ନୂଆଦିଲ୍ଲୀ ୩୦/୦୧ : ଅଗ୍ନାଶୟ କର୍କଟ ଚିକିତ୍ସାରେ ବଡ଼ ସଫଳତା । ବୈଜ୍ଞାନିକମାନେ ପ୍ରୟୋଗଶାଳାରେ ମୂଷାଠାରେ ଏହି ପ୍ରୟୋଗ କରି ଟ୍ୟୁମର୍ ମୂଳୋତ୍ପାଟନର ମାର୍ଗ ପାଇଛନ୍ତି । ପ୍ରୋସିଡିଂସ ଅଫ୍ ଦ ନ୍ୟାସନାଲ ଏକାଡେମୀ ଅଫ୍ ସାଇନ୍ସେସ୍ (ପିଏନ୍ଏଏସ୍) ପତ୍ରିକାରେ ଅଧ୍ୟୟନ ପ୍ରକାଶ ପାଇଛି । ବୈଜ୍ଞାନିକମାନେ ଟ୍ରିପଲ୍ କମ୍ବିନେସନ୍ (ମିଶ୍ରଣ) ଥେରାପି ପ୍ରୟୋଗ କରି ମୂଷାଠାରେ ଟ୍ୟୁମର୍ ଦୂର କରିବାରେ ସଫଳ ହୋଇଛନ୍ତି, ଯାହା ଚିକିତ୍ସା ପ୍ରତିରୋଧର ସାଧାରଣ ସମସ୍ୟାକୁ ଦୂର କରିବ ବୋଲି ଅଧ୍ୟୟନ ସ୍ପଷ୍ଟ କରିଛି । ଅଗ୍ନାଶୟ କର୍କଟ ଚିକିତ୍ସା ନିମନ୍ତେ ବର୍ତ୍ତମାନ ଉପଲବ୍ଧ ଔଷଧ କିଛି ମାସ ମଧ୍ୟରେ ପ୍ରଭାବଶୂନ୍ୟ ହେଉଛି । ଏହାର କାରଣ ଟ୍ୟୁମର୍ ପ୍ରତିରୋଧୀ ହେଉଛି ।
ଅଧ୍ୟୟନକର୍ତ୍ତାଙ୍କ ଅନୁସାରେ, ଏହି ଅଧ୍ୟୟନ ନୂଆ ମିଶ୍ରଣ ଚିକିତ୍ସା ଲାଗି ନୂଆ ମାର୍ଗ ଖୋଲିଛନ୍ତି, ଯାହା ସବୁଠୁ ସାଧାରଣ ଅଗ୍ନାଶୟ କର୍କଟ ପାନ୍କ୍ରିଆଟିକ୍ ଡକ୍ଟାଲ ଆଡେନୋକାରସିନୋମାରେ ପୀଡ଼ିତ ରୋଗୀଙ୍କୁ ବଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରେ । ଅଧ୍ୟୟନଗୁଡ଼ିକର ଫଳ ନୂଆ ଚିକିତ୍ସକୀୟ ପରୀକ୍ଷଣ ଲାଗି ମାର୍ଗ ପ୍ରଶସ୍ତ କରିଛି । ସ୍ପାନିଶ୍ ନ୍ୟାସନାଲ କ୍ୟାନ୍ସର ରିସର୍ଚ୍ଚ ସେଣ୍ଟର୍ର ଏକ୍ସପେରିମେଣ୍ଟାଲ ଅଂକୋଲୋଜି ଗ୍ରୁପ୍ର ମୁଖ୍ୟ ମାରିଆନୋ ବାର୍ବାସିଡ୍ଙ୍କ ନେତୃତ୍ୱାଧୀନ ବୈଜ୍ଞାନିକ ଟିମ୍ ପୂର୍ବରୁ ଫୁସ୍ଫୁସ୍ କର୍କଟ ନିମନ୍ତେ ଅନୁମତିପ୍ରାପ୍ତ ଏକ ପରୀକ୍ଷାମୂଳକ ଔଷଧରେ ଏକ ପ୍ରୋଟିନ୍ ଡିଗ୍ରେଡର୍ ମିଶାଇଲେ । ଏହି ଔଷଧର ପରିଣାମସ୍ୱରୂପ ୩ ଭିନ୍ନ ଭିନ୍ନ ପ୍ରାଣୀ ମଡେଲ୍ରେ କୌଣସି ଗୁରୁତ୍ୱପୂର୍ଣ୍ଣ ପାଶ୍ୱର୍ ପ୍ରତିକ୍ରିୟା ବିନା ଟ୍ୟୁମର୍ ଦୂର ହୋଇଥିଲା ।
ଆହୁରି ପଢ଼ନ୍ତୁ...ଚୀନ୍ରେ ଗୋଟିଏ ପରିବାରର ୧୧ ଜଣଙ୍କୁ ଫାଶୀ, ଗମ୍ଭୀର ଦୁର୍ନୀତିରେ ଜଡ଼ିତ ଥିଲା କୁଖ୍ୟାତ ମିଙ୍ଗ୍ ପରିବାର
ବ୍ରିଟେନ ସ୍ଥିତ ସ୍ପେନ୍ ଦୂତାବାସ ସୋସିଆଲ ମିଡିଆରେ ବୈଜ୍ଞାନିକଙ୍କ ଉପଲବ୍ଧି ଶେୟାର କରିଛି । ଅଗ୍ନାଶୟ କର୍କଟ ମୁକାବିଲାରେ ଏହି ସଫଳତା ନବଦିଗନ୍ତ ହେବ ବୋଲି ଏହା ସ୍ପଷ୍ଟ କରିଛି । କର୍କଟ ମୁକାବିଲାରେ ଅଧ୍ୟୟନର ଫଳ ମାଇଲଖୁଣ୍ଟ ହେଲେ ମଧ୍ୟ ବୈଜ୍ଞାନିକମାନେ ଏ ନେଇ ଅତ୍ୟନ୍ତ ଯତ୍ନବାନ । ଏହାର ମାନବ ପରୀକ୍ଷଣ ପାଇଁ ସେମାନେ ଏବେ ପ୍ରସ୍ତୁତ ନୁହନ୍ତି ।