ନୂଆଦିଲ୍ଲୀ,୧୧/୦୭; ଐତିହାସିକ ଲର୍ଡ୍ସ ଷ୍ଟାଡିୟମରେ ଘରୋଇ ଇଂଲଣ୍ଡ ଓ ଭାରତୀୟ ମହିଳା ଦଳ ମଧ୍ୟରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ଏକମାତ୍ର ଟେଷ୍ଟ । ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୮୫ରନ୍‌ରେ ଅଲଆଉଟ୍ ହୋଇଥିଲା । ଜବାବରେ ଇଂଲଣ୍ଡ ପ୍ରଥମ ଇନିଂସ୍ ବ୍ୟାଟିଂ ଆରମ୍ଭ କରି ଦିବସର ଷ୍ଟମ୍ପ ଘୋଷଣା ସୁଦ୍ଧା ୧ ୱିକେଟ୍ ହରାଇ ୨୧ରନ୍ କରିଛି । ଟାମି ବିଉମଣ୍ଟ ୨ରନ୍ କରି ଆଉଟ୍ ହୋଇଥିବାବେଳେ ମାୟା ବୌଚିର ୧୭ ଓ ହିଦର ନାଇଟ ୧ରନ୍ କରି ଅପରାଜିତ ଅଛନ୍ତି । ଭାରତର ୩ ବ୍ୟାଟ୍‌ର ଅର୍ଦ୍ଧଶତକ ହାସଲ କରିଛନ୍ତି । ସ୍ମୃତି ମନ୍ଧନା ଲର୍ଡ୍ସରେ ପ୍ରଥମ ମହିଳା କ୍ରିକେଟର ଭାବେ ହାଫ୍ ସେଞ୍ଚୁରୀ ମାରି ଇତିହାସ ରଚିଛନ୍ତି ।

ଇଂଲଣ୍ଡଠୁ ବ୍ୟାଟିଂ ଆମନ୍ତ୍ରଣ ପାଇ ଭାରତ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଓପନର ଶେଫାଳି ବର୍ମା ଖାତା ଖୋଲି ପାରିନଥିବାବେଳେ ୟସ୍ତିକା ଭାଟିଆ ୧୨ରନ୍ କରି ପାଭିଲିୟନ ଫେରିଥିଲେ । ୩୭ରନ୍ ମଧ୍ୟରେ ୨ଟି ୱିକେଟ୍ ହରାଇଥିଲା ଭାରତ । କ୍ୟାରିୟରରେ ୩୦୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳୁଥିବା ଓପନର ସ୍ମୃତି ମନ୍ଧନାଙ୍କ ସହ ମିଶି ଜେମିମା ରୋଡ୍ରିଗ୍ସ ସ୍ଥିତି ସୁଧାରିଥିଲେ । ତୃତୀୟ ୱିକେଟ୍‌ରେ ସଂଗୃହୀତ ହୋଇଥିଲା ୬୪ରନ୍ । ଦଳୀୟ ସ୍କୋର ୧୦୧ରେ ବ୍ୟକ୍ତିଗତ ୩୫ (୫ଚୌକା) ରନ୍ କରି ରୋଡ୍ରିଗ୍ସ ଆଉଟ୍ ହୋଇଥିଲେ । ଅଧିନାୟିକା ହର୍ମନପ୍ରୀତ କୌର କ୍ରିଜ୍‌ରେ ଯୋଗଦେବା ସ୍କୋର ଦ୍ରୁତ ବେଗରେ ଆଗେଇଥିଲା । ମନ୍ଧନା ୫୦ ବଲ୍‌ରେ ଏବଂ ହର୍ମନପ୍ରୀତ ୯୯ବଲ୍ରେ ଅର୍ଦ୍ଧଶତକ ପୂରଣ କରିଥିଲେ । ଦଳୀୟ ସ୍କୋର ୧୯୦ରେ ମନ୍ଧନାଙ୍କ ୱିକେଟର ପତନ ଘଟିଥିଲା । ସେ ୧୧ଚୌକା ଓ ୧ଛକା ବଳରେ ୮୩ରନ୍ କରିଥିଲେ । ହର୍ମନପ୍ରୀତ ମଧ୍ୟ ୫୮ (୭ଚୌକା) ରନ୍ କରି ଆଉଟ୍ ହୋଇଥିଲେ ।

ଏହାପରେ ଦଳ ସହଳ ଆଉ ୨ଟି ୱିକେଟ୍ ହରାଇଥିଲା । ରିଚା ଘୋଷ ୧୩ ଓ ସ୍ନେହ ରାଣା ୧୩ରନ୍ କରିଥିଲେ । ତୃତୀୟ ୱିକେଟର ପତନ ପରେ ବ୍ୟାଟିଂ କରିବାକୁ ଆସିଥିବା ଦୀପ୍ତି ଦର୍ଶନୀୟ ସଟ୍ମାନ ଖେଳିଥିବାବେଳେ ଅନ୍ୟ ପଟରେ ନିୟମିତ ୱିକେଟ୍ ପତନ ଘଟିଥିଲା । ଦୀପ୍ତି ୭ଚୌକା ବଳରେ ୫୭ରନ୍ ଯୋଗ କରିବା ଫଳରେ ଦଳୀୟ ସ୍କୋର ୨୮୫ରେ ପହଞ୍ଚିଥିଲା । ଇଂଲଣ୍ଡ ପକ୍ଷରୁ ଶୋଫି ଏକ୍ଲେଷ୍ଟୋନ ୩ଟି ଏବଂ ଲାଉରେନ ଫିଲର, ଇସି ୱଙ୍ଗ୍ ଓ ମାଡି ଭିଲିୟର୍ସ ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ ।

ଏହା ବି ପଢନ୍ତୁ...INDW vs ENGW: ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଶତକ ହାସଲ କରିବାର ରେକର୍ଡରୁ ବଞ୍ଚିତ ହେଲେ ସ୍ମୃତି ମନ୍ଧାନା  

୩୦୦ ଅନ୍ତର୍ଜାତୀୟ ମ୍ୟାଚ୍ ପୂରଣ କଲେ ମନ୍ଧନା- ଘରୋଇ ଇଂଲଣ୍ଡ ବିପକ୍ଷ ଚଳିତ ଏକମାତ୍ର ଟେଷ୍ଟରେ ଭାରତୀୟ ମହିଳା ଦଳର ଉପଅଧିନାୟିକା ସ୍ମୃତି ମନ୍ଧନାଙ୍କ ନାମରେ ଏକ ରେକର୍ଡ ଯୋଡ଼ି ହୋଇଛି । ସେ ସର୍ବକନିଷ୍ଠା ଖେଳାଳି ଭାବେ ୩୦୦ ଅନ୍ତର୍ଜାତୀୟ ମ୍ୟାଚ୍ ପୂରଣ କରିଛନ୍ତି । ବିଶ୍ୱର ୧୨ତମ ମହିଳା ଖେଳାଳି ଭାବେ ସେ ଏହି କ୍ଲବରେ ସାମିଲ ହୋଇଛନ୍ତି । ପ୍ରଥମ ଦିବସରେ ମନ୍ଧନା ୮୩ ରନ୍ କରି ଆଉଟ୍ ହୋଇଥିଲେ । ଏହି ଇନିଂସ୍‌ରେ ସେ ୧୧ଟି ଚୌକା ଓ ଗୋଟିଏ ଛକା ମାରିଥିଲେ । ମନ୍ଧନା ଏହି ଇନିଂସ୍ ବଳରେ ପୂର୍ବତନ ଅଧିନାୟିକା ମିଥାଲି ରାଜ ଓ ଶୁଭାଙ୍ଗୀ କୁଲକର୍ଣ୍ଣୀଙ୍କ ଟେଷ୍ଟ ରନ୍ ରେକର୍ଡ ଭଙ୍ଗ କରିଥିଲେ । ମନ୍ଧନା ୧୫ଟି ଇନିଂସ୍‌ରେ ମୋଟ ୭୧୮ରନ୍ ସଂଗ୍ରହ କରି ସାରିଲେଣି । ସେଥିମଧ୍ୟରେ ୨ଟି ଶତକ ଓ ୪ଟି ଅର୍ଦ୍ଧଶତକ ସାମିଲ ରହିଛି । ଭାରତୀୟ ମହିଳା ବ୍ୟାଟର ଭାବେ ସନ୍ଧ୍ୟା ଅଗ୍ରୱାଲଙ୍କ ନାମରେ ସର୍ବାଧିକ ରନ୍ ରେକର୍ଡ ରହିଛି । ସେ ୨୩ଟି ଇନିଂସ୍ରେ ୧୧୧୦ ରନ୍ କରିଥିଲେ । ସେହିପରି ଏସ୍. ରଙ୍ଗାସ୍ୱାମୀ ଦ୍ୱିତୀୟ ସର୍ବାଧିକ ୭୫୦ରନ୍ କରିଛନ୍ତି । ଅର୍ଦ୍ଧଶତକ ହାସଲ କରି ଲର୍ଡ୍ସରେ ଇତିହାସ ରଚିଛନ୍ତି ସ୍ମୃତି । ଏହି ମୈଦାନରେ ମହିଳା କ୍ରିକେଟର ଭାବେ ଟେଷ୍ଟରେ ଅର୍ଦ୍ଧଶତକ ହାସଲ କରିବାରେ ପ୍ରଥମ ଖେଳାଳି ହୋଇଛନ୍ତି ।