କରାଚୀ: ଆଜିଠାରୁ(ବୁଧବାର) ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆରମ୍ଭ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ରେ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହୋଇଛନ୍ତି । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ, ପାକିସ୍ତାନ ଆଗରେ ୩୨୧ ରନର ଟାର୍ଗେଟ ରଖିଛି । ଟସ୍ ହାରିବା ପରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ଆସି ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୩୨୦ ରନ୍ କରିଛି । ନ୍ୟୁଜିଲାଣ୍ଡ ପକ୍ଷରୁ ଓପନର ୱିଲ୍ ୟଙ୍ଗ (୧୧୩ ବଲରୁ ୧୦୭ ରନ୍) ଏବଂ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଟମ୍ ଲାଥାମ୍ (୧୦୩ ବଲରୁ ୧୦୫ ରନ୍ ଅପରାଜିତ) ଶତକ ହାସଲ କରିଛନ୍ତି ।
ଶେଷରେ ଗ୍ଲେନ୍ ଫିଲିପ୍ସ ୩୯ ବଲରେ ୬୧ ରନର ଏକ ଧୂଆଁଧାର ଇନିଂସ ଖେଳିଛନ୍ତି । ସେପଟେ ଡେଭନ୍ କନୱେ ଏବଂ ଡାରିଲ୍ ମିଚେଲ୍ ୧୦-୧୦ ରନ୍ କରିଛନ୍ତି । କେନ୍ ୱିଲିୟମସନ୍ ମାତ୍ର ଗୋଟିଏ ରନ୍ କରି ଆଉଟ୍ ହୋଇଛନ୍ତି । ବୋଲିଂ ସଂପର୍କରେ କହିବାକୁ ଗଲେ, ପାକିସ୍ତାନ ପକ୍ଷରୁ ନସିମ ଶାହ ଏବଂ ହାରିସ ରୌଫ ଦୁଇଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଅବରାର ଅହମ୍ମଦ ଗୋଟିଏ ୱିକେଟ୍ ନେଇଛନ୍ତି ।
ଆୟୋଜକ ଦଳ (ପାକିସ୍ତାନ)ର ସବୁଠାରୁ ବଡ଼ ବୋଲର ଶାହିନ ଶାହ ଆଫ୍ରିଦି ପ୍ରଥମ ମ୍ୟାଚ୍ରେ ଗୋଟିଏ ବି ୱିକେଟ୍ ନେଇପାରି ନାହାନ୍ତି । ସେ ୧୦ ଓଭରରେ ୬.୮୦ ଇକୋନୋମିରେ ୬୮ ରନ୍ ଦେଇଛନ୍ତି । ନସିମ ଶାହ ୧୦ ଓଭରରେ ୬୩ ରନ ଦେଇ ୨ଟି ୱିକେଟ ନେଇଛନ୍ତି । ହାରିସ୍ ରୌଫ ୧୦ ଓଭରରେ ୨ଟି ୱିକେଟ୍ ନେଇଥିବା ସତ୍ତ୍ବେ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ସେ ୮.୩୦ ଇକୋନୋମିରେ ୮୩ ରନ୍ ଦେଇଛନ୍ତି । ଅବରାର ଅହମ୍ମଦ ୧୦ ଓଭରରେ ୪୭ ରନ ଦେଇ ଗୋଟିଏ ୱିକେଟ ନେଇଛନ୍ତି।