ନୂଆଦିଲ୍ଲୀ,୨।୩: ଇରାନ ଉପରେ ଆମେରିକା ଓ ଇସ୍ରାଏଲର ଜୋରଦାର ଆକ୍ରମଣ। ସୁପ୍ରିମ ଲିଡର ଆୟାତୁଲ୍ଲା ଅଲ୍ଲୀ ଖାମେନେଇଙ୍କ ମୃତ୍ୟୁ ପରେ ଆହୁରି ଭୟଙ୍କର ହୋଇଛି ଯୁଦ୍ଧ। ତେବେ ଏହା ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଚର୍ଚ୍ଚାରେ ଆସିଛନ୍ତି। ଆଧୁନିକ ଆମେରିକୀୟ ଇତିହାସରେ, ହୁଏତ କୌଣସି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରି ଏତେ ଦେଶ ଉପରେ ସାମରିକ ଆକ୍ରମଣ କରି ନାହାଁନ୍ତି। ସେ ସାତଟି ଭିନ୍ନ ଭିନ୍ନ ଦେଶ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଏଥିମଧ୍ୟରୁ ତିନୋଟି ଥିଲା ଇରାନ, ନାଇଜେରିଆ ଏବଂ ଭେନେଜୁଏଲା, ଯେଉଁଠାରେ ଆମେରିକା ପୂର୍ବରୁ କେବେ ସାମରିକ ଆକ୍ରମଣ କରିନଥିଲା। ରାଷ୍ଟ୍ରପତି ବାଇଡେନ୍ ଚାରି ବର୍ଷ ମଧ୍ୟରେ ଯେତିକି ବିମାନ ଆକ୍ରମଣ କରିବାକୁ ଅନୁମତି ଦେଇଥିଲେ, ଟ୍ରମ୍ପ ୨୦୨୫ ରେ ତା'ଠାରୁ ଅଧିକ ବିମାନ ଆକ୍ରମଣକୁ ଅନୁମତି ଦେଇଛନ୍ତି।

ଏହି ମାମଲା ଏଥିପାଇଁ ଗୁରୁତ୍ବପୂର୍ଣ୍ଣ କାରଣ ଟ୍ରମ୍ପ ନିର୍ବାଚନ ସମୟରେ ନିଜକୁ ଯୁଦ୍ଧ ବିରୋଧୀ ନେତା ଭାବରେ ଉପସ୍ଥାପନ କରିଥିଲେ, ନୂତନ ଯୁଦ୍ଧରେ ଆମେରିକାକୁ ସାମିଲ ନକରିବା ନେଇ ପ୍ରତିଜ୍ଞା କରିଥିଲେ। ହ୍ୱାଇଟ୍ ହାଉସ୍ ଆଜି ଏହା ମଧ୍ୟ କହିଛି ଯେ, ଟ୍ରମ୍ପ ଆଲୋଚନା ଏବଂ କୂଟନୀତିକୁ ପ୍ରାଥମିକତା ଦିଅନ୍ତି। ପ୍ରଶାସନ ଅନୁସାରେ, ସମସ୍ତ ଶାନ୍ତିପୂର୍ଣ୍ଣ ରାସ୍ତା ସମାପ୍ତ ହୋଇଗଲେ ଟ୍ରମ୍ପ କେବଳ ବଳ ପ୍ରୟୋଗ କରନ୍ତି। ସେମାନଙ୍କ ମତରେ,ଅତ୍ୟାଧିକ ଶକ୍ତି ଦେଖାଇବା ହିଁ ସ୍ଥାୟୀ ଶାନ୍ତିର ପଥ ।

ଇରାନ ଉପରେ ଆକ୍ରମଣର ପ୍ରଥମ ୨୪ ଘଣ୍ଟା ମଧ୍ୟରେ ତିନି ଜଣ ଆମେରିକୀୟ ସୈନିକଙ୍କ ମୃତ୍ୟୁ ଏହି ଦାବିକୁ ଏକ କଠିନ ପରୀକ୍ଷାରେ ପକାଇଛି। ଟ୍ରମ୍ପ ରବିବାର ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି, ଦୁଃଖର ବିଷୟ, ଏହା ଯେ, ଶେଷ ହେବା ପୂର୍ବରୁ ହୁଏତ ଆହୁରି ଜୀବନ ଯିବ।’ ସେ ଏହା ମଧ୍ୟ କହିଛନ୍ତି ଯେ ସେ ଆହୁରି କ୍ଷତିକୁ ରୋକିବା ପାଇଁ ଯଥାସମ୍ଭବ ଚେଷ୍ଟା କରିବେ ଏବଂ ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କର ପ୍ରତିଶୋଧ ନିଆଯିବ। ଏପର୍ଯ୍ୟନ୍ତ ଚାରି ଜଣ ଆମେରିକୀୟ ସୈନିକଙ୍କ ମୃତ୍ୟୁ ଘଟିଛି। ଟ୍ରମ୍ପଙ୍କ ସାମରିକ ଆକ୍ରମଣ କେବଳ ସଂଖ୍ୟାରେ ନୁହେଁ ବରଂ ପଦ୍ଧତିରେ ମଧ୍ୟ ଭିନ୍ନ।

୯/୧୧ ପରେ, ଜର୍ଜ ଡବ୍ଲୁ. ବୁଶ ବଡ଼ ଧରଣର ଅଭିଯାନ ଆରମ୍ଭ କରିଥିଲେ। ପରେ, ବାରାକ ଓବାମା ଡ୍ରୋନ ଆକ୍ରମଣ ଆରମ୍ଭ କରିଥିଲେ। କିନ୍ତୁ ଏହି ଅଭିଯାନଗୁଡ଼ିକ ପୂର୍ବ-ଅନୁମୋଦିତ କିମ୍ବା ଚାଲୁଥିବା ଯୁଦ୍ଧ କ୍ଷେତ୍ର ପର୍ଯ୍ୟନ୍ତ ସୀମିତ ଥିଲା। ତେବେ ଟ୍ରମ୍ପ ପୁରା ଓଲଟା କରିଛନ୍ତି। ସେ ନାଇଜେରିଆରେ ଖ୍ରୀଷ୍ଟମାସ ଦିନ ଆକ୍ରମଣ କରିଥିଲେ, କାରିବିଆନରେ ଡ୍ରଗ୍ସ ତସ୍କରୀ ଡଙ୍ଗା ବୁଡ଼ାଇ ଦେଇଥିଲେ ଏବଂ କାରାକାସରେ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ବନ୍ଦୀ କରିଥିଲେ। ଟ୍ରମ୍ପଙ୍କ ରଣନୀତି ସ୍ପଷ୍ଟ: କୌଣସି ସୈନିକ ପଠାଇବେ ନାହିଁ, କୌଣସି ଦେଶରେ ଦୀର୍ଘ ସମୟ ଧରି ମୁତୟନ କରିବେନି ଏବଂ ଅଳ୍ପ ସମୟ ମଧ୍ୟରେ ଏକ ବିଶାଳ ସାମରିକ ଶକ୍ତିର ବ୍ୟବହାରକରିବା। ଏହାକୁ ସେ ଆମେରିକା ସ୍ୱାର୍ଥ ରକ୍ଷା ପାଇଁ ଆବଶ୍ୟକ ବୋଲି କହୁଛନ୍ତି।

ଇରାନ ବିରୁଦ୍ଧରେ ବର୍ତ୍ତମାନର ଅଭିଯାନକୁ ଟ୍ରମ୍ପଙ୍କ ରାଷ୍ଟ୍ରପତିତ୍ୱର ସବୁଠାରୁ ଆକ୍ରମଣାତ୍ମକ ଏବଂ ବିପଦପୂର୍ଣ୍ଣ କାର୍ଯ୍ୟ ବୋଲି ବିବେଚନା କରାଯାଉଛି। ସେ ଅପରେସନ୍ ‘ଏପିକ୍ ଫ୍ୟୁରି’ ନାମକ ଏକ ମିଳିତ ଆମେରିକା-ଇସ୍ରାଏଲ ଅଭିଯାନ ଆରମ୍ଭ କରିଥିଲେ, ଯାହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଇରାନ ସରକାରଙ୍କୁ କ୍ଷମତାଚ୍ୟୁତ କରିବା। ସେ କଂଗ୍ରେସ ଅନୁମୋଦନ ବିନା ଏବଂ ଦୀର୍ଘ ସାର୍ବଜନୀନ ବିତର୍କ ବିନା ଏହି ନିଷ୍ପତ୍ତି ନେଇଥିଲେ। ୨୦୦୩ ଇରାକ ଯୁଦ୍ଧ ପରେ ମଧ୍ୟପ୍ରାଚ୍ୟରେ ଏତେ ବଡ଼ ଆମେରିକୀୟ ସାମରିକ ବୃଦ୍ଧି ଏହା ପ୍ରଥମ ଥର ପାଇଁ ଘଟିଛି। ଟ୍ରମ୍ପ କହିଛନ୍ତି ଯେ ଏହି ଅଭିଯାନ ଚାରି ସପ୍ତାହ ପର୍ଯ୍ୟନ୍ତ ଚାଲିପାରିବ। ଏହାର ଲକ୍ଷ୍ୟ ହେଉଛି ଇରାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର, ଏହାର କ୍ଷେପଣାସ୍ତ୍ର ଶିଳ୍ପ ଏବଂ ଏହାର ନୌସେନାକୁ ଧ୍ୱଂସ କରିବା। ଏହି ଯୁଦ୍ଧକୁ ନେଇ ଆମେରିକା ଭିତରେ ମଧ୍ୟ ମତଭେଦ ଅଛି। ଗଣମାଧ୍ୟମ ସମୀକ୍ଷକ ଟକର କାର୍ଲସନ ଇରାନ ଉପରେ ଆକ୍ରମଣକୁ ଭୁଲ ଏବଂ ଘୃଣ୍ୟ ବୋଲି କହିଥିଲେ।