ନୂଆଦିଲ୍ଲୀ,୧୩/୦୬; ଉତ୍ତରପ୍ରଦେଶର ବାରାଣସୀରେ ଶୁକ୍ରବାର ସକାଳ ପ୍ରାୟ ୯ଟାରେ ଜଣେ ମହିଳା ଜିଲ୍ଲା ଜଜ୍ ସିଟ୍ରେ ବସି ହଙ୍ଗାମା କରିଥିଲେ । ସିଟ୍ରେ ବସିବା କ୍ଷଣି ସେ ହାମର୍ ପିଟି ଅର୍ଡର-ଅର୍ଡର ଚିଲ୍ଲାଇଥିଲେ । ଓକିଲଙ୍କୁ କହିଥିଲେ, ‘ଆଜି ମୁଁ ଜଜ୍ । ସାକ୍ଷ୍ୟ, ପ୍ରମାଣ ଦାଖଲ କର । ଆଜି ସବୁ ମାମଲା ମୁଁ ଶୁଣାଣି କରିବି । ଯାହା ବି କାମ ଅଛି ମୋତେ କୁହ’। ଏହା ପରେ ମହିଳା ଜଣକ ସେଠାରେ ଜଜ୍ଙ୍କ ଫାଇଲ ବି ପଲଟାଇବା ଆରମ୍ଭ କରିଦେଲେ । ଏହା ଦେଖି ସେଠାରେ ଉପସ୍ଥିତ ଓକିଲମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେମାନେ ଭିଡିଓ ବନାଇବାରୁ ମହିଳା ଜଣକ ରାଗି ଯାଇଥିଲେ । ଓକିଲମାନେ ତାଙ୍କୁ ବାହାରକୁ ଯିବାକୁ କହିଥିଲେ ବି ମହିଳା ଜଣକ ସିଟ୍ ଉପରେ ବସି ରହିଥିଲେ ।
ପରେ ପୁଲିସକୁ ଡକାଯାଇଥିଲା । ମହିଳା ପୁଲିସକର୍ମୀ ସେହି ମହିଳାଙ୍କୁ ଟାଣି ଟାଣି ସିଟରୁ ତଳକୁ ଓହ୍ଲାଇଥିଲା । ପ୍ରାଏ ଘଣ୍ଟାଏ ଧରି ଜିଲ୍ଲା ଅଦାଲତରେ ଏହି ଡ୍ରାମା ଲାଗି ରହିଥିଲା । ଶୁକ୍ରିବାର ଜିଲ୍ଲା ଜଜ୍ ଛୁଟିରେ ଥିଲେ ବୋଲି କୁହାଯାଉଛି । ମହିଳାଙ୍କ ନାମ ବନ୍ଦନା ଗୁପ୍ତା (୫୦) ବୋଲି ଜଣାପଡିଛି । ସୂଚନା ପାଇ ଅପର ଜିଲ୍ଲା ଜଜ୍ ବିକ୍ରମ ସିଂହ ସେଠାରେ ପହଞ୍ଚିଥିଲେ । ସେ ଡ୍ୟୁଟିରେ ଥିବା ସୁରକ୍ଷାକର୍ମୀଙ୍କ ଅନୁପସ୍ଥିତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏଥିସହ ସମ୍ବନ୍ଧିତ ଅଧିକାରୀଙ୍କୁ ସ୍ପଷ୍ଟୀକରଣ ମଗାଯିବା ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି । ଘଟଣା ପରେ ଅଦାଲତ ପରିସରରେ ସୁରକ୍ଷା ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଏହା ବି ପଢନ୍ତୁ...ଅମରନାଥ ଯାତ୍ରା ବେଳେ ପ୍ରତ୍ୟେକ ପଦକ୍ଷେପରେ ରହିବ କଡ଼ା ସୁରକ୍ଷା ବ୍ୟବସ୍ଥା , ଉଚ୍ଚ ସ୍ତରୀୟ ବୈଠକରେ ନିର୍ଦ୍ଦେଶ ଜାରି କଲେ ଅମିତ ଶାହ
ଓକିଲଙ୍କ ସୂଚନା ଅନୁସାରେ, ଜିଲ୍ଲୀ ଅଦାଲକତରେ ବନ୍ଦନାଙ୍କ କୌଣସି ମାମଲା ବିଚାରଧୀନ ନାହିଁ । ତେବେ ସେ କାହିଁକି ଏପରି କଲେ ତାହା ଜାଣିବା ଲାଗି ପୁଲିସ୍ ତାଙ୍କୁ ପଚରାଉଚରା କରୁଛି । ବନ୍ଦନା ଦୁଇ ଥର ବିବାହ କରିଛନ୍ତି । ୨୦୧୦ରେ ସେ ପ୍ରଥମ ସ୍ୱାମୀଙ୍କଠାରୁ ଅଲଗା ହେବା ସହ ତାଙ୍କ ବିରୋଧରେ ପରିବାର ଅଦାଲତରେ ମାମଲା କରିଥିଲେ । ଯାହାର ଶୁଣାଣି ଚାଲିଛି । ୨୦୧୩ରେ ସେ ଦ୍ୱିତୀୟ ବିବାହ କରିଥିଲେ ହେଁ ତାଙ୍କଠାରୁ ବି ବନ୍ଦନା ଅଲଗା ହୋଇଯାଇଥିଲେ । ପରେ ୨୦୧୮ରେ ବନ୍ଦନାଙ୍କ ମା ଏବଂ ୨୦୨୧ରେ ତାଙ୍କ ବାପାଙ୍କର ମୃତ୍ୟୁ ହୋଇଥିଲା । ଏକା ରହୁଥିବା କାରଣରୁ ସେ ମାନସିକ ବିଷାଦଗ୍ରସ୍ତ ହୋଇଥାଇପାରନ୍ତି ବୋଲି ପୁଲିସ୍ ସନ୍ଦେହ କରୁଛି ।