ନୂଆଦିଲ୍ଲୀ, ୧୫/୦୩ : ବୃନ୍ଦାବନ କି ହୋଲି, ସବସେ ନିରାଲି... ଏଠି ରାଧାରାଣୀ ପ୍ରେମ ଆଉ କୃଷ୍ଣ ରସରେ ରଙ୍ଗୀନ ଶ୍ରଦ୍ଧାଳୁ। ବାଙ୍କବିହାରୀଙ୍କ ଚୋରା ଚାହାଣୀରେ ନିଜକୁ ହଜାଇ ଦେଇଛନ୍ତି ସମସ୍ତେ। ପ୍ରେମର ଏ ପର୍ବରେ ଏଠି ନିଆରା ହୋଲି ଖେଳ । ଜୀବନରୁ ସବୁ ରଙ୍ଗ ଲିଭି ଯାଇଥିବା ବେଳେ ପୁଣି ଥରେ କୃଷ୍ଣ ପ୍ରେମ ରଙ୍ଗରେ ରଙ୍ଗୀନ ହୋଇଛନ୍ତି ବିଧବା। ସାଂସାରିକ ସୁଖରୁ ବାସନ୍ଦ ହୋଇ ଭଗବାନଙ୍କ ନିକଟରେ ଶରଣାପନ୍ନ ହୋଇଛନ୍ତି । ସବୁ ଦୁଃଖ ଭୁଲିଯାଇ ବିଧବା ଖେଳୁଛନ୍ତି କୃଷ୍ଣ ରାସ ଓ ରାଧାରାଣୀ ପ୍ରେମର ହୋଲି । 

ଜଣେ ମହିଳା ବିଧବା ହେବା ପରେ ତା’ ଜୀବନରୁ ସବୁ ରଙ୍ଗ ଲିଭିଯାଏ । ସାମାଜିକ ଅସହିଷ୍ଣୁତା ତାକୁ ସାଂସାରିକ ସୁଖ ଠାରୁ ଦୂରରେ ରଖେ । କିନ୍ତୁ ଭଗବାନ କୃଷ୍ଣଙ୍କ ନଗରୀ ବୃନ୍ଦାବନରେ, ଏହି ଚିନ୍ତାଧାର ଭିନ୍ନ । ରଙ୍ଗର ଏହି ଭବ୍ୟ ପର୍ବ, ନାରୀ ସଶକ୍ତିକରଣର ବାର୍ତ୍ତା ଦେଇଛି। ଏଠାରେ ୨୦୦୦ରୁ ଅଧିକ ବିଧବା ହୋଲି ଖେଳିଛନ୍ତି । କୃଷ୍ଣ ରସରେ ରଙ୍ଗୀନ ହୋଇ ‘ଗିନିଜ୍ ୱାର୍ଲ୍ଡ ରେକର୍ଡ’ କରିଛନ୍ତି । ଏହା ସାମାଜିକ ପରିବର୍ତ୍ତନର ଏକ ସମ୍ମାନଜନକ ମୂହୁର୍ତ୍ତରେ ପରିଣତ ହୋଇଛି। 

ଉତ୍ତର ପ୍ରଦେଶ ସରକାର ଓ ସ୍ଥାନୀୟ ସାମାଜିକ ସଙ୍ଗଠନଙ୍କ ସହଯୋଗରେ ଏହି ବିଶ୍ଵ ରେକର୍ଡ ସମ୍ଭବ ହୋଇଛି । ଏହି କାର୍ଯ୍ୟକ୍ରମରେ ଜୈବିକ ରଙ୍ଗ ବ୍ୟବହାର ସହିତ ପାରମ୍ପରିକ ଲୋକଗୀତ, ଭକ୍ତି ସଙ୍ଗୀତ ଏବଂ ନୃତ୍ୟ ପରିବେଷଣ କରାଯାଇଛି। ଗିନିଜ୍ ୱାର୍ଲ୍ଡ ରେକର୍ଡସ୍ ଅଧିକାରୀଙ୍କ ଉପସ୍ଥିତିରେ ଏହି ଐତିହାସିକ ଘଟଣାକୁ ରେକର୍ଡ କରାଯାଇଛି। ବୃନ୍ଦାବନର ଏହି ହୋଲି କେବଳ ଆନନ୍ଦ ଏବଂ ଖୁସିର ପର୍ବ ହେବ ନୁହେଁ, ବରଂ ସାମାଜିକ ସଦ୍ଭାବନା ଏବଂ ବିଧବାମାନଙ୍କ ପ୍ରତି ପୁନଃସମ୍ମାନର ପ୍ରତୀକ।

ବୃନ୍ଦାବନରେ ବିଧବାମାନଙ୍କ ହୋଲି ଏକ ଅନନ୍ୟ ସାଂସ୍କୃତିକ ଉତ୍ସବ। କାରଣ ଅଧିକାଂଶ ସ୍ଥାନରେ ବିଧବାମାନଙ୍କୁ ରଙ୍ଗ ଖେଳିବାକୁ ଅନୁମତି ନାହିଁ। ହେଲେ ସମାଜ ଦ୍ଵାରା ବାଛନ୍ଦ ହୋଇଥିବା ବିଧବାଙ୍କୁ ଏହି ପବିତ୍ର ନଗରୀ ନିଜ କୋଳରେ ଆଶ୍ରୟ ଦେଇଛି । ଆଉ ସେମାନଙ୍କ ରସହୀନ ଜୀବନରେ ପୁଣି ଥରେ ରଙ୍ଗ ଭରି ଦେଇଛି।

ଏହି ଖବରଟିକୁ ପଢନ୍ତୁ-ରଙ୍ଗର ପର୍ବ ହୋଲିରେ ସବୁଠି ଉତ୍ସାହ; ଜମିଲାଣି ରଙ୍ଗ ଖେଳ... ମାତିଛନ୍ତି ପିଲାଠୁ ବୁଢା