ନୂଆଦିଲ୍ଲୀ,୩୧/୦୮: ବିହାର ରାଜନୀତିରେ ସ୍ୱାଧୀନତା ପରଠୁ ଦଶକର ଶେଷ ଯାଏ କଂଗ୍ରେସର ଦବଦବା ରହିଥିଲା । ହେଲେ ଏବେ ଦଳ ବ୍ୟାକଫୁଟ୍‌ରେ ପଡିଛି । ବିହାରରେ କମବ୍ୟାକ୍ କରିବାକୁ ଚାହୁଁଛି କଂଗ୍ରେସ । ସାଢେ ୩ ଦଶକ ପରେ କ୍ଷମତାକୁ ଫେରିବାକୁ ଅଣ୍ଟା ଭିଡିଛି । ଆରଜେଡି ସହ କଂଗ୍ରେସ ଏକ ଯାତ୍ରା ଜାରି ରଖିଛି । ଅଗଷ୍ଟ ୧୭ରୁ ବିହାର ସାସାରାମରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ ଜେଡିୟୁ ନେତା ତେଜସ୍ୱୀ ଯାଦବଙ୍କ ସହ ମିଶି 'ଭୋଟର ଅଧିକାର ଯାତ୍ରା' ଆରମ୍ଭ ହୋଇଛି । ଏହି ୧୬ ଦିନିଆ ଯାତ୍ରାରେ ରାହୁଲଙ୍କ ଦେଶୀ ପଲିଟିକ୍ସ ଦେଖିବାକୁ ମିଳିଛି । ଏହି ଯାତ୍ରାରେ ୧୩୦୦ କିମି ଅତିକ୍ରମ କରିବା ପରେ ଆସନ୍ତାକାଲି ଅର୍ଥାତ୍ ସେପ୍ଟେମ୍ବର ୧ରେ ରାଜଧାନୀ ପାଟନାରେ ଶେଷ ହେବ । ଗୋଟିଏ ମିଶନ ଗଣତନ୍ତ୍ରକୁ ବଞ୍ଚାଅକୁ ନେଇ ଜାରିଥିବା ଏହି 'ଭୋଟର ଅଧିକାର ଯାତ୍ରା' ମହାମେଣ୍ଟକୁ କେତେ ଫାଇଦା ଦେବ ? ବିଳ୍ପବ ଓ କ୍ରାନ୍ତିର ମାଟି ବିହାରରେ କଂଗ୍ରେସର ୩୫ ବର୍ଷର ବନବାସ ସରିବ କି ?

ବିହାରରେ ରାହୁଲ ଗାନ୍ଧୀଙ୍କ ଅଲଗା ଅନ୍ଦାଜ- କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଗଷ୍ଟ ୧୭ରୁ ୧୬ ଦିନିଆ 'ଭୋଟର ଅଧିକାର ଯାତ୍ରା'ରେ ସାମିଲ ହୋଇଛନ୍ତି । ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି ରାହୁଲ ଗାନ୍ଧୀ । ରାହୁଲ ତାଙ୍କର ୨ ସପ୍ତାହ ଯାତ୍ରାରେ ଲୋକଙ୍କ ହୃଦୟ ଜିତିବାକୁ ପୁରା ଦେଶୀ ଅନ୍ଦାଜ ଏବଂ ରୂପରେ ନଜର ଆସିଛନ୍ତି । ମଞ୍ଚକୁ ଲୋକଙ୍କୁ ଡାକି ସମ୍ବୋଧିକ କରିଛନ୍ତି ଯାହାଙ୍କ ନାମ ଭୋଟ ଲିଷ୍ଟରେ ନାହିଁ । ବିହାରରେ ରାଜନୀତି ମାହୋଲ ଏକଦମ୍‌ କଂଗ୍ରେସମୟ ହୋଇଛି ।

ରାହୁଲଙ୍କ ଯାତ୍ରାର ରୋଡ଼ମ୍ୟାପ- ରାହୁଲ ଗାନ୍ଧୀଙ୍କ 'ଭୋଟର ଅଧିକାର ଯାତ୍ରା' ବିହାରରେ ୨୩ ଜିଲ୍ଲାରେ ହୋଇ ୧୩୦୦ କିମିର ଯାତ୍ରା ଅତିକ୍ରମ କରିବ । ସାସାରାମରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଔରଙ୍ଗାବାଦ, ଗୟା, ନାଲନ୍ଦା, ନବାଦା, ଶେଖପୁରା, ଦରଭଙ୍ଗା, ଗୋପାଳଗଞ୍ଜ ସମେତ ୨୩ ଜିଲ୍ଲା ଦେଇ ପାଟନାରେ ପହଞ୍ଚିବ । ରାହୁଲଙ୍କ ଏହି ଯାତ୍ରାର ରୋଡ ମ୍ୟାପ୍ ରଣନୀତି ସହ ହୋଇଛି । ଯେଉଁଥିରେ ବିଜେପିଠୁ ନେଇ ଜେଡିୟୁ ଏବଂ ଚିରାଗ ପାସୱାନ ଜିତନରାନ ମାଝୀଙ୍କ ଗଡ ଆସୁଛି । ଏହାକୁ ଏନଡିଏର ଦୁର୍ଗ ବୋଲି ବିବେଚନା କରାଯାଉଛି । ୱାନ୍‌ ମ୍ୟାନ୍ ୱାନ୍‌ ଭୋଟ..ଗଣତନ୍ତ୍ରକୁ ବଞ୍ଚାଅ ମିଶନ୍‌ର ଏହି ଯାତ୍ରା ଇଣ୍ଡି ମେଣ୍ଟକୁ ଫାଇଦା ଦେବ ବୋଲି ଆକଳନ କରାଯାଉଛି ।

ବିହାରରେ କଂଗ୍ରେସର ୩୫ ବର୍ଷର ବନବାସ ସରିବ କି ?  ସ୍ୱାଧୀନତା ପରଠୁ ନେଇ ୧୯୯୦ ଯାଏ ବିହାରରେ କଂଗ୍ରେସର ଦବଦବା ଥିଲା । ହେଲେ ରାଜନୀତି ଏମିତି ମୋଡ଼ ନେଲା ଯେ ସବୁ ବଦଳିଗଲା । କଂଗ୍ରସେ କ୍ଷମତା ହରାଇଲା । ଧୀରେ ଧୀରେ ଦୁର୍ବଳ ହୋଇ ବ୍ୟାକଫୁଟରେ ପଡିଗଲା ସର୍ବପୁରାତନ ଦଳ । ବିହାରରେ କଂଗ୍ରେସର ସ୍ଥିତି ଗତ ୩ ଲୋକସଭା ନିର୍ବାଚନ ଏବଂ ବିଧାନସଭା ନିର୍ବାଚନର ପରିଣାମରୁ ସ୍ପଷ୍ଟ ହୋଇଛି ।

କଂଗ୍ରେସ ୨୦ ବର୍ଷରେ ବିହାରରେ ୧୦ ପ୍ରତିଶତ ଭୋଟ ବି ହାସଲ କରିପାରିନାହିଁ । ଗତ ୩ ବିଧାନସଭା ନିର୍ବାଚନର ପରିଣାମ ଏବଂ ଭୋଟ ସେୟାରକୁ ଦେଖିଲେ କଂଗ୍ରେସ କେବଳ ସଂଘର୍ଷ କରିଛି । ୨୦୧୦ ନିର୍ବାଚନରେ ଦଳ ୪ଟି ଆସନରେ ସୀମିତ ରହିଥିଲା । ଭୋଟ୍ ସେୟାର ୮.୨୭% ଥିଲା । ୨୦୧୫ ବିଧାନସଭା ନିର୍ବାଚନରେ କଂଗ୍ରେସ ୪୧ ସିଟ୍‌ରୁ ଲଢି ୨୭ ସିଟ୍‌ରେ ଜିତିଥିଲା । ୨୦୨୦ରେ କଂଗ୍ରେସ ଭୋଟ ସେୟାର ୯.୪୮ ପ୍ରତିଶତ ଥିଲା । ହେଲେ ୧୯ ବିଧାୟକ ଜିତିଥିଲେ । ଗତ ୩ ଲୋକସଭା ନିର୍ବାଚନ କଥା କହିଲେ ବିହାରରେ କଂଗ୍ରେସ କିଛି କମାଲ କରିପାରି ନାହିଁ । ୨୦୧୪ ଲୋକସଭା ନିର୍ବାଚନରେ କଂଗ୍ରେସ ବିହାରରେ ୨ ଆସନରେ ଜିତିଥିଲା । ୨୦୧୯ରେ ମାତ୍ର ଗୋଟିଏ ସିଟ୍‌ ହାତେଇଥିଲା । ୨୦୨୪ ଲୋକସଭା ନିର୍ବାଚନରେ ୩ଟି ଆସନରେ ଜିତିଥିଲା ।

ରାହୁର ଗାନ୍ଧୀଙ୍କ 'ଭାରତ ଯୋଡ଼ ଯାତ୍ରା' ପରେ ପରେ 'ଭୋଟର ଅଧିକାର ଯାତ୍ରା'କୁ ନେଇ ରାଜ୍ୟର ନେତା ଓ କାର୍ଯ୍ୟକତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । କଣ ରାହୁଲଙ୍କର ଏହି ଯାତ୍ରା ବିହାର ବିଧାନସଭା ନିର୍ବାଚନରେ ପ୍ରଭାବ ପକାଇବ କି ?  କଣ ୩୫ ବର୍ଷର ବନବାସ ଶେଷ ହେବ କି  ? ଏହା ନିର୍ବାଚନ ଫଳାଫଳ ଆସିବା ପରେ ସ୍ପଷ୍ଟ ହେବ । ହେଲେ ବିହାରରେ ରାହୁଲଙ୍କର ଏହି ଯାତ୍ରା ହଲଚଲ ସୃଷ୍ଟି କରିଛି ତାର ସନ୍ଦେହ ନାହିଁ । ଏହା ବିଜେପି ଓ ଜେଡିୟୁକୁ ଚିନ୍ତାରେ ପକାଇଛି ।