ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କୀ ହମଲା ପରେ ଭାରତ ସିନ୍ଧୁ ଜଳ ଚୁକ୍ତିକୁ ରଦ୍ଦ କରି ଦେଇଛି। ଆର୍ଥିକ ମାମଲାରେ ଲଗାତାର ବିଫଳ ସାବ୍ୟସ୍ତ ହେଉଥିବା ପଡୋଶୀ ଦେଶ (ପାକିସ୍ତାନ) ପାଇଁ ଏହି ନିଷ୍ପତ୍ତି କୌଣସି ବଡ଼ ଝଟକା ଠାରୁ କମ୍‌ ନୁହେଁ, କାରଣ ଏହାର ଅର୍ଥବ୍ୟବସ୍ଥାର ବଡ଼ ଭାଗ ଆଜି ବି ଚାଷ ଉପରେ ନିର୍ଭରଶୀଳ। ଏହି ନିଷ୍ପତ୍ତିକୁ ନେଇ ପାକିସ୍ତାନର ଚିନ୍ତା ବଢି ଯାଇଛି। ଏହା ଏହି କଥାରୁ ଜଣାପଡ଼ୁଛି , ଯେତେବେଳେ ସରିଫ୍‌ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଯଦି ଭାରତ ଏମିତି କରେ ତ ଏହାକୁ ଆକ୍ଟ ଅଫ୍‌ ୱାର ମନେକରାଯିବ। ଏବେ ଏମିତି ଉତ୍ତେଜିତ ମାହୋଲରେ ପାକିସ୍ତାନ ପକ୍ଷରୁ ଭାରତର ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ ଦେବାର ରୂପରେଖ ପ୍ରସ୍ତୁତ କରାଯାଉଛି।

ରୟଟର୍ସର ରିପୋର୍ଟ ମୁତାବିକ, ପାକିସ୍ତାନର ଶହବାଜ ସରିଫ୍‌ ସରକାରଙ୍କ ମନ୍ତ୍ରୀ କହିଛନ୍ତି , ଭାରତ ନେଇଥିବା ନିଷ୍ପତ୍ତି ବିରୋଧରେ ପାକିସ୍ତାନ ଅତି କମ୍‌ରେ ୩ଟି ଅଲଗା ଅଲଗା ଆଇନଗତ ବିକଳ୍ପ ଉପରେ ପ୍ରସ୍ତୁତି କରୁଛି। ପାକିସ୍ତାନର ରାଜ୍ୟ ଆଇନମନ୍ତ୍ରୀ ଅକିଲ ମଲିକ୍‌ଙ୍କ ଅନୁସାରେ , ଏହି ୩ଟି ବିକଳ୍ପରେ ସର୍ବ ପ୍ରଥମେ ଏହା ଯେ, ପାକିସ୍ତାନ ଏହି ସନ୍ଧିକୁ କାର୍ଯ୍ୟକାରୀ କରିଥିବା ବିଶ୍ୱବ୍ୟାଙ୍କର ସାମ୍ନାରେ ଏହି ମାମଲାକୁ ଉଠାଇ ପାରେ।  

ପାକିସ୍ତାନୀ ମନ୍ତ୍ରୀଙ୍କ ମୁତାବିକ , ୨ୟ ଓ ୩ୟ ବିକଳ୍ପ ଭାବେ ପାକିସ୍ତାନ ‘ଅନ୍ତର୍ଜାତୀୟ ମଧ୍ୟସ୍ଥତା ନ୍ୟାୟାଳୟ’ ବା ହେଗ୍‌ ସ୍ଥିତ ‘ ଅନ୍ତରାଷ୍ଟ୍ରୀୟ କୋର୍ଟ ’ ରେ ମଧ୍ୟ ଭାରତ ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରେ। ଇଣ୍ଟରନ୍ୟାସନାଲ କୋର୍ଟରେ ଭାରତ ଉପରେ ଏହି ଅଭିଯୋଗ ଲଗାଯାଇ ସାରିଛି ଯେ, ଭାରତ ସନ୍ଧି ଗୁଡ଼ିକର ଆଇନରେ ୧୯୬୦ରେ କରାଯାଇ ଥିବା ଭିଏନା କନଭେନସନର ଉଲ୍ଲଂଘନ କରିଛି। 

ମଲିକଙ୍କ ମୁତାବିକ , ପାକିସ୍ତାନୀ ସରକାର ଓ ଅଧିକାରୀଙ୍କ ମଧ୍ୟରେ ଏହି ମାମଲାରେ ଆଇନଗତ ରଣନୀତିରେ ଆଲୋଚନା ପାଖାପାଖି ପୂରା ହୋଇ ସାରିଛି। ସରକାର ଏହି ତିନୋଟି ମଧ୍ୟରୁ କେଉଁ ରାସ୍ତାରେ ଆଗକୁ ବଢିବ ବା ଗୋଟିଏରୁ ଅଧିକ ରାସ୍ତାରେ ଆଗକୁ ବଢିବାର ନିଷ୍ପତ୍ତି ନେଉଛି। ଏହା ଉପରେ ଖୁବ୍‌ ଶୀଘ୍ର ନିଷ୍ପତ୍ତି ନିଆ ଯିବ। ମଲିକ୍‌ କହିଛନ୍ତି ଯେ, ମୋ ହିସାବରେ ଗୋଟିଏରୁ ଅଧିକ ରାସ୍ତାରେ ଆଗକୁ ବଢିବାର ସମ୍ଭାବନା  ଅଧିକ ଅଛି।

ପାକିସ୍ତାନ ପକ୍ଷରୁ ଏହି ମାମଲାକୁ ନେଇ ଖୁବ୍‌ ହୋ ହାଲ୍ଲା ଚାଲିଛି। ଅନ୍ୟପଟେ, ଭାରତର ଜଳ ସମ୍ପଦ ମନ୍ତ୍ରଣାଳୟର ଅଧିକାରୀଙ୍କୁ ଯେତେବେଳେ ଏହି ମାମଲାରେ ପ୍ରତିକ୍ରିୟା ମଗା ଯାଇଛି , ସେମାନେ ଏଥିରେ କିଛି କହିବାକୁ ମନାକରି ଦେଇଛନ୍ତି।