ନୂଆଦିଲ୍ଲୀ,୦୮/୦୩; ଘରୋଇ ଅଷ୍ଟ୍ରେଲିଆ ଓ ଭାରତୀୟ ମହିଳା କ୍ରିକେଟ୍ ଦଳ ମଧ୍ୟରେ ଚାଲିଥିବା ଏକମାତ୍ର ଦିବା-ରାତ୍ର ଟେଷ୍ଟ ନିର୍ଣ୍ଣାୟକ ମୋଡ଼ ନେଇଛି । ଅଷ୍ଟ୍ରେଲିଆ ଆଧିପତ୍ୟ ଜାରି ରଖି ବିଜୟ ପାଇଁ ପଥ ପ୍ରସ୍ତୁତ କରିଥିବାବେଳେ ଭାରତ ପରାଜୟ ଦ୍ୱାରରେ ରହିଛି । ଆଜି ଦ୍ୱିତୀୟ ଦିବସରେ ଘରୋଇ ଦଳ ଆନାବେଲ ସୁଦରଲାଣ୍ଡଙ୍କ ଶତକ ବଳରେ ୩୨୩ ରନ୍ କରି ଅଲଆଉଟ୍ ହେବା ସହ ପ୍ରଥମ ଇନିଂସ୍ ଅଗ୍ରଣୀ ହାସଲ କରିଥିଲା । ୧୨୫ରନ୍ ପଛୁଆ ଥାଇ ଭାରତ ଦ୍ୱିତୀୟ ଇନିଂସ୍ ବ୍ୟାଟିଂ ଆରମ୍ଭ କରି ୬/୧୦୫ରନ୍ କରିଛି ଏବଂ ଆଉ ୨୦ରନ୍ ପଛୁଆ ରହିଛି ।

ଷ୍ଟମ୍ପ ଅପସାରଣ ସୁଦ୍ଧା ପ୍ରତୀକା ରାୱଲ ୪୩ (୬ଚୌକା) ଓ ସ୍ନେହ ରାଣା ୧୪ରନ୍ କରି ଅପରାଜିତ ଅଛନ୍ତି । ଦ୍ୱିତୀୟ ଦିବସରେ ଅଷ୍ଟ୍ରେଲିଆ ଅସମାପ୍ତ ପ୍ରଥମ ଇନିଂସ୍ ୩/୯୬ରୁ ବ୍ୟାଟିଂ ଆରମ୍ଭ କରିଥିଲା । ପୂର୍ବ ଦିନରୁ ଅପରାଜିତ ଥିବା ଏଲିସ୍ ପେରୀ ଓ ସୁଦରଲାଣ୍ଡ ଦଳୀୟ ସ୍କୋରକୁ ୧୮୬ରେ ପହଞ୍ଚାଇଥିଲେ । ପେରୀ ୭୬ (୧୦ଚୌକା, ୧ଛକା) ରନ୍ କରି ଆଉଟ୍ ହେବା ପରେ ବିପର୍ଯ୍ୟୟ ଆରମ୍ଭ ହୋଇଥିଲା । ବେଥ୍ ମୁନି ୧୯ ଓ ଆସଲି ଗାର୍ଡନର ୧ରନ୍ କରି ବିଦାୟ ନେଇଥିଲେ । ସୁଦରଲାଣ୍ଡ ୧୩୩ ବଲ୍ରେ ଶତକ ଅର୍ଜନ କରିଥିଲେ । ଦଳୀୟ ସ୍କୋର ୨୭୩ରେ ସେ ବ୍ୟକ୍ତିଗତ ୧୨୯ (୧୭ଚୌକା) ରନ୍ କରି ଆଉଟ୍ ହୋଇଥିଲେ । ନିମ୍ନକ୍ରମରେ ଆଲାନା କିଙ୍ଗ୍ ୨୧ ଓ ଲୁସି ହାମିଲଟନ ୨୩ରନ୍ ଯୋଗ କରିବା ଫଳରେ ଦଳୀୟ ସ୍କୋର ୩୨୩ରେ ପହଞ୍ଚିଥିଲା । ଭାରତ ପକ୍ଷରୁ ସାୟଲି ସତଘରେ ୪ଟି ୱିକେଟ୍ ଅକ୍ତିଆର କରିଥିଲେ ।

ଏହା ବି ପଢନ୍ତୁ...ସୁପର ସନ୍ଡେ'ରେ ମହାମକାବିଲା: ଟାଇଟଲ ପାଇଁ ଲଢ଼ିବେ ଭାରତ -ନ୍ୟୁଜିଲାଣ୍ଡ, ଫ୍ୟାନ୍ଙ୍କ ମଧ୍ୟରେ ପ୍ରବଳ କ୍ରେଜ୍  

ଭାରତ ଦ୍ୱିତୀୟ ପାଳି ବ୍ୟାଟିଂ ଆରମ୍ଭ କରି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ସ୍ମୃତି ମନ୍ଧନା (୨) ଓ ଶେଫାଳି ବର୍ମା (୫) ୨ଅଙ୍କ ଛୁଇଁ ପାରି ନଥିଲେ । ଜେମିମା ରୋଡ୍ରିଗ୍ସ ୧୪, ହର୍ମନପ୍ରୀତ କୌର ୧୧, ଦୀପ୍ତି ଶର୍ମା ୯ ଓ ରିଚା ଘୋଷ (୦) ପଛକୁ ପଛ ପାଭିଲିୟନ ଫେରିଥିଲେ । ପ୍ରଥମ ୱିକେଟର ପତନ ପରେ ବ୍ୟାଟିଂ କରିବାକୁ ଆସିଥିବା ପ୍ରତୀକା ଅଲରାଉଣ୍ଡର ସ୍ନେହ ରାଣାଙ୍କ ସହ ମିଶି ଷ୍ଟମ୍ପ ଘୋଷଣା ପର୍ଯ୍ୟନ୍ତ ଅପରାଜିତ ରହି ଦଳୀୟ ସ୍କୋରକୁ ୬/୧୦୫ରେ ପହଞ୍ଚାଇଥିଲେ । ଅଷ୍ଟ୍ରେଲିଆର ଲୁସି ହାମିଲଟନ ୩ଟି ଓ ସୁଦରଲାଣ୍ଡ ୨ଟି ୱିକେଟ୍ ନେଇଥିଲେ ।