ବୁଗୁଡା,୨୬/୭ : ବୁଗୁଡ଼ା-ବାଲିପଦର ମୁଖ୍ୟ ରାସ୍ତାରେ ବାଇକରୁ ଖସି ପଡ଼ି ଜଣେ ଅବିବାହିତା ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତା ମହିଳା ଜଣଙ୍କ ହେଲେ ପୋଲସରା ଥାନା ଅନ୍ତର୍ଗତ ହଂସରାଳି ଗ୍ରାମର ଆରତୀ ମହାରଣା(୪୨)। ଏ ନେଇ ବୁଗୁଡା ଥାନାରେ କେଶ ନଂ ୪୭୦/୨୫ରେ ଏକ ମାମଲା ରୁଜୁ ହୋଇଥିବା ଏସ୍ଆଇ ଜ୍ଯୋତିଶ୍ରୀ ସାହୁଙ୍କଠାରୁ ପ୍ରକାଶ ପାଇଛି। 

ପ୍ରକାଶ ଯେ, ଆରତୀଙ୍କ ସ୍ବାସ୍ଥ୍ୟ ଖରାପ ହେତୁ ଚିକିତ୍ସା ପାଇଁ ବ୍ରହ୍ମପୁର ଯାଇ ସେଠାରୁ ତାଙ୍କର ପୁତୁରା ବୁନା ମହାରଣାଙ୍କ ବାଇକରେ ବସି ବଡ଼ ଭଉଣୀଙ୍କ ଘର ଭୋଗଡା ଗ୍ରାମକୁ ଆସୁଥିଲେ । ବାଲିପଦର-ବୁଗୁଡା ମୁଖ୍ୟ ରାସ୍ତାରେ ଆସୁଥିବାବେଳେ ପଙ୍କଳବାଡି ଗାଁ ନିକଟରେ ବାଇକ୍ ଆଗକୁ କୁକୁରଟିଏ ଦୌଡି ଆସିବାରୁ ବୁନା ବ୍ରେକ୍ ମାରିଥିଲେ। ଏହି ସମୟରେ ପଛରେ ବସିଥିବା ଆରତୀ ଗାଡିରୁ ଖସି ପଡିଥିଲେ ଏବଂ ତାଙ୍କର ମୁଣ୍ଡ ରୋଡରେ ପିଟି ହୋଇଯିବା ଫଳରେ କାନପଟୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ତାଙ୍କୁ ସେଠାରୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଏକ ଡାଲା ଅଟୋରେ ବୁଗୁଡା ମେଡିକାଲକୁ ଅଣାଯାଇଥିଲେ । ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ଖବରପାଇ ପୁଲିସ ମେଡ଼ିକାଲରେ ପହଞ୍ଚି ଶବକୁ ଜବତ କରି ବ୍ଯବଛେଦ ପାଇଁ ପଠାଇଥିବା ଜଣାପଡ଼ିଛି ।