ପାଟଣା, ୧୮।୪ : ଜମିବାଡ଼ି ବିବାଦକୁ ନେଇ ହତ୍ୟାକାଣ୍ଡ । ଖୁଡିକୁ ଠେଙ୍ଗାରେ ପିଟିପିଟି ହତ୍ୟା କଲା ପୁତୁରା । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ରୁଢ଼ିଆପଡା ଗ୍ରାମର ଖଡିବେଡା ସାହିରେ ବିଳମ୍ବିତ ରାତିରେ ଘଟିଛି ଏହି ହତ୍ୟାକାଣ୍ଡ। ମୃତକ ହେଲେ କୌଶଲ୍ୟା ମହାନ୍ତ । ଅଭିଯୁକ୍ତ ପୁତୁରା ବିଦ୍ୟାଧର ମହାନ୍ତଙ୍କୁ ଘଟଗାଁ ପୋଲିସ ଅଟକ ରଖିଛି।
ଶୁକ୍ରବାର ରାତିରେ ବିଦ୍ୟାଧର ମଦ ପିଇ ଘରକୁ ଆସି ଖୁଡି ସହ ଝଗଡା କରିଥିଲେ। ପରେ ଏକ ଠେଙ୍ଗାରେ ଖୁଡି କୌଶଲ୍ୟାଙ୍କୁ ନିର୍ମମ ଭାବରେ ପିଟିଥିଲେ। ଏଥିରେ କୌଶଲ୍ୟା ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ କୌଶଲ୍ୟାଙ୍କୁ ପାଟଣା ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଗାଁ ପୋଲିସ ମୃତଦେହକୁ ଜବତ କରି ସାଇଣ୍ଟିଫିକ ଟିମ ସହାୟତାରେ ଘଟଣାର ତଦନ୍ତ କରୁଛି।