ଚନ୍ଦାହାଣ୍ଡି ,୧୦।୧୦  : ଚନ୍ଦାହାଣ୍ଡି ବ୍ଲକରେ  ଲୋକଙ୍କ ପାନର ଚାହିଦା ବେଶି ରହି ଥିବାରୁ  ପାନ ପତ୍ର ପାଇଁ  ଉପକୂଳ ଓଡିଶା ଉପରେ ନିର୍ଭର କରିବାକୁ ପଡ଼ୁଥିଲା l କିନ୍ତୁ ବର୍ତ୍ତମାନ  ଏହା ବଦଳି ଯିବା ସହ  ଚନ୍ଦାହାଣ୍ଡି ବ୍ଲକର  ଗମ୍ଭାରୀଗୁଡା ପଞ୍ଚାୟତ ଅଧିନ ମୋତିଗାଁ ଗ୍ରାମରେ ଏହ ପାନ ଚାଷ ଦେଖିବାକୁ ମିଳିଛି।  ଲକ୍ଷ୍ମୀ ତ୍ରିପାଠୀ  ନାମ୍ନୀ ଜଣେ ଗୃହିଣୀ ନିଜ ଘର ବାଡ଼ିରେ ପାନ ଚାଷ କରି ରୋଜଗାରକ୍ଷମ ହୋଇପାରିଛନ୍ତି। ସେ ନିଜେ ସ୍ୱାବଲମ୍ବୀ ହେବା ସହ  ସମସ୍ତଙ୍କ ପାଇଁ ଏକ ଉଦାହରଣ ସାଜିଛନ୍ତି l  

ମୋତିଗାଁ ଗ୍ରାମର ଲକ୍ଷ୍ମୀ ତ୍ରିପାଠୀ  ନିଜ ଘର ବାଡ଼ିରେ  ପାନ ଚାଷ କରିଛନ୍ତି । ପ୍ରଥମେ ଲକ୍ଷ୍ମୀ ଏହାକୁ ନିଜ ଘର ହତାରେ  ସୌନ୍ଦର୍ଯ୍ୟ ପାଇଁ ଲଗାଇଥିଲେ । କାଳକ୍ରମେ ଏହା ବହୁ ସଂଖ୍ୟାରେ ବଢ଼ିବାରୁ ସେ ପାନ  ଚାଷ କରିବା ପାଇଁ ମନସ୍ଥ  କରିଥିଲେ। ଏହା ଦ୍ୱାରା ଦୈନିକ  ୪ରୁ ୫ ଶହ ଟଙ୍କା ଆୟ କରିଥାନ୍ତି l   ଏହିପରି ମାସକୁ ୧୦ହଜାର ଟଙ୍କା ଆୟ କରିଥାନ୍ତି । ପାନ ଦୋକାନୀ ଠାରୁ ଆରମ୍ଭ କରି  ତ୍ରିନାଥ, ମେଳା ଓଷା, ବ୍ରତମାନଙ୍କରେ  ପତ୍ର ବିକ୍ରୀ  କରିଥାନ୍ତି। ୧୦୦ ପତ୍ରକୁ ୫୦ ଟଙ୍କାରେ ବିକ୍ରୀ କରୁଥିବା ନେଇ ସେ ପ୍ରକାଶ କରିଛନ୍ତି l ଯଦି ଉଦ୍ୟାନ ବିଭାଗ ଦ୍ୱାରା ତାଲିମ ପ୍ରଦାନ କରିବା ସହ  ସରକାରୀ ପ୍ରୋତ୍ସାହନ ଯୋଗାଇ ଦେବେ ସେ ଆହୁରି ଭଲ ଚାଷ କରିବା ସହ ଅଧିକା ସ୍ୱାବଲମ୍ଭି ହୋଇ ପାରିବେ ବୋଲି କହିଛନ୍ତି।

ଏ ସମ୍ପର୍କରେ ବ୍ଲକ ସହକାରୀ ଉଦ୍ୟାନ ବିଭାଗ ଅଧିକାରୀ  ଲିଙ୍କନ ମେହେରଙ୍କୁ ପଚାରିବାରୁ ଉଦ୍ୟାନ ବିଭାଗ ତରଫରୁ ଉପଯୁକ୍ତ ତାଲିମ ପ୍ରଦାନ ସହ ପାନ ବରଜ ନିର୍ମାଣ କୌଶଳ ଶିକ୍ଷା ଦେବାରେ ପ୍ରୟାସ କରିବେ ବୋଲି କହିଛନ୍ତି।