ନୂଆଦିଲ୍ଲୀ : ବାବା ସିଦ୍ଦିକିଙ୍କ ହତ୍ୟା ମାମଲାର ଯାଞ୍ଚ କରୁଥିବା ମୁମ୍ୱାଇ ପୁଲିସ କିଛି ନୂଆ ଖୁଲାସା କରିଛି। କୁହାଯାଉଛି ଯେ, ଏହି ମାମଲାରେ ନିକଟରେ ଗିରଫ କରାଯାଇ ଥିବା ୫ଜଣ ଅଭିଯୁକ୍ତ , ହତ୍ୟା ପାଇଁ ୫୦ ଲକ୍ଷ ଟଙ୍କା ମାଗି ଥିଲେ। ହେଲେ ପେମେଣ୍ଟକୁ ନେଇ ଅସହମତି ଓ ଏନସିପି ନେତାଙ୍କ ପ୍ରଭାବକୁ ଦେଖି ସେ ହତ୍ୟା କରିବାକୁ ମନା କରି ଦେଇ ଥିଲେ। ଏହି ସ୍ଥିତିରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ଜଡ଼ିତ ଶୁଭମ ଲୋଙ୍କର ନୂଆ ସୁଟର ହାୟର କରିବାକୁ ନିଷ୍ପତ୍ତି ନେଇଥିଲା। ସେ ଜାଣିଥିଲା ଯେ ଉତ୍ତର ପ୍ରଦେଶ ଓ ହରିଆଣାର ସୁଟରଙ୍କୁ ମହାରାଷ୍ଟ୍ରରେ ବାବା ସିଦ୍ଦିକିଙ୍କ ଷ୍ଟାଟସ୍ ବିଷୟରେ ଜଣାପଡ଼ିବ ନାହିଁ। ତାଙ୍କର ଏହି ଯୋଜନା କାମ କରିଗଲା ଏବଂ କମ୍‌ ଅର୍ଥରେ ବାହାରର ସୁଟରମାନେ ହତ୍ୟା ପାଇଁ ସହମତି ପ୍ରକାଶ କଲେ। ଏହିପରି ହରିଆଣାର ନିବାସୀ ଗୁରମେଲ ବଲଜିତ ସିଂହ, ଉତ୍ତର ପ୍ରଦେଶର ଧର୍ମରାଜ କଶ୍ୟପ ଓ ଶିବକୁମାର ଗୌତମଙ୍କୁ କଣ୍ଟ୍ରାକ୍ଟ ଦିଆଗଲା। 

ସୂଚନା ଆଧାରରେ , ମୁମ୍ୱାଇ ପୁଲିସ ସିଦ୍ଦିକିଙ୍କ ହତ୍ୟା ମାମଲାରେ ଶୁକ୍ରବାର ୫ଜଣ ଲୋକଙ୍କୁ ଗିରଫ କରାଯାଇ ଥିଲା। ଅଭିଯୋଗ କି ସେମାନେ ପୂର୍ବତନ ବିଧାୟକଙ୍କର ହତ୍ୟାକାଣ୍ଡରେ ସାମିଲ ଲୋକଙ୍କୁ ଆବଶ୍ୟକ ଜିନିଷ ଓ ଅନ୍ୟ ପ୍ରକାରର ସାହାଯ୍ୟ ଦେଇ ଥିଲେ। ବର୍ତ୍ତମାନ ଏହି ଜଘନ୍ୟକାଣ୍ଡରେ ଗିରଫ ଲୋକଙ୍କ ମୋଟ ସଂଖ୍ୟା ୯ରେ ପହଞ୍ଚିଛି। ୩ଜଣ ଲୋକ ଫେରାର ଅଛନ୍ତି। 

ପୁଲିସ କହିଛି , ନିକଟରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ଚିହ୍ନଟ ନୀତିନ ଗୌତମ ସପ୍ରେ (୩୨), ସଂଭାଜୀ କିସାନ ପାରଧି (୪୪), ପ୍ରଦୀପ ଦତ୍ତୁ ଥୋମ୍ୱ୍ରେ(୩୭), ଚେତନ ଦିଲ୍ଲୀପ ପାରଧି ଓ ରାମ ଫୁଲଚନ୍ଦ କନୌଜିଆ(୪୩) ଭାବେ ହୋଇଛି। ଗୌତମ ସପ୍ରେ ଡୋମ୍ୱିଭଲିର ବାସିନ୍ଦା ହୋଇଥିବା ବେଳେ ସଂଭାଜୀ କିସାନ ପାରଧି , ଥୋମ୍ୱ୍ରେ ଓ ଚେତନ ଦିଲ୍ଲୀପ ପାରଧି ଠାଣେ ଜିଲ୍ଲାର ଅମ୍ୱରନାଥରେ ରୁହନ୍ତି। କନୌଜିଆ ରାୟଗଡର ପନୱେଲରେ ରୁହେ। 

ଅଧିକାରୀ କହିଛନ୍ତି କି , ଯାଞ୍ଚକାରୀମାନେ ଜାଣିବାକୁ ପାଇଛନ୍ତି ଯେ, ଗୌତମ ସପ୍ରେଙ୍କ ନେତୃତ୍ୱ ଗ୍ୟାଙ୍ଗ ଫାୟାରିଂ କରାଯିବା ଯାଏ ଷଡ଼ଯନ୍ତ୍ରକାରୀ ଶୁଭମ ଲୋଙ୍କର ଓ ମୁଖ୍ୟ ଷଡ଼ଯନ୍ତ୍ରକାରୀ ମହମ୍ମଦ ଜିଶାନ ଅଖତରଙ୍କ ସଂପର୍କରେ ଥିଲା। ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ସିଦ୍ଦିକିଙ୍କର ୧୨ ଅକ୍ଟୋବର ରାତିରେ, ତାଙ୍କ ବିଧାୟକ ପୁଅ ଜିଶାନ ସିଦ୍ଦିକିଙ୍କ ମୁମ୍ୱାଇର ବାନ୍ଦ୍ରା ସ୍ଥିତ କାର୍ଯ୍ୟାଳୟ ବାହାରେ ଗୁଳି କରି ହତ୍ୟା କରାଯାଇ ଥିଲା। ଏହି ମାମଲାରେ ମୁଖ୍ୟ ସୁଟର ଶିବକୁମାର ଗୌତମ , ଶୁଭମ ଲୋଙ୍କର ଓ ମହମ୍ମଦ ଜିଶାନ ଅଖତର ବର୍ତ୍ତମାନ ଫେରାର ଅଛନ୍ତି। ତାଙ୍କର ତଲାସୀ ମହାରାଷ୍ଟ୍ର ବ୍ୟତୀତ ଅନ୍ୟ ରାଜ୍ୟରେ ମଧ୍ୟ ଚାଲିଛି ।