ଗୌହାଟୀ: ଆସାମରେ ଜଣେ ୩୮ ବର୍ଷୀୟ ମହିଳା ତାଙ୍କ ୪୨ ବର୍ଷୀୟ ସ୍ୱାମୀଙ୍କୁ ହତ୍ୟା କରି ଘର ପରିସରରେ ପୋତି ଦେଇଥିବା ଅଭିଯୋଗରେ ଗତ ରବିବାର ଗିରଫ ହୋଇଛନ୍ତି। ପୁଲିସ ସୂଚନା ଅନୁଯାୟୀ, ମହିଳା ଜଣଙ୍କ ନିଜେ ନିଜର ଅପରାଧ ସ୍ୱୀକାର କରିଛନ୍ତି। ଘଟଣାଟି ଗତ ଜୁନ ୨୬ ତାରିଖରେ ଘଟିଥିବା ଜଣାପଡ଼ିଛି।
ପୁଲିସ ରିପୋର୍ଟ ଅନୁସାରେ, ଉକ୍ତ ମହିଳାଙ୍କ ନାମ ରହିମା ଖାତୁନ ହୋଇଥିବା ବେଳେ ତାଙ୍କ ମୃତ ସ୍ୱାମୀଙ୍କ ନାମ ସବିୟାଲ ରେହମାନ ବୋଲି ଜଣାପଡିଛି। ସବିୟାଲ ଅନେକ ସମୟରେ ମଦ ପିଇ ଘରେ ଝଗଡା କରିବା ସହ ରହିମାଙ୍କୁ ମାରଧର କରିଥାନ୍ତି। ଏହିପରି ଗତ ଜୁନ ୨୬ ତାରିଖରେ ମଧ୍ୟ ଅନୁରୁପ ଢଙ୍ଗରେ ସବିୟାଲ ସ୍ୱାମୀ ମଦ୍ୟପାନ କରି ଘରେ ଆସି ଝଗଡ଼ା କରିଥିଲେ। ପରେ ଏହି ଝଗଡା ହିଂସାତ୍ମକ ରୂପ ନେଇଥିଲା। ଝଗଡ଼ା ମଧ୍ୟରେ ରହିମା ତାଙ୍କ ସ୍ୱାମୀଙ୍କୁ ମାଡ ମାରିଥିଲେ। ଏହି ମାଡରେ ଘଟଣାସ୍ଥଳରେ ହିଁ ସବିୟାଲଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ରହିମା ଭୟଭୀତ ହୋଇ ସବିୟାଲଙ୍କ ମୃତଦେହକୁ ଘର ପରିସରରେ ହିଁ ପୋତି ଦେଇଥିଲେ।
ତେବେ ସବିୟାଲ ଓ ତାଙ୍କ ଭାଇ ମିଳିତ ଭାବେ କବାଡି ବ୍ୟବସାୟ କରିଥାନ୍ତି। ହେଲେ ସବିୟାଲ ଅନେକ ଦିନ ଧରି କାମକୁ ନଆସିବାରୁ ଓ ତାଙ୍କ ପତ୍ନୀ ଏନେଇ ସନ୍ତୋଷଜନକ ଉତ୍ତର ନଦେବାରୁ ତାଙ୍କ ଭାଇ ବାଧ୍ୟ ହୋଇ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ରହିମା ଏହା ଜାଣିବା ପରେ ନିଜ ଆଡୁ ପୁଲିସ ଥାନାରେ ପହଞ୍ଚିବା ସହ ନିଜେ କରିଥିବା ଦୋଷକୁ ସ୍ୱିକାର କରିଥିଲେ।
ଏନେଇ ପଶ୍ଚିମ ଗୌହାଟିର ଡେପୁଟି କମିସନର ପଦ୍ମନାଭ ବରୁହା ସୂଚନା ଦେଇ କହିଛନ୍ତି ଯେ ଦୁଇ ଜଣଙ୍କ ମଧ୍ୟରେ ଝଗଡା ହେଉଥିବା ବେଳେ ରହିମାଙ୍କ ମାଡରେ ତାଙ୍କ ସ୍ୱାମୀ ମୃତ୍ୟୁବରଣ କରିଥିଲେ। ଏହାପରେ ସେ ଭୟଭୀତ ହୋଇଯାଇଥିଲେ। ସେ ତାଙ୍କ ସ୍ୱାମୀଙ୍କ ମୃତଦେହକୁ ନିଜ ଘର ପରିସର ମଧ୍ୟରେ ଏକ ଗାତ ଖୋଳି ପୋତି ଦେଇଥିଲେ।
ଏନେଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ମହିଳାଙ୍କୁ ଅଟକ ରଖାଯାଇ ଆଗକୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି। ତେବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।