ଭୁବନେଶ୍ୱର,୩୧/୦୭: ରାଜଧାନୀରେ ଏକ  ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି । ହସ୍ପିଟାଲ୍‌ ବେଡ୍‌ରେ  ସ୍ତ୍ରୀ ଅର୍ଚ୍ଚନା ଓ ୨ ଦିନର ଛୁଆକୁ ଅସହାୟ ଭାବେ ଛାଡ଼ି  ଓଏଏସ୍‌ ସ୍ୱାମୀ ସାର୍ଥକ ସୌରଭ ମହାପାତ୍ର ଫେରାର  ହୋଇଯାଇଛନ୍ତି । ତାଙ୍କ ପତ୍ତା ମିଳୁନି କି ଫୋନ୍‌ ଲାଗୁନି । ସୁଇଚ୍‌ ଅଫ୍‌ କରି କୁଆଡ଼େ ଲୁଚି ଯାଇଛନ୍ତି । ଏଣେ  ସ୍ୱାମୀଙ୍କୁ ଖୋଜି ଖୋଜି ନପାଇବା ପରେ ବୁଧବାର ଅର୍ଚ୍ଚନା  ମହିଳା ଥାନାରେ ପହଞ୍ଚିଛନ୍ତି। ତାଙ୍କ ଅଭିଯୋଗକ୍ରମେ ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ  ଆରମ୍ଭ କରିଛି । 

ଗତ ମେ’ ୭ରେ ସନ୍ତାନ ଜନ୍ମ  ହୋଇଥିଲା । ୯ ତାରିଖରେ ହଠାତ୍‌ କାହାକୁ କିଛି ନଜଣାଇ ଘରୁ କୁଆଡ଼େ ଚାଲି ଯାଇଥିଲେ ସୌରଭ ।  ସେ ଭିତରେ ନବଜାତ ଶିଶୁକୁ ଧରି ଅର୍ଚ୍ଚନା ତାଙ୍କୁ ବହୁ ଖୋଜାଖୋଜି କରିଥିଲେ କିନ୍ତୁ ପାଇନଥିଲେ ।  ଦୀର୍ଘ ୨୦ ଦିନ ପରେ ବି ସେ ଘରକୁ ଫେରିନଥିଲେ । ଅର୍ଚ୍ଚନା ସୌରଭଙ୍କ ଅଫିସ୍‌କୁ ଯାଇ ଖୋଜିବାକୁ ଚେଷ୍ଟା କରି ବି ବିଫଳ ହୋଇଥିଲେ । ଶେଷରେ କୌଣସି ଉପାୟ ନପାଇ ଅର୍ଚ୍ଚନା ଥାନାର ଦ୍ୱାରସ୍ଥ ହୋଇ ପୁଲିସ୍‌ ପାଖରେ ନ୍ୟାୟ ଭିକ୍ଷା କରିଛନ୍ତି ।  

ସୂଚନାନୁସାରେ, ରାଜୀବ ଭବନରେ କାର୍ଯ୍ୟରତ  ଓଏଏସ୍‌ ସାର୍ଥକ ୨୦୨୪ ଫେବ୍ରୁଆରୀ ମାସରେ  ତାରାପ୍ରସାଦ ଦାଶଙ୍କ ଝିଅ ଅର୍ଚ୍ଚନା ଦାଶଙ୍କୁ ବିବାହ  କରିଥିଲେ । ବିବାହର କିଛିଦିନ ସବୁ କିଛି ଠିକ୍‌ଠାକ୍‌  ଚାଲିଥିଲା । ଏହାପରେ ହଠାତ୍‌ ପତ୍ନୀଙ୍କ ପ୍ରତି ସୌରଭଙ୍କ  ଆଚରଣ ବଦଳି ଯାଇଥିଲା । ବିଭିନ୍ନ ସମୟରେ ଅର୍ଚ୍ଚନାଙ୍କୁ  ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ । ପ୍ରଥମେ  ସବୁ ସହି ଯାଉଥିଲେ ଅର୍ଚ୍ଚନା । ଏପରିକି ଗର୍ଭବତୀ  ହେବା ସମୟରେ ଗର୍ଭ ନଷ୍ଟ ପାଇଁ ପାଇଁ ସୌରଭ  କହିଥିଲେ । ଏଥିରେ କିନ୍ତୁ ଅର୍ଚ୍ଚନା ରାଜି ହୋଇନଥିଲେ । ପରିବାରର ଅନ୍ୟତମ ସଦସ୍ୟ ନଣନ୍ଦ ଏବଂ ଶାଶୂ ମଧ୍ୟ  ବିଭିନ୍ନ ସମୟରେ ମାନସିକ ନିର୍ଯାତନା ଦେଉଥିବା ମଧ୍ୟ  ଅର୍ଚ୍ଚନା ପୁଲିସ୍‌ ପାଖରେ ଅଭିଯୋଗ କରିଛନ୍ତି ।