିବାରର ବୋହୂ ନତାଶା କପୁର ଆତ୍ମହତ୍ୟା କରିଦେଲେ। ପୁରା ଦୁନିଆ ସାମ୍ନାକୁ ଆଟଲାସ୍ ବିବାଦ ଆସିଲା। ଏହି ଘଟଣାର ଠିକ୍ ୫ ଦିନ ପରେ ଜୁନ ୩ରେ ଯେତେବେଳେ ସାରା ବିଶ୍ଵ ବାଇ-ସାଇକେଲ ଡେ’ ପାଳୁଥିଲା ସେତେବେଳେ ସାହିବାବାଗରେ ଥିବା କମ୍ପାନୀର ଶେଷ ମାନ୍ୟୁଫ୍ୟାକ୍ଚରିଂ ୟୁନିଟରେ ତାଲା ଝୁଲିଲା। କପୁର ପରିବାରର ଦୁର୍ଦ୍ଦିନ ଏତିକିରେ ସରିନଥିଲା ୨୦୨୪ରେ ଜୟଦେବ କପୁରଙ୍କ ପୁଅ ସଲିଲ କପୁର ନିଜ ଫ୍ଲାଟରେ ଆତ୍ମହତ୍ୟା କରିଦେଲେ। ଏକ ଜମାନାରେ ପୁରା ଶାନରେ ସବାରୀ କରୁଥିବା ଆଟଲାସ ସାଇକେଲ ମାର୍କେଟରୁ ଗାଏବ ହୋଇଗଲା। ଯଦି ଆପଣଙ୍କ ଘରେ ଆଟଲାସ ସାଇକେଲ ଅଛି କିମ୍ଵା ଆପଣ ବି ଏହି ସାଇକେଲ ଚଢିଛନ୍ତି ତାହେଲେ କମେଣ୍ଟ ବକ୍ସରେ ନିଜର ଅନୁଭୂତି ଲେଖନ୍ତୁ...