ନୂଆଦିଲ୍ଲୀ,୨୫।୫: ୨୦୧୨ ‘ନିର୍ଭୟା’ କାଣ୍ଡ ସାରା ଦେଶକୁ ଦୋହଲାଇ ଦେଇଥିଲା। ଗଣଦୁଷ୍କର୍ମ ପରେ ପୀଡିତାଙ୍କ ସହ ହୋଇଥିଲା ବର୍ବରତା। ଠିକ୍ ସେଭଳି ଆଉ ଏକ ଘଟଣା ମଧ୍ୟ ପ୍ରଦେଶର ଖଣ୍ଡଓ୍ବା ଜିଲ୍ଲାରୁ ସାମନାକୁ ଆସିଛି। ୪୫ ବର୍ଷୀୟ ଜଣେ ମହିଳାଙ୍କ ସହ ଗଣଦୁଷ୍କର୍ମ ମାମଲା ପୁଣି ଆଣି ଦେଇଛି ଲଜ୍ଜା। ଅଭିଯୁକ୍ତମାନେ ମହିଳାଙ୍କ ସହ ଗଣଦୁଷ୍କର୍ମ ପରେ ରକ୍ତଜୁଡୁବୁଡୁ ଅବସ୍ଥାରେ ଛାଡି ଚାଲିଯାଥିଲେ। ପଡୋଶୀଙ୍କ ଘରୁ ଅର୍ଦ୍ଧନଘ୍ନ ଅବସ୍ଥାରେ ମହିଳାଙ୍କୁ ତାଙ୍କ ଝିଅ ଉଦ୍ଧାର କରିଥିଲେ। ଏହାପରେ ପୋଲିସକୁ ଦିଆଯାଇଥିଲା ସୂଚନା। ମହିଳାଙ୍କ ସହ ଏଭଳି ବର୍ବରତା ହୋଇଥିଲା ଯେ, ତାଙ୍କ ଗର୍ଭାଶୟ କାଢି ଦିଆଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଁଞ୍ଚିବା ବେଳେ ମହିଳାଙ୍କ ମୃତ୍ୟୁ ହୋଇଥିଲା।

ଘଟଣାଟି ଆଦିବାସୀ ଅଞ୍ଚଳ ଖାଲଭାରେ ଘଟିଛି। ପୋଲିସ ପ୍ରାଥମିକ ତଦନ୍ତ ପରେ ଜାଣିବାକୁ ପାଇଛି ଯେ, ମହିଳାଙ୍କ ସହ ଗଣଦୁଷ୍କର୍ମ ହୋଇଛି। ଏହା ସହ ତାଙ୍କ ପ୍ରାଇଭେଟ୍ ପାର୍ଟରେ ଲୁହା ରଡ୍ କିମ୍ବା କାଠ ଭର୍ତ୍ତି କରିଥିବାର ସନ୍ଦେହ କରାଯାଉଛି।  କାରଣ ମହିଳାଙ୍କ ଗର୍ଭାଶୟ ବାହାରି ଯାଇଥିଲା। ଏହି ଘଟଣା କିଛି ଦୂର ପର୍ଯ୍ୟନ୍ତ ନିର୍ଭୟା କାଣ୍ଡରେ ଘଟିଥିବା ବର୍ବରତା ସହ ସମାନ ରହିଛି। 

କୁହାଯାଉଛି ଯେ, ମୃତ ମହିଳା ଦୁଇଟି ସନ୍ତାନର ମା’ । ପୋଲିସ ଗାଁର ଦୁଇ ଜଣ ବ୍ୟକ୍ତି ହରି ପାଲଭି ଓ ସୁନିଲ ଧ୍ରୁବେକୁ ଗିରଫ କରିଛି। ଦୁହେଁ ମହିଳାଙ୍କ ପରିଚିତ ଥିଲେ। ତାଙ୍କ ଉପରେ ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ରହିଛି। ଗାଁ ଲୋକଙ୍କ କହିବା ଅନୁସାରେ, ବେହୋସ ଅବସ୍ଥାରେ ମହିଳାଙ୍କୁ ଅଭିଯୁକ୍ତ ହରି ପାଲଭି ଘରୁ ଉଦ୍ଧାର କରାଯାଇଥିଲା। କିଛି ସମୟ ପରେ ମହିଳାଙ୍କ ହୋସ୍ ଆସିବା ପରେ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ନେଇ କହିଥିଲେ। ଏହାପରେ ପୋଲିସକୁ ସୂଚନା ଦିଆଯାଇଥିଲା। ତେବେ ଏହା ଭିତରେ ମହିଳାଙ୍କ ମୃତ୍ୟୁ ହୋଇଯାଇଛି। ତାଙ୍କ ମୃତଦେହକୁ ଖାଲଭା ହସ୍ପିଟାଲରୁ ଜିଲ୍ଲା ହସ୍ପିଟାଲ ଖଣ୍ଡଭା ପଠାଇ ଦିଆଯାଇଛି। ସେଠାରେ ମେଡିକାଲ କଲେଜର ଫରେନସିକ୍ ବିଭାଗର ବିଶେଷଜ୍ଞ ପୋଷ୍ଟମର୍ଟମ କରିବେ।