ଲହୁଣୀପଡ଼ା ୧/୬(ଆପ୍ର )- ସୁନ୍ଦରଗଡ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ରାଜାମୁଣ୍ଡା ପଂଚାୟତ ଗମଲେଇ ଗ୍ରାମର ଜଣେ ବିଧବା ମହିଳା ତୀର ମାଡ଼ରେ ଗୁରୁତର ହୋଇଛନ୍ତି। ରାଉରକେଲା ସରକାରୀ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଛି। ଗୁରୁତର ବିଧବା ମହିଳା ଜଣକ ହେଲେ ଗମଲେଇ ଗ୍ରାମର ଲଷ୍ମୀ କିଷାନ ।
ମିଳିଥିବା ସୂଚନା ମୁତାବକ ଶନିବାର ଗମଲେଇ ହାଟ ଥିବା ବେଳେ ସଂଧ୍ୟା ସମୟରେ ଉରୁମକେଲା ଗ୍ରାମର ମଙ୍ଗଳା କିଷାନ ଙ୍କ ପୁଅ ଲୁକୁ କିଷାନଙ୍କ ଉକ୍ତ ବିଧବା ମହିଳାଙ୍କ ନିଜ ଘର ପାଖରେ କୌଣସି କାରଣରୁ ଝଗଡା ହୋଇଥିଲା । ଝଗଡା ପରେ ଲୁକୁ ସେଠାରୁ ପଳାଇଥିଲା । ଘରକୁ ଯାଇ ଧନୁତୀର ଧରି ମହିଳାଙ୍କ ଘର ପାଖରେ ଛକି ଜଗି ବସିଥିଲା । ରାତି ପ୍ରାୟ ଆଠଟା ସମୟରେ ମହିଳା ଜଣକ ପଡୋଶୀଙ୍କ ସହ କଥା ହୋଇ ଘରକୁ ପଶୁଥିବା ସମୟରେ ଛକି ଜଗି ବସିଥିବା ଲୁକୁ ତୀର ମାଡ କରି ସେଠାରୁ ଫେରାର ହୋଇଯାଇଥିଲା । ମହିଳାଙ୍କ ଛାତି ତଳେ ତୀର ଲାଗିଥିଲା । ମହିଳା ଜଣକ ନିଜେ ତୀର କାଢି ବେହୋସ ହୋଇ ପଡି ଯାଇଥିଲେ ।ପଡୋଶୀ ମାନେ ଜାଣି ପାରି ତାଙ୍କୁ ବଣାଇଁ ଡାକ୍ତରଖାନା ନେଇଥିଲେ। ମାତ୍ର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା। ପ୍ରକାଶ ଥାଉକି ମହିଳା ଏବଂ ତୀର ମାଡ କରିଥିବା ଲୁକୁ କୌଣସି ସ୍ପଂଜ଼ କାରଖାନାରେ ଏକାଠି କାମକରୁଥିବା ଜଣାପଡିଛି । ପୋଲିସ ଲୁକୁ କିଷାନ କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି।