ନୂଆଦିଲ୍ଲୀ,୨୨/୦୬: ଗୋଟିଏ ଦିନରେ ମୈଦାନରେ ଲଢୁଥିଲା ଭାରତ । କ୍ରିକେଟ୍ ହାରିଲା ହକି ଜିତିଲା । ଗୋଟିଏ ପଟେ ମହିଳା ଟି- କ୍ରିକେଟ୍ ବିଶ୍ୱକପ ମ୍ୟାଚ୍ । ଆଉ ଗୋଟିଏ ପଟେ ହକି ନେସନ୍ସ କପ ଫାଇନାଲ ଫାଇଟ୍ । ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପରେ ଭାରତ ଦକ୍ଷିଣ ଆଫ୍ରିକାଠୁ ହାରିଛି । କିନ୍ତୁ ହକିରେ ଭାରତ ବାଜି ମାରି ନେଇଛି । ଅପରାଜୟ ଭାରକ ବିଜୟ ମୁକୁଟ ପିନ୍ଧିଛି । ନ୍ୟୁଜିଲାଣ୍ଡର ଅକଲାଣ୍ଡ ଠାରେ ଆୟୋଜିତ ଏଫ୍ଆଇଏଚ୍ ମହିଳା ନେସନ୍ସ କପ୍‌ରେ ଭାରତ ଚାମ୍ପିଅନ୍ ହୋଇଛି । ଭାରତର ଚ୍ୟାଲେଞ୍ଜକୁ ନ୍ୟୁଜିଲାଣ୍ଡ ସାମ୍ନା କରିପାରିଲା ନାହିଁ । ଭାରତ ଦ୍ୱିତୀୟଥର ନେସନ୍ସ କପ୍ ବିଜେତା ହୋଇଛି । ଏହି ବିଜୟ ସହିତ ଭାରତ ମହିଳା ପ୍ରୋ-ଲିଗ୍‌କୁ ଯୋଗ୍ୟତା ଅର୍ଜନ କରିଛି । 

ରବିବାର ଅନୁଷ୍ଠିତ ଫାଇନାଲ୍ ମୁକାବିଲାରେ ଦଳ ୨-୦ ଗୋଲ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା । ନବନୀତ କୌର ଓ ଓଡ଼ିଆ ଝିଅ ସୁନେଲିତା ଟପ୍ପୋ ଗୋଲ୍ ଦେଇ ଦଳକୁ ଜିତାଇଥିଲେ । ଭାରତ ଦ୍ୱିତୀୟ ଥର ଟ୍ରଫି ଜିତିବା ସହ ଆଗାମୀ ଏଫ୍ଆଇଏଚ୍ ମହିଳା ପ୍ରୋ ଲିଗ୍‌କୁ ଯୋଗ୍ୟତା ଅର୍ଜନ କରିଛି । ପୂର୍ବରୁ ଦଳ ପ୍ରଥମ ସଂସ୍କରଣ (୨୦୨୨)ରେ ଚାମ୍ପିଅନ୍ ହୋଇଥିଲା । ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍ ତୀବ୍ର ପ୍ରତିଦ୍ୱନ୍ଦିତାମୂଳକ ହୋଇଥିଲା । ପ୍ରଥମ କ୍ୱାର୍ଟରରେ ହିଁ ଭାରତ ଡବଲ୍ ଗୋଲ୍ କରି ମ୍ୟାଚ୍କୁ ନିଜ ନିୟନ୍ତ୍ରଣକୁ ନେଇଥିଲା । ଚତୁର୍ଥ ମିନିଟ୍‌ରେ ନବନୀତ (ପେନାଲ୍ଟି), ୧୫ମିନିଟ୍ରେ ସୁନେଲିତା (ପେନାଲ୍ଟି) ଗୋଲ୍ ଦେଇଥିଲେ । ପରବର୍ତ୍ତୀ ୩ଟି କ୍ୱାର୍ଟର ସଂଘର୍ଷପୂର୍ଣ୍ଣ ହୋଇଥିଲା । ଉଭୟ ଦଳ ଆଉ ଗୋଲ୍ କରିପାରିନଥିଲେ ।

ଓଡ଼ିଆ ଝିଅ ସୁନେଲିତା ଟପ୍ପୋ ଦେଲେ ଦ୍ୱିତୀୟ ଗୋଲ - ପ୍ରଥମ କ୍ୱାର୍ଟରରେ ଅଗ୍ରଣୀ ହାସଲ କରିବା ପରେ, ଭାରତ ଦ୍ୱିତୀୟ କ୍ୱାର୍ଟରରେ ସେମାନଙ୍କର ପ୍ରାଧାନ୍ୟ ଜାରି ରଖିଥିଲା। ୧୫ତମ ମିନିଟରେ ସୁନେଲିତା ଟପ୍ପୋ ଏକ ଚମତ୍କାର ଫିଲ୍ଡ ଗୋଲ୍ ଦେଇ ଭାରତର ଅଗ୍ରଣୀକୁ ୨-୦କୁ ବଢାଇଥିଲେ। ଏହି ଗୋଲ ନ୍ୟୁଜିଲାଣ୍ଡ ଉପରେ ଚାପକୁ ଆହୁରି ବୃଦ୍ଧି କରିଥିଲା । ଭାରତୀୟ ମଧ୍ୟଭାଗ ଏବଂ ପ୍ରତିରକ୍ଷା ଉତ୍କୃଷ୍ଟ ସମନ୍ୱୟ ପ୍ରଦର୍ଶନ କରି ପ୍ରତିପକ୍ଷ ଦଳକୁ କୌଣସି ଗୋଲ ସୁଯୋଗରୁ ବଞ୍ଚିତ କରିଥିଲେ।

ଏହା ବି ପଢନ୍ତୁ...W IND VS SA: କ୍ୟାପ୍ଙ୍କ କମାଲ, ଦ.ଆଫ୍ରିକାଠୁ ହାରିଲା ଟିମ୍ ଇଣ୍ଡିଆ, କ୍ୟାପ୍ଟେନ୍ ହରମନପ୍ରୀତ କଲେ ଏହି ରେକର୍ଡ   

ଟୁର୍ଣ୍ଣାମେଣ୍ଟରେ ଭାରତର ଦବଦବା- ଭାରତ କୌଣସି ମ୍ୟାଚ୍ ନ ହାରି FIH ନେସନ୍ସ କପ୍ ୨୦୨୬ରେ ଚାମ୍ପିଅନ୍ ହୋଇଛି। ଟିମ୍ ଇଣ୍ଡିଆ ପ୍ରଥମେ ଆମେରିକା, ଜାପାନ ଏବଂ ଉରୁଗୁଏ ବିପକ୍ଷରେ ସେମାନଙ୍କର ଗ୍ରୁପ୍ ମ୍ୟାଚ୍‌ଗୁଡ଼ିକୁ ଗୋଟିଏ ଗୋଟିଏ ଗୋଲରେ ଜିତି ନିଜ ଗ୍ରୁପ୍‌ ଶୀର୍ଷରେ ପହଞ୍ଚିଥିଲା । ତା'ପରେ ସେମାନେ ସେମିଫାଇନାଲ୍‌ରେ ଚିଲିକୁ ୬-୦ ଗୋଲରେ ପରାସ୍ତ କରି ଫାଇନାଲ୍‌କୁ ଯାଇଥିଲେ। ଏହା ନେସନ୍ସ କପ୍‌ରେ ଭାରତର ଦ୍ୱିତୀୟ ଟାଇଟଲ୍ ବିଜୟ, ପୂର୍ବରୁ ୨୦୨୨ରେ ଉଦଘାଟନୀ ସଂସ୍କରଣ ଜିତିଥିଲା ।

ପୁରସ୍କାର ଘୋଷଣା କଲା ହକି ଇଣ୍ଡିଆ: ଚାମ୍ପିଅନ୍ ଭାରତୀୟ ଦଳ ପାଇଁ ହକି ଇଣ୍ଡିଆ ପୁରସ୍କାର ରାଶି ଘୋଷଣା କରିଛି । ଦଳର ପ୍ରତ୍ୟେକ ଖେଳାଳିଙ୍କୁ ୩ଲକ୍ଷ ଟଙ୍କା ଲେଖାଏଁ ଏବଂ ସପୋର୍ଟ ଷ୍ଟାଫ୍ ପ୍ରତ୍ୟେକ ୧.୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ହକି ଇଣ୍ଡିଆ ଘୋଷଣା କରିଛି ।