ଭୁବନେଶ୍ୱର ୧୬/୦୭: ପ୍ରେମ ଏକ ସୁନ୍ଦର ଅନୁଭବ । କିନ୍ତୁ କେବଳ ପ୍ରେମକୁ ନେଇ ସମ୍ପର୍କ ଯୋଡ଼ିବା ଯଥେଷ୍ଟ ନୁହେଁ । ପ୍ରେମ ସହ ବୁଝିବାର ଦକ୍ଷତା ଓ ପରସ୍ପରର ଭାବନାକୁ ସମ୍ମାନ ଦେବା ମଧ୍ୟ ଆବଶ୍ୟକ । ଏକ ପରିପକ୍ୱ ସମ୍ପର୍କ ହେଉଛି, ଯେଉଁଠାରେ ଉଭୟ ସାଥୀ ନିଜନିଜର ଦାୟିତ୍ୱକୁ ବୁଝିବା ସହ ମୁସ୍‌କିଲ୍ ସମୟରେ ପରସ୍ପର ସହ ଠିଆ ହୋଇଥାନ୍ତି । କେବଳ ପ୍ରେମକୁ ନେଇ ସଂସାର ଗଢିବା ସହଜ ହୁଏନା । ଯଦି ପ୍ରେମ ସହ ପରିପକ୍ୱତା ଆସିଯାଏ, ତେବେ ସମ୍ପର୍କରେ ନିବିଡ଼ତା ଓ ସ୍ଥିରତା ଆସିବା ସହଜ ହୋଇଯାଏ । ପରିପକ୍ୱ ସମ୍ପର୍କରେ ଉଭୟ ସାଥୀ ନିଜ ଭୁଲ୍‌ର ଦାୟିତ୍ୱ ନିଜେ ନେବାକୁ ପଛଘୁଞ୍ଚା ଦେଇ ନଥାନ୍ତି । ପରସ୍ପର ମଧ୍ୟରେ ଝଗଡା ଲାଗିବା ପରିବର୍ତ୍ତେ ସମସ୍ୟା ସମାଧାନର ବାଟ ବାହାର କରିଥାନ୍ତି । ବୁଝାମଣା ବିନା ପ୍ରେମ ଅଧୁରା ରହିଥାଏ ।

କେମିତି ଜାଣିବେ ସମ୍ପର୍କରେ ପରିପକ୍ୱତା ଅଛି କି ନା?

ଯେକୌଣସି ବିଷୟରେ କଥାବାର୍ତ୍ତା :

ଯେକୌଣସି ସମ୍ପର୍କର ମୂଳଦୁଆ ଖୋଲାଖୋଲି ଭାବେ କଥାବାର୍ତ୍ତା ହେବ ଉପରେ ନିର୍ଭର କରିଥାଏ । ଉଭୟ ନିଜର ଭାବନା, ଇଚ୍ଛା ଓ ଭୟକୁ ସାମ୍ନା ଲୋକ ଆଗରେ ପରିପ୍ରକାଶ କରିବା ହିଁ ସମ୍ପର୍କରେ ପରିପକ୍ୱତା ଆଣିଥାଏ । ଏହି ସମ୍ପର୍କରେ ମିଛ, ଲୁଚଛପା ଓ ଦେଖେଇ ହେବାର କୌଣସି ସ୍ଥାନ ନଥାଏ । ପରସ୍ପରର କଥାକୁ ଗଭୀରତାର ସହ ଶୁଣିବା ସହ ସମ୍ମାନ ଦେଇଥାନ୍ତି । ଯଦି ଜଣେ ସାଥୀ ଅନ୍ୟ ଜଣେ ପାର୍ଟନର୍ ଆଗରେ ବିନା ଦ୍ୱିଧାରେ ଯେକୌଣସି ବିଷୟରେ କଥା ହୋଇପାରେ । ତେବେ ଏହା ହିଁ ସମ୍ପର୍କର ପରିପକ୍ୱତାକୁ ବୁଝାଇଥାଏ ।

ଉଭୟ ପରସ୍ପରର ଭୁଲ୍‌କୁ କ୍ଷମା କରିବା :

କୌଣସି ମଣିଷ ନିର୍ଭୁଲ ହୋଇ ନଥାଏ । ସବୁ ସମ୍ପର୍କରେ କେବେ ନା କେବେ ଭୁଲ୍ ଓ ମତଭେଦ ହୋଇଥାଏ । କିନ୍ତୁ ପରିପକ୍ୱ ସମ୍ପର୍କରେ ଉଭୟ ପରସ୍ପରର ଭୁଲ୍‌କୁ କ୍ଷମା କରିବାର କ୍ଷମତା ରଖିଥାନ୍ତି । ଯଦି କୌଣସି ଭୁଲ୍ ପାଇଁ ଆପଣଙ୍କ ସାଥୀ ରାଗିବା ପରିବର୍ତ୍ତେ ବୁଝାଇବାର ପ୍ରୟାସ କରୁଥାନ୍ତି, ତେବେ ସମ୍ପର୍କରେ ପରିପକ୍ୱତା ଅଛି ।

ଉଭୟଙ୍କର ସ୍ୱାଧୀନତାକୁ ସମ୍ମାନ :

ପରିପକ୍ୱ ସମ୍ପର୍କରେ ରହିଥିଲେ, ଉଭୟ ନିଜ ସାଥୀଙ୍କ ସ୍ୱାଧୀନତା ଓ ବ୍ୟକ୍ତିଗତ ସ୍ପେଶ୍କୁ ସମ୍ମାନ କରିଥାନ୍ତି । କାରଣ ପ୍ରତ୍ୟେକ ମଣିଷର ନିଜସ୍ୱ ସ୍ୱପ୍ନ ଓ ପସନ୍ଦ ରହିଛି । ତେଣୁ ତାକୁ ସମ୍ମାନ ଦେଇ ସେସବୁକୁ ପୂରଣ କରିବାରେ ସହଯୋଗ କରିବା ଆବଶ୍ୟକ । ଏସବୁ କେବଳ ଜଣେ ପରିପକ୍ୱ ସାଥୀ ହିଁ କରିପାରିବ ।

ଆହୁରି ପଢ଼ନ୍ତୁ...Landlords Right vs. Live-in Couples: ଲିଭ୍-ଇନ୍ ରିଲେସନସିପ୍ ଓ ଭଡ଼ା ଘର : ଆଇନ ଅନୁସାରେ କ’ଣ ରହିଛି ନିୟମ ?

ସମସ୍ୟାକୁ ମିଳିମିଶି ସାମ୍ନା କରିବା :

ଜୀବନରେ ଉତ୍‌ଥାନ୍-ପତ୍ତନ ଆସିବା ସ୍ୱାଭାବିକ୍ । ପ୍ରତ୍ୟେକ ସମ୍ପର୍କରେ କେବେ ନା କେବେ ଖରାପ ସମୟ ନିଶ୍ଚୟ ଆସିଥାଏ । କିନ୍ତୁ ପରିପକ୍ୱ ସମ୍ପର୍କରେ ସମସ୍ୟା ଆସିଲେ ଉଭୟ ମିଳିମିଶି ସାମ୍ନା କରିଥାନ୍ତି । କିନ୍ତୁ କେବଳ ପ୍ରେମ ଥିଲେ, ଖରାପ ସମୟରେ ପରସ୍ପରକୁ ଦୋଷ ଦେବାରେ ବିତିଯାଏ । କିନ୍ତୁ ପରିପକ୍ୱ ସମ୍ପର୍କରେ ସମସ୍ୟାର ସମାଧାନ ପାଇଁ ବାଟ ବାଛିବାକୁ ଗୁରୁତ୍ୱ ଦିଆଯାଇଥାଏ ।

 

ମିଳିତ ଭାବେ ଭବିଷ୍ୟତ ପାଇଁ ଯୋଜନା :

ପରିପକ୍ୱ ସମ୍ପର୍କରେ ଉଭୟ କେବଳ ଆଜିର ବଞ୍ଚିବାରେ ନୁହେଁ, ବରଂ ଭବିଷ୍ୟତ ପାଇଁ ଯୋଜନା ମଧ୍ୟ କରିଥାନ୍ତି । ପରସ୍ପରର ସ୍ୱପ୍ନ ଓ ଲକ୍ଷ୍ୟ ରଖି ଭବିଷ୍ୟତ ଯୋଜନା କରିଥାନ୍ତି ।