ଢାକା: ରାଜନୈତିକ ଅସ୍ଥିରତା ଓ ଅରାଜକତାର ସାମ୍ନାକରୁଥିବା ବାଙ୍ଗଲାଦେଶରୁ ପୁଣି ଚରମପନ୍ଥୀଙ୍କ ଉଗ୍ରକାଣ୍ଡ ଦେଖିବାକୁ ମିଳିଛି। ଜଣେ ସାମ୍ବାଦିକଙ୍କୁ ଘେରି ଯାଇ ଯାଛାତା କହିବା ସହ ଭାରତର ଏଜେଣ୍ଟ କହି ଗାଳି ଦେଇଛନ୍ତି ଇସ୍ଲାମିକ ଉଗ୍ରବାଦୀ। ଏହି ଘଟଣା ଶନିବାର ରାଜଧାନୀ ଢାକାରେ ଘଟିଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁସାରେ ମହିଳା ସାମ୍ବାଦିକ ମୁନ୍ନୀ ଶାହ କାମ ସାରି ଫେରୁଥିବା ବେଳେ ହଠାତ ଏକ ଭିଡ଼ ତାଙ୍କୁ ଘେରି ଯାଇଥିଲା। ତାଙ୍କୁ ଭାରତର ଏଜେଣ୍ଟ କହିବା ସହ ପୂର୍ବତନ ପ୍ରଧାନ ମନ୍ତ୍ରୀ ଶେଖ ହସୀନାଙ୍କ ସମର୍ଥକ କହି ଗାଳି ଗୁଲଜ କରିଥିଲେ ଇସ୍ଲାମିକ ଚରମପନ୍ଥୀ। ଏତେ ଗାଳି ଗୁଲଜ କରିଥିଲେ ଯେ ମହିଳା ସାମ୍ବାଦିକ ଜଣଙ୍କ ଭୟରେ ଅସୁସ୍ଥ ହୋଇପଡ଼ିଥିଲେ।
ଅଗଷ୍ଟ ମାସରେ ଶେଖ ହସିନାଙ୍କ ସରକାରର ପତ୍ତନ ପରେ ବାଙ୍ଗଲାଦେଶରେ ଅସ୍ଥିରତା ଲାଗି ରହିଛି। ହିନ୍ଦୁ ଓ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ବଢ଼ିବା ସହ ବିଭିନ୍ନ ଧାର୍ମିକ ଅନୁଷ୍ଠାନରେ ଭାଙ୍ଗାରୁଜା ଲୁଟପାଟ ଜାରି ରହିଛି। ଶନିବାର ଦିନ ଏଭଳି ଚରମପନ୍ଥୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ସାମ୍ବାଦିକ ମୁନ୍ନୀ ଶାହ।। ବରିଷ୍ଠ ସାମ୍ବାଦିକା କରୱନ ଅଞ୍ଚଳର ଏକ ଗଣମାଧ୍ୟମ ସଂସ୍ଥାରୁ ବାହାରି ନିଜ କାର ଯୋଗେ ଘରକୁ ଫେରୁଥିଲେ। ହଠାତ କଛି ଉଗ୍ରମାନସିକଧାରୀ ତାଙ୍କୁ ଘେରିଯାଇ ଗାଳିଗୁଲଜ କରିଥିଲେ। ମିଛତଥ୍ୟର ପ୍ରଚାର ପ୍ରସାର କରି ବାଙ୍ଗଲାଦେଶକୁ ଭାରତର ଅଂଶ ଭାବେ ଦେଖେଇବାକୁ ଚେଷ୍ଟା କରୁଛ କହିବା ସହ ଗାଳିଗୁଲଜ କରି ବିଭିନ୍ନ ଗମ୍ଭୀର ଆରୋପ ଲଗାଇଥିଲେ।
ଖବର ମିଳିବା ପରେ ବାଙ୍ଗଲାଦେଶ ମେଟ୍ରୋପଲିଟିଆନ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସାମ୍ବାଦିକଙ୍କୁ ଉଦ୍ଧାର କରିଥିଲା। ପୁଲିସ ମୁନ୍ନୀ ଶାହଙ୍କୁ ଗାଡ଼ିରେ ବସାଇ ନେଇ ଯାଉଥିବା ବେଳେ ହିଂସକଭିଡ଼ ତାଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ। ପୁଲିସ ଶାହଙ୍କୁ ଗିରଫ କରିଥିବା କୁହାଯାଉଥିବା ବେଳେ ରବିବାର ସକାଳେ ତାଙ୍କୁ ଛାଡ଼ି ଦିଆ ଯାଇଥିବା ଖବର ପ୍ରକାଶ ପାଇଛି। ତେବେ ସବୁଠାରୁ ବଡ଼ କଥା ହେଲା ମୁନ୍ନୀ ଶାହଙ୍କ ପରି ବରିଷ୍ଠ ସାମ୍ବାଦିକଙ୍କୁ ଏଭଳି ଗାଳି ଗୁଲଜ କରିଥିବା ଉଗ୍ରପନ୍ଥୀଙ୍କ ବିରୋଧରେ ବାଂଲାଦେଶ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ।
ତେବେ କେବଳ ଶାହା ନୁହଁନ୍ତି, ବାଙ୍ଗଲାଦେଶରେ ଏମିତି ଅନେକ ସମ୍ବାଦିକଙ୍କୁ ହଇରାଣ ହରକତ କରାଯାଉଛି। ମହମ୍ମଦ ୟୁନୁସଙ୍କ କାମଚଳା ସରକାରରେ ସାମ୍ବାଦିକଙ୍କୁ ବିରୋଧରେ ପକ୍ଷପାତ ଅଭିଯୋଗ ଲଗାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଅନେକ ସାମ୍ବାଦିକଙ୍କ ସ୍ୱୀକୃତି ରଦ୍ଧ କରାଯାଇଛି।