ଫିରିଙ୍ଗିଆ, ୪।୧୦: ସରକାରୀ ସହାୟତା ଅପେକ୍ଷାରେ ମୁଖ କର୍କଟ ପୀଡ଼ିତ ଅସହାୟ ବିଧବା ମହିଳା । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଉପାନ୍ତ ଅଞ୍ଚଳ ସୁମେରୁ ବନ୍ଧ ପଞ୍ଚାୟତ ୯ ନମ୍ବର ୱାର୍ଡ ସୁମେରୁ ବନ୍ଧ ଗାଁର ୩୮ ବର୍ଷୀୟ ମହିଳା ସବିତା ମଲ୍ଲିକ । ଯିଏ ଅସହାୟ ଅବସ୍ଥାରେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି । ୫ ବର୍ଷରୁ ଧରି ସେ କ୍ୟାନସରରେ ପୀଡ଼ିତ ଥିବା ବେଳେ ୨ ବର୍ଷରୁ ଅଧିକ ହେବ ଗାଲରେ ଘା’ ହୋଇ ଅହରହ ପାଣି ଝରୁଛି । ଅର୍ଥ ଅଭାବରୁ ନିଜର ଚିକିତ୍ସା କରିବା ଅସମ୍ଭବ ହୋଇ ପଡ଼ିଛି । ବୋଝ ଉପରେ ନଳିତା ବିଡ଼ା ପରି ପାଖରେ କେହି ନଥିବା ବେଳେ ସ୍ୱାମୀ ସୁକା ମଲ୍ଲିକ ଗତ ଦୁଇ ବର୍ଷ ହେବ ଆରପାରିକୁ ଚାଲି ଗଲେଣି । ପରିବାରରେ ବର୍ତ୍ତମାନ ଦୁଇ ପୁଅ ଓ ଦୁଇ ଝିଅକୁ ନେଇଁ ବଡ଼ କଷ୍ଟରେ ପାଞ୍ଚ ପ୍ରାଣୀ କୁଟୁମ୍ୱ ଚଳୁଛନ୍ତି । କୌଣସି କାମ କରିବାକୁ ସେ ସକ୍ଷମ ନଥିବାରୁ ଏକୁଟିଆ ପରିବାର ପୋଷିବା ତାଙ୍କ ପକ୍ଷେ ଅସମ୍ଭବ ହୋଇ ପଡ଼ିଛି ।
ବର୍ତ୍ତମାନ ବଡ଼ ପୁଅ ଶାନ୍ତନୁ ମଲ୍ଲିକକୁ ୧୭ ବର୍ଷ ହୋଇଥିବା ବେଳେ ଝିଅ ଝୁଲି ମଲ୍ଲିକକୁ ୧୩ ଓ ମଝିଆ ପୁଅ ପ୍ରଫୁଲ୍ଲ ମଲ୍ଲିକକୁ ୮ ବର୍ଷ ଏବଂ ସାନ ଝିଅ ଜିଲି ମଲ୍ଲିକକୁ ୪ ବର୍ଷ । ସୁମେରୁ ବନ୍ଧ ପଞ୍ଚାୟତ ଏବଂ ଗାଁର ବାସିନ୍ଦା ହେଲେ ଆଜି ପର୍ଯ୍ୟନ୍ତ ତାଙ୍କର ଘର ଖଣ୍ଡିଏ ନାହିଁ କି ପଟ୍ଟା ମଧ୍ୟ ହୋଇନାହିଁ । ଗତ ୨ ବର୍ଷ ହେବ ସ୍ୱାମୀ ସୁକା ମଲ୍ଲିକଙ୍କ ମୃତ୍ୟୁ ଘଟିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାଗଜପତ୍ର ଓ ପ୍ରମାଣପତ୍ର ନଥିବାରୁ ବିଧବା ଭତ୍ତାଟିଏ ବି ହୋଇପାରିନି । ଯାହା ଫଳରେ ସବିତା କୌଣସି ସରକାରୀ ସୁବିଧା ନ ପାଇ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତାଙ୍କର ଆଧାର କାର୍ଡ, ଜମିପଟ୍ଟା କି କୌଣସି କାଗଜପତ୍ର ନଥିବାରୁ ପଞ୍ଚାୟତ କାର୍ଯ୍ୟାଳୟଠାରୁ ବ୍ଲକ କାର୍ଯ୍ୟାଳୟ ଏବଂ ଫିରିଙ୍ଗିଆ ଜନ୍ମ ମୃତ୍ୟୁ ପଞ୍ଜିକରଣ କାର୍ଯ୍ୟାଳୟକୁ ଧାଇଁ ଧାଇଁ କୋଡ଼ିଏରୁ ପଚିଶ ହଜାର ଖର୍ଚ୍ଚ କରିସାରିଲେଣି । ତଥାପି କୌଣସି ସହାୟତା ମିଳିନଥିବା କହିଛନ୍ତି ସବିତା । ସରକାରଙ୍କ ତରଫରୁ କେବଳ ରାସନ କାର୍ଡଟିଏ ମିଳିଛି । ସେଥିରେ ପୁଣି ତାଙ୍କୁ ମାତ୍ର ୨୫ କେଜି ଚାଉଳ ମିଳୁଛି । ଯାହାକି ୫ ପ୍ରାଣୀ କୁଟୁମ୍ୱ ପାଇଁ ଯଥେଷ୍ଟ ନୁହେଁ । ସ୍ୱାମୀଙ୍କ ମୃତ୍ୟୁ ପରେ ପିଲା ଛୁଆଙ୍କୁ ଦୁଇ ଓଳି ମୁଠାଏ ଦାନା ଦେବାରେ ଅସମ୍ଭବ ହୋଇ ପଡ଼ୁଥିବା କହିଛନ୍ତି ସବିତା ମଲ୍ଲିକ । ନିଜର ପଟା କିମ୍ବା ଘର ଖଣ୍ଡିଏ ନ ଥିବାରୁ ଏକ ଭଙ୍ଗା ଘରେ ଆଶ୍ରୟ ନେଇଛନ୍ତି । ଯେଉଁ ଘରେ ଆଗ ପଟୁ ପଛ ପଟ ଯାଏଁ ଭାଙ୍ଗି ରୁଜି ରହିଛି । ଗାଁ ଲୋକେ ତାଙ୍କ ପରିବାରକୁ ବେଳେ ବେଳେ ଖାଇବାକୁ ଦିଅନ୍ତି ବୋଲି ସବିତା କହିଛନ୍ତି ।
ଏତେ ଅସୁବିଧା ପରେ ବି ପ୍ରଶାସନିକ ସ୍ତରରେ ଘରେ କାହାର ପାଦ ପଡ଼ିନଥିବା କହିଛନ୍ତି ନୂଆପଦର ବିଜେପି ମଣ୍ଡଳ ସଭାପତି ଦେବେଶ୍ୱର ଦୀପ ଏବଂ ପଞ୍ଚାୟତ ପ୍ରମୁଖ ଇନ୍ଦ୍ରଜିତ କହଁର ଓ ଗ୍ରାମବାସୀ । ନିଜେ ମଣ୍ଡଳ ସଭାପତି ଦେବେଶ୍ୱର ଦୀପ ସରକାରୀ କାର୍ଯ୍ୟାଳୟକୁ ଯାଇ ସମସ୍ତ ବ୍ୟବସ୍ଥା କରିବାକୁ ଜଣାଇଥିଲେ । କିନ୍ତୁ, ତାଙ୍କୁ କୌଣସି ପଦକ୍ଷେପ ନିଆଯାଇନାହିଁ । ସରକାରଙ୍କ ତରଫରୁ ଚିକିତ୍ସା ପାଇଁ ଅର୍ଥ ଯୋଗାଇବା ସହ ତାଙ୍କୁ ଜମିପଟ୍ଟା ପ୍ରଦାନ ଏବଂ ଆବାସ ଯୋଜନାରେ ସାମିଲ କରି ଘର ଖଣ୍ଡିଏ ଯୋଗାଇବାକୁ ଗ୍ରାମବାସୀ ଦାବି କରିଛନ୍ତି । ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ପ୍ରବୋଧ ପ୍ରଧାନଙ୍କୁ ଏହି ଘଟଣା ନେଇଁ ପଚାରିବାରୁ ତୁରନ୍ତ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି ।