ନୂଆଦିଲ୍ଲୀ,୧୨।୭:  ‘ମୁଁ ଆତ୍ମହତ୍ୟା କରିଦେବି’। ୨୦୧୨ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସେତେବେଳର ମୁଖ୍ୟ ନିର୍ବାଚନ କମିଶନ(ସିଇସି) ଏସ ୱାଇ କ୍ୟୁରେଶୀଙ୍କୁ  ଏଭଳି କିଛି କହିଥିଲେ। କାରଣ ନିର୍ବାଚନ କମିଶନଙ୍କ କାମକୁ ନେଇ କଂଗ୍ରେସର କିଛି ମନ୍ତ୍ରୀ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏଥିରେ ଆଘାତ ପାଇ କ୍ୟୁରେଶୀ ନିଜର ଅସନ୍ତୋଷ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ନିକଟରେ ପହଁଞ୍ଚାଇଥିଲେ। ମନମୋହନ ସିଂହ ସେତେବେଳେ କ୍ୟୁରେଶୀଙ୍କୁ କହିଥିଲେ ‘ନିର୍ବାଚନ କମିଶନ୍’ କେବଳ ଭାରତର ଗୌରବ ନୁହେଁ,ବଂର ଲୋକତନ୍ତ୍ରର ଆତ୍ମା। ଯଦି ଆମେ ଏହାକୁ ହରାଇ ଦେବା ତେବେ ସବୁ କିଛି ହରାଇ ଦେବା। ଏଭଳି ଏକ ଘଟଣା ସମ୍ପର୍କରେ କ୍ୟୁରେଶୀ ନିଜର ଆଗାମୀ ପୁସ୍ତକ ‘ଇଣ୍ଡିଆ ଆଣ୍ଡ ଆଇ : ଏ ହଣ୍ଡରେଡ୍ ମେମୋରିଜ୍, ନଟ୍ ଏ ମେମୋର (India and I: A Hundred Memories, Not a Memoir) ରେ ଉଲ୍ଲେଖ କରିଛନ୍ତି। ଏହି ପୁସ୍ତକ ପ୍ରକାଶନ ‘ହାଚେଟ୍ ଇଣ୍ଡିଆ’ କରିଛି। 

ନିଜ ବହିରେ କ୍ୟୁରେଶି ମନମୋହନ ସିଂହଙ୍କୁ ପ୍ରଶଂସାରେ ଏଭଳି ଜଣେ ନେତା ବୋଲି କହିଛନ୍ତି, ଯାହାଙ୍କ ପାଇଁ ସମ୍ବିଧାନିକ ମର୍ଯ୍ୟାଦା କୌଣସି କଥାବାର୍ତ୍ତାର ପ୍ରସଙ୍ଗ ନଥିଲା, ବଂର ଏକ ଜୀବନ୍ତ ବିଶ୍ୱାସ ଥିଲା। ପିଟିଆଇ ନ୍ୟୁଜ ଅନୁସାରେ, ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି, ଜାନୁଆରୀ ୨୦୧୨ ରେ ଉତ୍ତର ପ୍ରଦେଶରେ ଏକ ନିର୍ବାଚନ ବେଳେ ସେତେବେଳେ ଆଇନମନ୍ତ୍ରୀ ଥିଲେ ସଲମାନ ଖୁର୍ସିଦ। ସେ ଏକ ରାଲିରେ ପ୍ରତିଶୃତି ଦେଇଥିଲେ ଯେ, ଯଦି ତାଙ୍କ ଦଳ କ୍ଷମତାକୁ ଆସେ, ତେବେ ସେ ଚାକିରିରେ ମୁସଲମାନଙ୍କ ପାଇଁ କୋଟା ୪.୫% ରୁ ବଢାଇ ୯% କରିଦେବେ।

ବହିରେ ରହିଛି ସେହି ଘଟଣାର ଉଲ୍ଲେଖ

‘ହାଚେଟ୍ ଇଣ୍ଡିଆ’ ଦ୍ୱାରା ପ୍ରକାଶିତ ଏବଂ ଶୀଘ୍ର ବଜାରକୁ ଆସିବାକୁ ଥିବା ଏହି ପୁସ୍ତକରେ, ଏସୱାଇ କୁରେଶୀ ଲେଖିଛନ୍ତି, 'ଭାରତୀୟ ଜନତା ପାର୍ଟି ତୁରନ୍ତ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରି ଏହାକୁ ଆଦର୍ଶ ଆଚରଣ ସଂହିତାର ଉଲ୍ଲଂଘନ ବୋଲି କହିଥିଲା। ବିଜେପି କହିଥିଲା ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ଏବଂ ଆଦର୍ଶ ଆଚରଣ ସଂହିତା ଲାଗୁ ହେବା ପରେ କୌଣସି ନୂତନ ଯୋଜନା ଘୋଷଣା କରାଯାଇପାରିବ ନାହିଁ। ସଲମାନ ଖୁର୍ସିଦଙ୍କ ନିର୍ବାଚନ ପ୍ରତିଶ୍ରୁତି ସମ୍ପର୍କରେ ଏକ ଅଭିଯୋଗ ଦାଖଲ କରାଯାଇଥିଲା। ଆମେ ଚାରି ଦିନର ଶୁଣାଣି କରିଥିଲୁ। କଂଗ୍ରେସ ପକ୍ଷରୁ ଅଭିଷେକ ମନୁ ସିଂଘଭି ଏବଂ ବିଜେପି ପକ୍ଷରୁ ପ୍ରତିନିଧିତ୍ୱ କରୁଥିଲେ ଅରୁଣ ଜେଟଲି। ନିର୍ବାଚନ ପ୍ରଚାର ବେଳେ ମତଦାତାଙ୍କୁ ପ୍ରଲୋଭନ ନଦେଖାଇ ପ୍ରତିଶ୍ରୁତିକୁ ଏକ ସୀମାରେଖା ମଧ୍ୟରେ ରଖିବାକୁ ଚର୍ଚ୍ଚା ହୋଇଥିଲା। ଏପରିକି ନିର୍ବାଚନ କମିଶନ୍ ମଧ୍ୟ ଖୁର୍ସିଦଙ୍କୁ ନିନ୍ଦା କରିଥିଲେ, ଯାହାକି ନିର୍ବାଚନ ଆଚରଣ ବିଧି ଅନୁସାରେ ସବୁଠାରୁ କଡା କାର୍ଯ୍ୟାନୁଷ୍ଠାନ ଥିଲା।’ ସେ ଆହୁରି ଲେଖିଛନ୍ତି, ନିର୍ବାଚନ କମିଶନଙ୍କ ନିନ୍ଦାରେ ଖୁର୍ସିଦ ଖୁବ୍ ଚିନ୍ତିତ ଥିଲେ। ଏହାକୁ ନେଇ କଂଗ୍ରେସରେ ସ୍ବର ଉତ୍ତୋଳନ ହୋଇଥିଲା। କଂଗ୍ରେସର ନେତାମାନେ ନିର୍ବାଚନ କମିଶନ ମନମାନୀ କରୁଛନ୍ତି ବୋଲି କହି ବିରୋଧ କରିଥିଲେ। ଯଦିଓ ଏହି ବିରୋଧ ମୋତେ ଚିନ୍ତିତ କରିନଥିଲା, କିନ୍ତୁ ସଂସ୍ଥାଗତ ବିଶ୍ୱସନୀୟତାକୁ ନେଇ ଏହି କଥାକୁ ହାଲକାରେ ନେଇନଥିଲି।’ ଉଲ୍ଲେଖନୀୟ ଯେ, କ୍ୟୁରେଶୀ ଜୁଲାଇ ୨୦୧୦ ରୁ ଜୁନ୍ ୨୦୧୨ ଯାଏଁ ସିଇସି ଥିଲେ।

ଏଭଳି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ପହଁଞ୍ଚିଥିଲା କଥା

ଏହି ସମୟରେ କ୍ୟୁରେଶୀ ଇଦ୍ ଅବସରରେ ନିଜ ଘରେ ବାର୍ଷିକ ସମ୍ମିଳନୀ ଆୟୋଜନ କରିଥିଲେ। ଅତିଥିଙ୍କ ଭିତରେ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କ ପ୍ରେସ୍ ସଚିବ ହରିଶ ଖରେ ମଧ୍ୟ ଥିଲେ। କ୍ୟୁରେଶୀ ଆଲୋଚନା ବେଳେ ତାଙ୍କ ନିକଟରେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ହରିଶ ଖରେ ପଚାରିଥିଲେ, କ’ଣ ମୁଁ ଏକଥା ପ୍ରଧାନମନ୍ତ୍ରୀଙ୍କୁ କହିବି ? କ୍ୟୁରେଶୀ କହିଥିଲେ, ହଁ, ଆପଣ ଏହା ତାଙ୍କୁ କୁହନ୍ତୁ ସେଥିପାଇଁ କହୁଛି।’ତା ପରଦିନ କ୍ୟୁରେଶରୀଙ୍କୁ ‘ରେକ୍ସ’(ରେଷ୍ଟ୍ରିକଟେଡ୍ ଆକ୍ସେସ୍ ଏକ୍ସଚେଞ୍ଜ) ଫୋନ୍ ବାଜିଥିଲା। ଅନ୍ୟପକ୍ଷେ କୁହାଯାଇଥିଲା ପ୍ରଧାନମନ୍ତ୍ରୀ ଆପଣଙ୍କ ସହ ତୁରନ୍ତ କଥା ହେବାକୁ ଚାହୁଁଛନ୍ତି।’ କିଛି କ୍ଷଣ ପରେ ମନମୋହନ ସିଂହ ଫୋନ୍ ଧରନ୍ତି। ତାଙ୍କ ସ୍ବରରେ ଅଦ୍ଭୁତ ଭାବରେ ଏକ ଅସ୍ଥିରତା ଥିଲା। ସେ କହିଥିଲେ, କ୍ୟୁରେଶୀଜୀ, କ’ଣ ଆପଣ ମୋତେ ତୁରନ୍ତ ଭେଟି ପାରିବେ ? ତାଙ୍କର କଥାରୁ ଏଭଳି ଲାଗୁଥିବା ସେ ଯେପରି ନିଜେ ତାଙ୍କୁ ଭେଟିବାକୁ ବି ପ୍ରସ୍ତୁତ। ଏହାପରେ ମୁଁ ଜବାବ୍ ଦେଇଥିଲି ସାର୍ ଆପଣ ତ ପ୍ରଧାନମନ୍ତ୍ରୀ। ଯେତେବେଳେ କହିବେ, ମୁଁ ଆସିଯିବି।’ ସନ୍ଧ୍ୟା ୭ଟା ବେଳେ ସାକ୍ଷାତର ସମୟ ଦିଆଗଲା। ମୁଁ ସେହି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଁଞ୍ଚିଥିଲି। ପ୍ରଧାନମନ୍ତ୍ରୀ ଘରର ଗେଟ୍ ଆଗରେ ତାଙ୍କର ଅପେକ୍ଷା କରୁଥିଲେ। ପହଁଞ୍ଚିବା ମାତ୍ରେ ସେ ମୋତେ ଭିତରକୁ ନେଇଯାଇଥିଲେ। ଆମେ ଦୁହେଁ ଠିକ୍‌ରେ ବି ବସିନଥିଲୁ। ସିଂହ ଅତ୍ୟନ୍ତ ଦୁଃଖିତ ସ୍ୱରରେ କହିଲେ, ଆପଣ ଯାହା କହିଥିଲେ ହରିଶ ମୋତେ କହିଲେ। ଯଦି ଆପଣ ଏଭଳି ଭାବୁଛନ୍ତି, ତେବେ ମୁଁ ଆତ୍ମହତ୍ୟା କରିଦେବି।’

କଥା ଶୁଣି ସ୍ତବ୍ଧ ରହିଯାଇଥିଲେ କ୍ୟୁରେଶୀ

ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଲେଖିଛନ୍ତି, ଏହା ଶୁଣି ମୁଁ ସ୍ତବ୍ଧ ଓ ଆଶ୍ଚର୍ଯ୍ୟ ହୋଇଗଲି। ତାଙ୍କର ଅଭିଯୋଗ କିଛି ମନ୍ତ୍ରୀଙ୍କ ଆଚରଣ ବିଷୟରେ ଥିଲା, ମନମୋହନ ସିଂହଙ୍କ ପ୍ରତି ନୁହେଁ, । କ୍ୟୁରେଶୀଙ୍କ ଅନୁଯାୟୀ, ମନମୋହନ ସିଂହ ସବୁବେଳେ ନିର୍ବାଚନ କମିଶନଙ୍କୁ ଭାରତର ଗର୍ବ ଏବଂ ଦେଶର ‘ସଫ୍ଟ ପାୱାର’ ବୋଲି କହୁଥିଲେ। କ୍ୟୁରେଶୀ ତାଙ୍କ ଉଦ୍ଦେଶ୍ୟ ଉପରେ ସନ୍ଦେହ କରିପାରିବେ ବୋଲି କଳ୍ପନା କରିବା ତାଙ୍କ ପାଇଁ ଅସହ୍ୟନୀୟ ଥିଲା। ମନମୋହନ ସିଂହ ତାଙ୍କୁ କହିଥିଲେ, ‘ମୋର କୌଣସି ଧାରଣା ନଥିଲା। ଯଦି ମୁଁ ଜାଣିଥାନ୍ତି, ତେବେ ମୁଁ ତାଙ୍କୁ କଠୋର ଭାବରେ ଭର୍ତ୍ସନା କରିଥାନ୍ତି। ଯଦି ଆପଣଙ୍କୁ କେବେ କିଛି କହିବାର ଅଛି, ତେବେ ଫୋନ୍ କରି ମୋତେ କୁହନ୍ତୁ।’

ମନମୋହନଙ୍କ କଥାକୁ ଭୁଲି ପାରି ନାହାନ୍ତି କ୍ୟୁରେଶୀ

ଏହାପରେ ମନମୋହନ ସିଂହ ଏପରି କିଛି କହିଥିଲେ ଯାହାକୁ କୁରେଶୀ ଆଜି ଯାଏଁ ଭୁଲି ନାହାଁନ୍ତି। ସେ କହିଥିଲେ ଯେ ନିର୍ବାଚନ କମିଶନ କେବଳ ଭାରତର ଗର୍ବ ନୁହେଁ, ଏହା ଆମର ଗଣତନ୍ତ୍ରର ଆତ୍ମା। ଯଦି ଆମେ ଏହାକୁ ହରାଇବା, ତେବେ ଆମେ ସବୁକିଛି ହରାଇବୁ। ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଲେଖିଛନ୍ତି ,ଏହି ସାକ୍ଷାତ ତାଙ୍କୁ ମୂଳରୁ ଦୋହଲାଇ ଦେଇଥିଲା। ଏହା ରାଜନୀତି ଯୋଗୁଁ ନୁହେଁ, ବରଂ ସେ ଏପରି ଜଣେ ନେତାଙ୍କୁ ଭେଟିଥିଲେ ଯାହାଙ୍କ ପାଇଁ ସାମ୍ବିଧାନିକ ମର୍ଯ୍ୟାଦା କେବଳ ଔପଚାରିକତା ନୁହେଁ ବରଂ ତାଙ୍କ ଆଚରଣ ଏବଂ ଚିନ୍ତାଧାରାର ଏକ ଅବିଚ୍ଛେଦ୍ୟ ଅଂଶ ଥିଲା।

ସାକ୍ଷାତ ପରେ ନିର୍ବାଚନ କମିଶନଙ୍କ ନେଇ ବନ୍ଦ ହୋଇଥିଲା ବୟାନବାଜି

କ୍ୟୁରେଶୀ ଏହି କଥାର ସୂଚନା ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ ଟି.କେ ଏ.ନାୟର ଓ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଶିବଶଙ୍କର ମେନନଙ୍କୁ ଦେଇଥିଲେ। ହରିଶ ଖରେ ମଧ୍ୟ ଏ ବିଷୟରେ ଅନ୍ୟ ନେତାଙ୍କ ସହ ଆଲୋଚନା କରିଥିଲେ। ଏହି ସାକ୍ଷାତ ପରେ ନିର୍ବାଚନ କମିଶନଙ୍କୁ ନେଇ ହେଉଥିବା ବୟାନବାଜି ବନ୍ଦ ହୋଇଯାଇଥିଲା। କୁରେଶୀ ଲେଖିଛନ୍ତି ‘ମୁଁ ମୋ ଜୀବନରେ ଅନେକ ଶକ୍ତିଶାଳୀ ଲୋକଙ୍କୁ ଦେଖିଛି, କିନ୍ତୁ ବହୁତ କମ୍ ଲୋକ ଯେଉଁମାନେ ଏତେ ସହଜରେ କ୍ଷମତାକୁ ସମ୍ଭାଳିଛନ୍ତି ଏବଂ ଦାୟିତ୍ୱ ଭାରକୁ ଏତେ ଗଭୀର ଭାବରେ ଅନୁଭବ କରିଛନ୍ତି।’ ତାଙ୍କ ଜୀବନର ୧୦୦ଟି ପ୍ରମୁଖ ଘଟଣା ସମ୍ପର୍କରେ କ୍ୟୁରେଶୀ ଏହି ବହିରେ ଉଲ୍ଳେଖ କରିଛନ୍ତି। ଏଥିରେ ଅମଲାତନ୍ତ୍ରର ଦୀର୍ଘ ଯାତ୍ରାର ଘଟଣା, ଦ୍ୱନ୍ଦ୍ୱ ଏବଂ ଅପ୍ରତ୍ୟାଶିତ ଘଟଣାକୁ ମଧ୍ୟ ସ୍ଥାନ ଦେଇଛନ୍ତି।

ଆହୁରି ପଢନ୍ତୁ : ମୁହଁ ବନ୍ଦ ରଖ… ଶେଖ୍ ହସିନା ବାଂଲାଦେଶ ଯିବାର ଘୋଷଣାକୁ ନେଇ ଭୟରେ ତାରିକ୍ ରେହମାନ, ଗଣମାଧ୍ୟମକୁ ଦେଲେ ଚେତାବନୀ