ମୃତ୍ୟୁ ଯଥାର୍ଥ କି ନୁହେଁ ତାହାର ଏକ ସରଳ ଉତ୍ତର ଖୋଜିବା କି ପାଇବା ଏକ କଷ୍ଟକର ବ୍ୟାପାର । ଏ ସଂପର୍କରେ ବିଭିନ୍ନ ମତ ପୋଷଣ କରାଯାଇଥାଏ । ଜୀବନଚକ୍ର ଓ ପ୍ରାକୃତିକ ନିୟମ ଅନୁସାରେ ପ୍ରକୃତିର ସବୁ କିଛି ଜନ୍ମନିଏ, ବୃଦ୍ଧିପାଏ, ବୃକ୍ଷ ହୁଏ ଏବଂ ମରିଯାଏ । ମୃତ୍ୟୁ ବିନା ଜୀବନର କୌଣସି ମୂଲ୍ୟ ନଥାଏ । ଜୀବନର ସୀମିତତା ଏହାକୁ ମୂଲ୍ୟବାନ ଏବଂ ଅର୍ଥପୂର୍ଣ୍ଣ କରିଥାଏ ।
ମୃତ୍ୟୁ ହେଉଛି ଜୀବନର ପରିସମାପ୍ତି । ଯେତେବେଳେ କୌଣସି ଜୀବର ଶ୍ୱାସ ପ୍ରଶ୍ୱାସ, ହୃଦ୍ସ୍ପନ୍ଦନ ଓ ମସ୍ତିଷ୍କର କାର୍ଯ୍ୟକଳାପ ସଂପୂର୍ଣ୍ଣ ରୂପେ ବନ୍ଦ ହୋଇଯାଏ ସେତେବେଳେ ତାକୁ ମୃତ ବୋଲି ଘୋଷଣା କରାଯାଏ । ଏହା ଏକ ଶାରୀରିକ ପ୍ରକ୍ରିୟା । ଏହା ଶରୀରରେ ଥିବା ପ୍ରାଣଶକ୍ତିର ବିଲୟକୁ ବୁଝାଇଥାଏ । ଏହା ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଏହା ଏକ ପ୍ରାକୃତିକ ନିୟମ ଯାହା ଅପରିବର୍ତ୍ତନୀୟ ।
ମୃତ୍ୟୁ ଯଥାର୍ଥ କି ନୁହେଁ ତାହାର ଏକ ସରଳ ଉତ୍ତର ଖୋଜିବା କି ପାଇବା ଏକ କଷ୍ଟକର ବ୍ୟାପାର । ଏ ସଂପର୍କରେ ବିଭିନ୍ନ ମତ ପୋଷଣ କରାଯାଇଥାଏ । ଜୀବନଚକ୍ର ଓ ପ୍ରାକୃତିକ ନିୟମ ଅନୁସାରେ ପ୍ରକୃତିର ସବୁ କିଛି ଜନ୍ମନିଏ, ବୃଦ୍ଧିପାଏ, ବୃକ୍ଷ ହୁଏ ଏବଂ ମରିଯାଏ । ମୃତ୍ୟୁ ବିନା ଜୀବନର କୌଣସି ମୂଲ୍ୟ ନଥାଏ । ଜୀବନର ସୀମିତତା ଏହାକୁ ମୂଲ୍ୟବାନ ଏବଂ ଅର୍ଥପୂର୍ଣ୍ଣ କରିଥାଏ । ଏହି ଦୃଷ୍ଟିକୋଣରୁ ବିଚାର କଲେ, ମୃତ୍ୟୁ ଏକ ଦଣ୍ଡ ନୁହେଁ, ଏହା ଜୀବନଚକ୍ରର ଏକ ଆବଶ୍ୟକ ପରିଣାମ । ହିନ୍ଦୁ ଧର୍ମ ଅନୁସାରେ ମୃତ୍ୟୁ ହେଉଛି ଶରୀରର ଅନ୍ତ, ଆତ୍ମାର ନୁହେଁ । ଆତ୍ମା ଅମର ଏବଂ ଏହା ଏକ ଶରୀରରୁ ଅନ୍ୟ ଶରୀରକୁ ସ୍ଥାନାନ୍ତରିତ ହୁଏ, ଯାହାକୁ ପୁନର୍ଜନ୍ମ କୁହାଯାଏ । ମୃତ୍ୟୁ ଏକ ଯଥାର୍ଥ ପରିବର୍ତ୍ତନ ମାତ୍ର, ଯାହାର ଆତ୍ମାର ବିକାଶ ପାଇଁ ଆବଶ୍ୟକ । ମନୁଷ୍ୟ ଯେପରି ଜୀର୍ଣ୍ଣ ବସ୍ତ୍ର ପରିତ୍ୟାଗ କରି ଅନ୍ୟ ନୂତନ ବସ୍ତ୍ର ଗ୍ରହଣ କରେ, ଆତ୍ମା ସେଭଳି ଜୀର୍ଣ୍ଣଦେହ ତ୍ୟାଗ କରି ନୂତନ ଦେହ ଗ୍ରହଣ କରେ । ଏହି ପରିପ୍ରେକ୍ଷୀରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ କହନ୍ତି ‘ପୁନରପି ଜନମମ୍, ପୁନରପି ମରଣମ୍, ପୁନରପି ଜନନୀ ଜଠରେ ଶୟନମ୍’, ଅର୍ଥାତ୍ ଜନ୍ମ ପରେ ମରଣ, ତା’ପରେ ମାତୃଗର୍ଭରେ ଶୟନ ଏବଂ ପୁନଶ୍ଚ ଜନ୍ମ– ଏହା ହିଁ ସଂସାରର ଚିରନ୍ତନ ସତ୍ୟ । ଅନେକଙ୍କ ମତରେ, ଭୟଙ୍କର ରୋଗରେ ଦୀର୍ଘଦିନ ପୀଡ଼ିତ ଥିବା ଏବଂ ଯନ୍ତ୍ରଣା ଭୋଗୁଥିବା ବ୍ୟକ୍ତିଙ୍କ ପାଇଁ ମୃତ୍ୟୁ ଏକ ମୁକ୍ତିସ୍ୱରୂପ । ନାସ୍ତିବାଦୀ ଦୃଷ୍ଟିକୋଣରୁ ବିଚାର କଲେ, ଯେଉଁମାନେ ଧର୍ମ କିମ୍ବା ପରଲୋକରେ ବିଶ୍ୱାସ କରନ୍ତି ନାହିଁ ସେମାନଙ୍କ ପାଇଁ ମୃତ୍ୟୁ ହେଉଛି ଜୀବନର ସଂପୂର୍ଣ୍ଣ ଅନ୍ତ । ସେମାନଙ୍କ ମତରେ, ମୃତ୍ୟୁ ଯଥାର୍ଥ କି ଅଯଥାର୍ଥ ତାହା ପ୍ରଶ୍ନବାଚକ ନୁହେଁ । ଏହା ଏକ ପ୍ରାକୃତିକ ଘଟଣା ମାତ୍ର ।
ମନୁଷ୍ୟର ମୃତ୍ୟୁ କାହିଁକି ଆବଶ୍ୟକ ଏହା ଏକ ଗମ୍ଭୀର ଓ ଦାର୍ଶନିକ ପ୍ରଶ୍ନ । ଜୀବନଚକ୍ର ଓ ପ୍ରକୃତିର ସନ୍ତୁଳନ (Quest for Evolution and Renewal) ପାଇଁ, ବିକାଶ ଓ ନୂତନତ୍ୱର ସନ୍ଧାନ (Quest for Evolution and Renewal) ପାଇଁ ଏବଂ ସର୍ବୋପରି ଜୀବନକୁ ସାବଲୀଳ ଏବଂ ସାର୍ଥକ କରିବା ପାଇଁ (Giving value and meaning to life)ମୃତ୍ୟୁ ଅପରିହାର୍ଯ୍ୟ । ମୃତ୍ୟୁ ହେଉଥିବା ଯୋଗୁଁ ଜନସଂଖ୍ୟା ବୃଦ୍ଧି ନିୟନ୍ତ୍ରଣ ଏବଂ ପରିବେଶୀୟ ସନ୍ତୁଳନ ପ୍ରାକୃତିକ ଉପାୟରେ ସମ୍ଭବ ହୋଇଯାଏ । ମୃତ୍ୟୁ ପୁରାତନ ଚିନ୍ତାଧାରା, ରୀତିନୀତି ଓ ପ୍ରଣାଳୀଗୁଡ଼ିକୁ ପଛରେ ଛାଡ଼ି, ନୂତନ ଚିନ୍ତାଧାରା, ଆବିଷ୍କାର ଓ ପରିବର୍ତ୍ତନ ପାଇଁ ପଥ ପ୍ରସ୍ତୁତ କରେ । ପ୍ରତ୍ୟେକ ନୂଆ ପିଢ଼ି ନୂଆ ଧାରଣା ଓ ନୂଆ ଜ୍ଞାନକୌଶଳ ନେଇ ଆସନ୍ତି । ଏହା ସମାଜକୁ ଆଗକୁ ବଢ଼େଇବାରେ ସାହାଯ୍ୟ କରେ । ମୃତ୍ୟୁ ଜୀବନକୁ ଅଧିକ ମୂଲ୍ୟବାନ ଓ ସୀମିତ କରିଥାଏ । ଯେହେତୁ ଆମେ ଜାଣୁ, ଆମର ସମୟ ସୀମିତ । ଆମେ ଆମର ଜୀବନକୁ ଭଲଭାବରେ ବ୍ୟବହାର କରିବା, ଆମର ଲକ୍ଷ୍ୟ ପୂରଣ କରିବା ଏବଂ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ଲୋକଙ୍କ ସହିତ ସମୟ ଦେଇ ଜୀବନର ସଫଳ ଉପଯୋଗ କରୁ । ଯଦି ଜୀବନ ଅନନ୍ତ ହୋଇଥାନ୍ତା, ତେବେ କୌଣସି କାର୍ଯ୍ୟ କରିବାକୁ କିମ୍ବା କୌଣସି ଲକ୍ଷ୍ୟ ପୂରଣ କରିବାକୁ ଆମେ ବିଳମ୍ବ କରିପାରନ୍ତେ । ବାସ୍ତବରେ ମୃତ୍ୟୁ ଜୀବନକୁ ତାତ୍ପର୍ଯ୍ୟପୂର୍ଣ୍ଣ କରେ ।
ମୃତ୍ୟୁ ଅନିବାର୍ଯ୍ୟ, ମୃତ୍ୟୁ ଚିରନ୍ତନ, ମୃତ୍ୟୁ ନିଶ୍ଚିତ ଜାଣି ସୁଦ୍ଧା ମନୁଷ୍ୟ ମୃତ୍ୟୁକୁ ଭୟ କରିଥାଏ । ଏହା ପଛରେ ପୁଞ୍ଜିଭୂତ କାରଣମାନ ରହିଛି ଯଥା– ଅଜ୍ଞାତତାର ଭୟ (The Fear of the unknown), ଜୀବନ ପ୍ରତି ପ୍ରେମ (Love for life), ଅସ୍ତିତ୍ୱର ଶୂନ୍ୟତା (Fear of pain and suffering) , ଦୁଃଖ ଓ ଯନ୍ତ୍ରଣାର ଭୟ (Fear of pain and suffering) , ସାମାଜିକ ଓ ସାଂସ୍କୃତିକ କାରଣ (Social and Cultural reasons) ଏବଂ ଜୈବିକ ପ୍ରବୃତ୍ତି (Biological Instinct) ପ୍ରଭୃତି ।
ମୃତ୍ୟୁ ପରେ କ’ଣ ହୁଏ ତାହା କେହି ଜାଣନ୍ତି ନାହିଁ । ଏହି ଅଜ୍ଞାତ ଅବସ୍ଥା ମନୁଷ୍ୟକୁ ଅତ୍ୟନ୍ତ ଭୟଭୀତ କରିଥାଏ । ଆମ ମନ ଏକ ଅଜଣା ଏବଂ ଅଦୃଶ୍ୟ ଯାତ୍ରାକୁ ଭୟ କରେ । ଜୀବନ ସୁନ୍ଦର ଓ ମଧୁର । ଆମେ ଆମ ପରିବାର, ବନ୍ଧୁ ଏବଂ ଆତ୍ମୀୟସ୍ୱଜନଙ୍କୁ ଭଲ ପାଉଁ । ନୂଆ ନୂଆ ଅନୁଭୂତି କରୁ, ଆମେ ଅନୁଭବ କରୁ ଏବଂ ଭବିଷ୍ୟତର ସ୍ୱପ୍ନ ଦେଖୁ । ମୃତ୍ୟୁ ମାଧ୍ୟମରେ ଏସବୁର ଚିରଦିନ ବିଚ୍ଛେଦ ହେବାର ଭୟ ଆମକୁ ଆତଙ୍କିତ କରିଥାଏ । ମନୁଷ୍ୟର ସ୍ୱଭାବ ହେଲା, ନିଜର ଅସ୍ତିତ୍ୱକୁ ଜାହିର କରିବା ।
ମୃତ୍ୟୁ ପରେ ଆମର ଅସ୍ତିତ୍ୱ ଲୋପ ପାଇଯାଏ । ଏହି ଶୂନ୍ୟତା ଓ ନାସ୍ତିତ୍ୱର ଚିନ୍ତା ଆମକୁ ଭୟଭୀତ କରିଥାଏ । ଅଧିକାଂଶ ସମୟରେ ମୃତ୍ୟୁ ଏକ କଷ୍ଟଦାୟକ ପ୍ରକ୍ରିୟା ସହିତ ଜଡ଼ିତ ହୋଇଥାଏ । ରୋଗ, ଆଘାତ କିମ୍ବା ବୃଦ୍ଧାବସ୍ଥାର ଯନ୍ତ୍ରଣାକୁ ଭୟ କରି ମନୁଷ୍ୟ ମୃତ୍ୟୁକୁ ଭୟ କରେ । ଅନ୍ୟପକ୍ଷରେ ସମାଜ ଓ ସଂସ୍କୃତି ମଧ୍ୟ ମୃତ୍ୟୁ ପ୍ରତି ଭୟ ସୃଷ୍ଟି କରେ। ଲୋକଙ୍କ ମନରେ ମୃତ୍ୟୁକୁ ଏକ ଦୁଃଖଦ ଏବଂ ଭୟଙ୍କର ପରିଣତି ବୋଲି ଚିତ୍ରଣ କରାଯାଏ । ଧାର୍ମିକ ମତ ଅନୁସାରେ, ପାପ-ପୁଣ୍ୟର ବିଚାର, ନରକର ଶାସ୍ତି ଆଦି ଚିନ୍ତା ମଧ୍ୟ ମୃତ୍ୟୁ ଭୟକୁ ବଢ଼ାଇ ଦେଇଥାଏ । ପୁନଶ୍ଚ, ପ୍ରତ୍ୟେକ ଜୀବିତ ପ୍ରାଣୀର ବଞ୍ଚି ରହିବାର ଏକ ସ୍ୱାଭାବିକ ପ୍ରବୃତ୍ତି ରହିଛି, ମନୁଷ୍ୟ ମଧ୍ୟ ଏହାର ବ୍ୟତିକ୍ରମ ନୁହେଁ । ଆମର ମସ୍ତିଷ୍କ ଏବଂ ଶରୀର ସ୍ୱୟଂଚାଳିତ ଭାବେ ବଞ୍ଚି ରହିବାକୁ ଚେଷ୍ଟା କରେ ଏବଂ ମୃତ୍ୟୁକୁ ଏକ ବିରୋଧୀ ଶକ୍ତି ଭାବରେ ଅବଲୋକନ କରେ ।
ମୃତ୍ୟୁ ଭୟ ଏକ ସାର୍ବଜନୀନ ଓ ସ୍ୱାଭାବିକ ମାନବୀୟ ଅନୁଭୂତି । ଏହା ଆମର ଜୀବନ ପ୍ରତି ଥିବା ଗଭୀର ଆସକ୍ତି ଏବଂ ଅଜ୍ଞାନତାଜନିତ ଭୟର ପ୍ରତିଫଳନ । ତଥାପି ଆମେ ଇଚ୍ଛା କଲେ ଜୀବନର ସଂକ୍ଷିପ୍ତତାକୁ ବୁଝି ଓ ଗ୍ରହଣ କରି ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଅର୍ଥପୂର୍ଣ୍ଣ ଭାବରେ ବଞ୍ଚିବା ଶିଖିପାରିବା । ଭାରତର ପୁରାତନ ଦାର୍ଶନିକ ଓ ଅର୍ଥନୀତିଜ୍ଞ ଚାଣକ୍ୟଙ୍କ ଦୃଷ୍ଟିକୋଣରୁ ବିଚାର କଲେ, ମୃତ୍ୟୁ ହେଉଛି ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ, ଯାହାକୁ ଗ୍ରହଣ କରି ମନୁଷ୍ୟ ନିଜର ଧର୍ମ, କର୍ତ୍ତବ୍ୟ ଓ ଲକ୍ଷ୍ୟ ଉପରେ ଧ୍ୟାନଦେବା ଉଚିତ । ମୃତ୍ୟୁକୁ ଭୟ ନକରି ଏକ ସାର୍ଥକ ଓ ଧାର୍ମିକ ଜୀବନ ଜିଇଁବା ପାଇଁ ଏହାକୁ ଏକ ପ୍ରେରଣା ଭାବେ ଗ୍ରହଣ କରିବା ଉଚିତ । ଆମେରିକାର ପ୍ରସିଦ୍ଧ କବି ରବର୍ଟ ଫ୍ରଷ୍ଟ, ତାଙ୍କର ସୁପ୍ରସିଦ୍ଧ କବିତା ‘Stepping by woods on a snowy evening’ରେ ଅନ୍ଧକାର ଓ ତୁଷାର ଆଚ୍ଛାଦିତ ଜଙ୍ଗଲକୁ ଏକ ସୁନ୍ଦର ଓ ଶାନ୍ତିପୂର୍ଣ୍ଣ ସ୍ଥାନ ଭାବରେ ବର୍ଣ୍ଣନା କରିଛନ୍ତି, ଯାହାକି ମୃତ୍ୟୁର ପ୍ରତୀକ ଭାବେ ବିଚାର କରାଯାଏ । ତାଙ୍କ ଭାଷାରେ ମୃତ୍ୟୁ ଏକ ବିଶ୍ରାମ ଭାବରେ ଉପସ୍ଥାପିତ, କିନ୍ତୁ ଜୀବନର କର୍ତ୍ତବ୍ୟ ତାହାଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଛି । ସେ କହିଛନ୍ତି– The woods are lovely dark and deep. But I have promises to keep. And miles to go before I sleep, and miles to go before I sleep.
ସେ ମୃତ୍ୟୁକୁ ଏକ ଅଜ୍ଞାନ ଓ ରହସ୍ୟମୟ ଯାତ୍ରା ଭାବରେ ଚିତ୍ରଣ କରିଛନ୍ତି । ମନୁଷ୍ୟ ମନରୁ ମୃତ୍ୟୁର ଭୟର ଅପସାରଣ ପାଇଁ କାଳିଦାସ ତାଙ୍କର ଅନବଦ୍ୟ ସୃଷ୍ଟି ମେଘଦୂତ ଓ ଋତୁ ସଂହାରରେ ମୃତ୍ୟୁ ସଂପର୍କିତ ଚିନ୍ତାଧାରାର ଅବତାରଣା କରିଛନ୍ତି । ସେ ମେଘଦୂତରେ ପ୍ରକୃତି ଓ ମନୁଷ୍ୟ ମଧ୍ୟରେ ଥିବା ସଂପର୍କକୁ ବ୍ୟାଖ୍ୟା କରି ମୃତ୍ୟୁକୁ ଏକ ପ୍ରାକୃତିକ ପ୍ରକ୍ରିୟା ଭାବେ ଚିତ୍ରଣ କରିଛନ୍ତି । ଋତୁ ସଂହାରରେ ଜୀବନ ଓ ମୃତ୍ୟୁଚକ୍ରକୁ ବିଭିନ୍ନ ଋତୁର ଆଗମନ ଓ ପ୍ରସ୍ଥାନ ସହିତ ତୁଳନା କରିଛନ୍ତି । ତାଙ୍କ ଭାଷାରେ, ମନୁଷ୍ୟ ଜୀବନରେ କେବଳ ସତ୍ କର୍ମ ଓ କୃତିତ୍ୱ ଅମର ହୋଇ ରହେ । ମୃତ୍ୟୁ ଶରୀରକୁ ନଷ୍ଟ କରେ, କିନ୍ତୁ କର୍ମ ଓ କୀର୍ତ୍ତିକୁ ନୁହେଁ ।
ସାମଗ୍ରିକ ଦୃଷ୍ଟିକୋଣରୁ ବିଚାର କଲେ, ମୃତ୍ୟୁ ଶାଶ୍ୱତ ଓ ଚିରନ୍ତନ । ଏହାକୁ ସର୍ବାନ୍ତକରଣରେ ଅଙ୍ଗୀକାର କରିବା ବିଧେୟ ଏବଂ ଏହାର ଆବଶ୍ୟକତା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ।