ନୂଆଦିଲ୍ଲୀ – ପାକିସ୍ତାନର ପୁଲିସ ଅଫିସର ଦିବଙ୍ଗତ ଚୌଧୁରୀ ଅସଲମ ଆତଙ୍କବାଦୀ ଓ ଅପରାଧିକ ଗୋଷ୍ଠୀଙ୍କ ବିରୋଧରେ ନିଜର ସାହସିକତା ଓ ଏନକାଉଣ୍ଟର ଏକ୍ସପର୍ଟ ଭାବେ ପ୍ରସିଦ୍ଧ ଥିଲେ। ଏବେ ତାଙ୍କ ପତ୍ନୀ ଧମକ ଦେଇ କହିଛନ୍ତି ଯେ ,ଯଦି ତାଙ୍କ ସ୍ୱାମୀଙ୍କୁ ବଲିଉଡ୍ ଫିଲ୍ମ ‘ଧୂରନ୍ଧର’ରେ ଭୁଲ୍ ଓ ନକାରାତ୍ମକ ଭାବେ ପ୍ରଦର୍ଶିତ କରାଯାଇ ଥାଏ ତ , ସେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ। ରଣବୀର ସିଂହଙ୍କ ଅଭିନୀତ ଓ ଆଦିତ୍ୟ ଧରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ‘ଧୂରନ୍ଧର’ ଗୁପ୍ତଚର ଉପରେ ପର୍ଯ୍ୟବେସିତ। ଚଳିତ ମାସର ଆରମ୍ଭରେ ଜାରି କରାଯାଇ ଥିବା ଫିଲ୍ମର ଟ୍ରେଲର କରାଚୀର କୁଖ୍ୟାତ ଲ୍ୟାରୀ ଅଞ୍ଚଳର ଏକ କାହାଣୀର ଝଲକ ପ୍ରଦାନ କରିଥାଏ, ଯେଉଁଠି ଦିନେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଅପରାଧିକ ଗ୍ୟାଙ୍ଗର ପ୍ରଭାବ ଥିଲା।
ଉକ୍ତ ଫିଲ୍ମରେ ପ୍ରସିଦ୍ଧ ଅଭିନେତା ସଞ୍ଜୟ ଦତ୍ତ ଚୌଧୁରୀ ଅସଲମର ଚରିତ୍ରରେ ନଜର ଆସୁଛନ୍ତି। ଏହି ପୁଲିସ ଅଫିସରଙ୍କ ହତ୍ୟା ପାକିସ୍ତାନର ତହରିକ୍-ଏ-ତାଲିବାନ କରିଥିଲା। ୯ ଜାନୁଆରୀ ୨୦୧୪ରେ ଲ୍ୟାରୀ ଏକ୍ସପ୍ରେସୱେରେ ଅସଲମଙ୍କ କାର ଉପରେ ହୋଇଥିବା ବୋମା ଆକ୍ରମଣରେ ଆଉ ଦୁଇ ପୁଲିସ ଅଫିସର , ତାଙ୍କର ଡ୍ରାଇଭର ଓ ସୁରକ୍ଷାକର୍ମୀଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଅସଲମ ଲ୍ୟାରୀ ଗ୍ୟାଙ୍ଗଷ୍ଟରଙ୍କ , (ଯେଉଁଥିରେ ରହମାନ ଡକାୟଟ ଓ ଉଜୈର ବଲୋଚ ସହ ତାଲିବାନ ଆତଙ୍କବାଦୀ ମଧ୍ୟ ସାମିଲ ଥିଲେ) ଉପରେ ଆଇନ ଲାଗୁ କରୁଥିବା ଏଜେନ୍ସି ଗୁଡ଼ିକର କାର୍ଯ୍ୟାନୁଷ୍ଠାନର ନେତୃତ୍ୱ ନେବାରେ ଜଣାଶୁଣା ଥିଲେ।
ଜିୟୋ ଡିଜିଟାଲ ପ୍ଲାଟଫର୍ମକୁ ଦେଇଥିବା ସାକ୍ଷାତକାରରେ ଅସଲମଙ୍କ ପତ୍ନୀ ନୌରୀନ ଅସଲମ କହିଛନ୍ତି ଯେ, ସେ ୫ ଡିସେମ୍ୱରରେ ଭାରତୀୟ ଫିଲ୍ମ ହଲ ଫିଲ୍ମର ରିଲିଜ ହେବାକୁ ଅପେକ୍ଷା କରିଛନ୍ତି, କାରଣ ସେତେବେଳେ ତାଙ୍କୁ ଜଣାପଡ଼ିବ ଯେ , ଫିଲ୍ମନିର୍ମାତାମାନେ ତାଙ୍କ ସ୍ୱାମୀଙ୍କୁ କେମିତି ଭାବେ ଚିତ୍ରଣ କରିଛନ୍ତି।