ନୂଆଦିଲ୍ଲୀ,୨୫/୦୯: ଲଦାଖକୁ ରାଜ୍ୟ ମାନ୍ୟତା ଦାବିରେ ବୁଧବାର ହିଂସାତ୍ମକ ଆନ୍ଦୋଳନ ହୋଇଥିଲା । ଭଙ୍ଗାରୁଜା, ଜଳାପୋଡ଼ା ମଧ୍ୟରେ ଆନ୍ଦୋଳନକାରୀ ବିଜେପି କାର୍ଯ୍ୟାଳୟରେ ନିଆଁ ଲଗାଇଥିଲେ । ସଂଘର୍ଷରେ ୪ ଜଣ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ପୁଲିସ କର୍ମଚାରୀଙ୍କ ସମେତ ୭୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଏବେ ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ବୟାନରେ କୁହାଯାଇଛି ଯେ ସୋନମ ୱାଙ୍ଗଚୁକ୍ ଉତ୍ତେଜନାପୂର୍ଣ୍ଣ ବୟାନ ଦେଇ ଭିଡ଼କୁ ଉସୁକାଇଥିଲେ । ହିଂସା ବେଳେ ପରିସ୍ଥିତି ନିୟନ୍ତ୍ରଣ କରିବାକୁ କୌଣସି ପ୍ରୟାସ ନକରି ଅନଶନ ଭାଙ୍ଗି ତାଙ୍କ ଗାଁକୁ ଚାଲିଯାଇଥିଲେ ।
ଗୃହ ମନ୍ତ୍ରଣାଳୟ କହିଛି ଯେ, ସୋନମ ୱାଙ୍ଗଚୁକ୍ ଷଷ୍ଠ ଅନୁସୂଚୀ ଅନ୍ତର୍ଭୁକ୍ତ କରିବା ଏବଂ ଲଦାଖକୁ ରାଜ୍ୟ ମାନ୍ୟତା ଦାବି କରି ସେପ୍ଟେମ୍ବର ୧୦ରେ ଅନଶନ ଆରମ୍ଭ କରିଥିଲେ । ଭାରତ ସରକାର ଏହି ପ୍ରସଙ୍ଗରେ ଆପେକ୍ସ ବଡି ଲେହ ଏବଂ କାର୍ଗିଲ ଗଣତାନ୍ତ୍ରିକ ମେଣ୍ଟ ସହିତ ସକ୍ରିୟ ଭାବରେ ଜଡିତ ଅଛନ୍ତି । ବୟାନରେ କୁହାଯାଇଛି, ଆଲୋଚନାରେ ଲଦାଖର ଅନୁସୂଚିତ ଜନଜାତି ପାଇଁ ସଂରକ୍ଷଣକୁ ୪୫%ରୁ ୮୪%କୁ ବୃଦ୍ଧି କରିବା, ପରିଷଦରେ ମହିଳାମାନଙ୍କ ପାଇଁ ଏକ ତୃତୀୟାଂଶ ସଂରକ୍ଷଣ ପ୍ରଦାନ କରିବା ଏବଂ ଭୋଟି ଓ ପୁର୍ଗିକୁ ସରକାରୀ ଭାଷା ଭାବରେ ଘୋଷଣା କରିବା ସାମିଲ ଅଛି । ଏହା ସହିତ ୧,୮୦୦ ପଦବୀ ପାଇଁ ନିଯୁକ୍ତି ଆରମ୍ଭ କରାଯାଇଥିଲା । ତଥାପି, କିଛି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବ୍ୟକ୍ତି ଏହି ଅଗ୍ରଗତିରେ ଅସନ୍ତୁଷ୍ଟ ଥିଲେ ଏବଂ ଆଲୋଚନା ପ୍ରକ୍ରିୟାକୁ ଭଣ୍ଡୁର କରିବାକୁ ଚେଷ୍ଟା କରିଥିଲେ । କମିଟିର ପରବର୍ତ୍ତୀ ବୈଠକ ଅକ୍ଟୋବର ୬ରେ ସ୍ଥିର ହୋଇଛି । ଲଦାଖ ନେତାମାନଙ୍କ ସହିତ ବୈଠକ ମଧ୍ୟ ସେପ୍ଟେମ୍ବର ୨୫ ଏବଂ ୨୬ରେ କରିବା ପାଇଁ ଯୋଜନା କରାଯାଇଛି ।
ଗୃହ ମନ୍ତ୍ରଣାଳୟ ଆହୁରି କହିଛି ଯେ ୱାଙ୍ଗଚୁକ୍ ଯେଉଁ ଦାବି ପାଇଁ ଅନଶନରେ ଥିଲେ ତାହା ଉଚ୍ଚ ଅଧିକାରପ୍ରାପ୍ତ କମିଟି ଆଲୋଚନାର ଅଂଶ ରହିଛି । ଅନେକ ନେତା ତାଙ୍କୁ ଅନଶନ ଶେଷ କରିବାକୁ ଅନୁରୋଧ କରିବା ସତ୍ତ୍ୱେ, ସେ ଆରବ ସ୍ପ୍ରିଙ୍ଗ ଶୈଳୀର ପ୍ରତିବାଦ ଏବଂ ନେପାଳରେ ଜେନ୍-ଜି ବିରୋଧ ପ୍ରଦର୍ଶନ ଉପରେ ଉତ୍ତେଜନାପୂର୍ଣ୍ଣ ବୟାନ ଦେଇ ଲୋକଙ୍କୁ ଭ୍ରମିତ କରିଥିଲେ।ସେପ୍ଟେମ୍ବର ୨୪, ଦିନ ପ୍ରାୟ ୧୧:୩୦ ସମୟରେ, ତାଙ୍କ ଉତ୍ତେଜନାପୂର୍ଣ୍ଣ ଭାଷଣ ପରେ ଲୋକ ଅନଶନ ସ୍ଥଳ ଛାଡି ଏକ ରାଜନୈତିକ ଦଳର କାର୍ଯ୍ୟାଳୟ ସହିତ ଲେହର ସିଇସିଙ୍କ ସରକାରୀ କାର୍ଯ୍ୟାଳୟ ଉପରେ ଆକ୍ରମଣ କରିଥିଲେ । କାର୍ଯ୍ୟାଳୟଗୁଡ଼ିକୁ ନିଆଁ ଲଗାଇ ଦେଇଥିଲେ, ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରିଥିଲେ ଏବଂ ପୁଲିସ ଗାଡ଼ିକୁ ନିଆଁ ଲଗାଇ ଦେଇଥିଲେ ।