ନୂଆଦିଲ୍ଲୀ,୧୬।।୧୨: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ନିଜର କାର୍ଯ୍ୟକାଳର ଅନ୍ତିମ ପର୍ଯ୍ୟାୟରେ ଚାଲିଛନ୍ତି। ତାଙ୍କର କାର୍ଯ୍ୟକାଳ ଏବେ ମାତ୍ର ଏକ ଏକ ମାସରୁ କମ୍ ରହିଛି। ଏହା ଭିତରେ ବାଇଡେନ୍ ପ୍ରଶାସନ ଋଷ ସହ ଚାଲିଥିବା ଯୁଦ୍ଧରେ ସାମରିକ ଶକ୍ତି ଓ ସୈନିକଙ୍କ ସଂଖ୍ୟାରେ ବୃଦ୍ଧି କରିବା ପାଇଁ ୟୁକ୍ରେନ୍କ ଏକ ପରାମର୍ଶ ଦେଇଛି। ଆମେରିକା ପ୍ରତିରକ୍ଷା ବିଭାଗ ପେଣ୍ଟାଗନର ଏହି ପରାମର୍ଶ ଦ୍ବାରା ୟୁକ୍ରେନ୍ ରାଷ୍ଟ୍ରପତି ଭୋଲ୍ଡିମିର ଜେଲେନସ୍କି ଚିନ୍ତାରେ ପଡି ଯାଇଛନ୍ତି। ତାହା ହେଲା ଆମେରିକା ଏବେ ୟୁକ୍ରେନ୍କୁ ସେନାରେ ଭର୍ତ୍ତି ପାଇଁ ବୟସ ସୀମାରୁ ୨୫ରୁ ହ୍ରାସ କରି ୧୮ ବର୍ଷ କରିବାକୁ ପରାମର୍ଶ ଦେଇଛି। ଏହା ସହ ସେନାରେ ଭର୍ତ୍ତି ହୋଇଥିବା ନୂଆ ଯବାନଙ୍କୁ ପ୍ରଶିକ୍ଷଣ ଓ ହତିଆର ଦେବାକୁ ପ୍ରସ୍ତାବ ଦେଇଛି। କିନ୍ତୁ ଜେଲନସ୍କି ଏହି ପ୍ରସ୍ତାବରେ ସନ୍ତୁଷ୍ଟ ନୁହନ୍ତି। ତାଙ୍କ ମତରେ ଏହାଦ୍ବାରା ଭବିଷ୍ୟତରେ ଦେଶର ଜନସଂଖ୍ୟା ଉପରେ ଏହାର ପ୍ରଭାବ ପଡିବ।
ବହୁ ବିଶେଷଜ୍ଞଙ୍କ ମତରେ ସୈନିକଙ୍କ ଭର୍ତ୍ତି ବୟସ ହ୍ରାସ କରି ୧୮ ବର୍ଷ କରିବା ଫଳରେ ୟୁକ୍ରେନରେ ଜନ୍ମହାର ଉପରେ ଖରାପ ପ୍ରଭାବ ପଡିବ। ଏମିତିବି ସେଠାରେ ଜନ୍ମହାର କମ୍ ରହିଛି। ନ୍ୟୁଜ ଓ୍ବିକ୍ ର ଏକ ରିପୋର୍ଟ ଅନୁସାରେ, ବର୍ତ୍ତମାନ ୧୦ ଲକ୍ଷରୁ ଅଧିକ ୟୁକ୍ରେନ୍ ସୈନିକ ଋଷ ବିରୋଧରେ ଯୁଦ୍ଧ ଲଢୁଛନ୍ତି। ଏହାପରେ ବି ୟୁକ୍ରେନ୍ ପ୍ରାୟ ୪୩୦୦୦ ସୈନିକଙ୍କ ଅଭାବ ରହିଛି। ୟୁକ୍ରେନ୍କୁ ଋଷ ଭଳି ଦେଶ ସହ ମୁକାବିଲା କରିବା ପାଇଁ ଏବେ ୧.୬୦ ଲକ୍ଷ ଅତିରିକ୍ତ ସୈନିକ ଦରକାର।
ସୈନିକଙ୍କ ସମସ୍ୟାକୁ ଦୂର କରିବା ପାଇଁ ଜେଲେନସ୍କି ସରକାର ଚଳିତ ବର୍ଷ ଏପ୍ରିଲରେ ସର୍ବନିମ୍ନ ବୟସ ୨୭ ରୁ ହ୍ରାସ କରି ୨୫ ବର୍ଷ କରିଥିଲେ। ଅଗଷ୍ଟରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଘୋଷଣା କରିଥିଲା ଯେ ଏକ ପାଇଲଟ୍ ପ୍ରୋଜେକ୍ଟ ଅନୁସାରେ ସୈନିକଙ୍କୁ ଭର୍ତ୍ତିର ନ୍ୟୁନତମ ବୟସ ସୀମା ୨୫ ବର୍ଷରୁ ହ୍ରାସ କରି ୧୭ ବର୍ଷ କରିବାର ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଉଛି। ଏହା ଅନୁସାରେ, ୧୭ ରୁ ୨୫ ବର୍ଷ ବୟସର ଯୁବପୀଢିଙ୍କୁ ବିନା କୌଣସି ମେଡିକାଲ ଟେଷ୍ଟର ସେନା ଭର୍ତ୍ତି ପାଇଁ ପଞ୍ଜିକୃତ କରି ଦିଆଯିବ। କିନ୍ତୁ ଜେଲେନସ୍କି ସରକାର ଏଥିରେ ବଡ଼ ବିପଦ ଥିବାର ଦେଖିବାକୁ ପାଇଛନ୍ତି।