ନୂଆଦିଲ୍ଲୀ ୧୯/୦୧ : ଆଜିକାଲି ଜେନ୍ ଜେଡ୍‌ଙ୍କ ସମୟ ଚାଲିଛି। ଆଉ ଏହି ଏହି ନୂତନ ପିଢ଼ି ଏବେ ଦୁନିଆକୁ ବଦଳାଉଛନ୍ତି। ଗୋଟିଏ ସମୟ ଥିଲା ଯେତେବେଳେ ପାର୍ଟି କିମ୍ବା ସମାବେଶରେ ମଦ୍ୟପାନ ଏବଂ ଧୂମପାନ ସାଧାରଣ ଥିଲା, କିନ୍ତୁ ଆଜିର ଜେନ୍ ଜେଡ୍ ବା ନୂତନ ପିଢ଼ି, ସମ୍ପୂର୍ଣ୍ଣ ଭିନ୍ନ। ୧୯୯୭ ରୁ ୨୦୧୨ ମଧ୍ୟରେ ଜନ୍ମିତ ଜେନ୍ ଜେଡ୍ କମ୍ ମଦ୍ୟପାନ କରୁଛନ୍ତି। ଏହି ପରିବର୍ତ୍ତନ କେବଳ ଜୀବନଶୈଳୀ ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ଏହା ବିଶ୍ୱ ମଦ ବ୍ୟବସାୟକୁ ଏକ ବଡ଼ ଝଟ୍‌ଦା ଦେଇଛି।

ଜେନ୍ ଜେଡ୍ ବିଶ୍ୱରେ ମଦ୍ୟପାନ ପ୍ରତି ମନୋଭାବରେ ଏକ ବଡ଼ ପରିବର୍ତ୍ତନ ଆଣୁଛନ୍ତି। ୨୦୨୬ ର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଏହି ପିଢ଼ି ସେମାନଙ୍କର ସ୍ୱାସ୍ଥ୍ୟ ଏବଂ ଭବିଷ୍ୟତ ପ୍ରତି ଅଧିକ ସଚେତନ ହୋଇଗଲାଣି। ଫୋବର୍ସରେ ପ୍ରକାଶିତ ଜାନୁଆରୀ ୨୦୨୬ ରିପୋର୍ଟ ଅନୁଯାୟୀ, ମଦ କମ୍ପାନଗୁଡ଼ିକ ପ୍ରାୟ ୮୩୦ ମିଲିୟନ୍ ଡଲାର ସେୟାର ହରାଇଛନ୍ତି। କିଛି ଗବେଷଣା ଅନୁଯାୟୀ, ପୂର୍ବ ପିଢ଼ି ତୁଳନାରେ ଜେନ୍ ଜେଡ୍‌ଙ୍କର ମଦ୍ୟପାନ ସ୍ତର ଯଥେଷ୍ଟ ହ୍ରାସ ପାଇଛି।

ତେବେ ଏହା ପଛେରେ କିଛି କାରଣ ଥିବା କୁହାଯାଉଛି। ଯୁବପିଢ଼ିଙ୍କ ମଧ୍ୟରେ ସୋବର ରହିବା ଅର୍ଥାତ୍ ହୋସ୍‌ରେ ରହିବା ଏକ ନୂତନ ଷ୍ଟାଇଲ୍ ଷ୍ଟେଟମେଣ୍ଟ ପାଲଟିଛି। ସେମାନେ ମଦ୍ୟପାନ ଅପେକ୍ଷା ମକ୍ଟେଲ, କମ୍ ଆଲକୋହଲ କିମ୍ବା ଭିଟାମିନ୍ ଯୁକ୍ତ ପାନୀୟକୁ ପସନ୍ଦ କରୁଛନ୍ତି। ଏହି ହ୍ରାସର ସବୁଠାରୁ ବଡ଼ କାରଣ ହେଉଛି ବୃଦ୍ଧି ପାଉଥିବା ସ୍ୱାସ୍ଥ୍ୟ ସଚେତନତା। ଯୁବପିଢ଼ି ଏବେ ‘ହ୍ୟାଙ୍ଗ-ଆନଜାଇଟି’ ଅର୍ଥାତ୍ ମଦ୍ୟପାନ ପରେ ହେଉଥିବା ଚିନ୍ତା, ନିଦ୍ରା ଅଭାବ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ମଦ୍ୟପାନର ନକାରାତ୍ମକ ପ୍ରଭାବକୁ ଏଡାଇବାକୁ ଚାହାଁନ୍ତି।

ଏଥିସହିତ ପ୍ରାୟ ୪୯% ଯୁବପିଢ଼ି ବାହାରକୁ ଯିବା ସମୟରେ ସେମାନଙ୍କର ଅନଲାଇନ୍ ଇମେଜ୍ ପ୍ରତି ସତର୍କ ଥାଆନ୍ତି। ସୋସିଆଲ ମିଡିଆ ଯୁଗରେ, ସେମାନେ ନିଶାଗ୍ରସ୍ତ ଅବସ୍ଥାରେ ନିଜର ଫଟୋ କିମ୍ବା ଭିଡିଓ ସେୟାର କରିବାକୁ ଭୟ କରନ୍ତି।