.ବିଶ୍ୱ ବିଜୟୀ ଭାରତର ଧମାକା
.ମହିଳା ଭାରତ ବନାମ ଶ୍ରୀଲଙ୍କା ପ୍ରଥମ ଟି-ଟ୍ୱେଣ୍ଟି
.୮ ୱିକେଟରେ ଜିତିଲା ଭାରତ
.ଜେମିମାଙ୍କ ଧୂଆଁଧାର ପାଳି
ନୂଆଦିଲ୍ଲୀ,୨୨/୧୨; ପ୍ରଥମ ଥର ଦିନିକିଆ ବିଶ୍ୱକପ ଜିତିବାର ଠିକ୍ ୪୮ ଦିନ ପରେ ଚାମ୍ପିଅନ ତେୱର ଦେଖାଇଛି । ଶ୍ରୀଲଙ୍କା ବିପକ୍ଷରେ ଏକ ସହଜ ବିଜୟ ହାସଲ କରି ବିଜୟରୁ ଅଭିଯାନ ଆରମ୍ଭ କରିଛି । ଜେମିମା ରୋଡ୍ରିଗ୍ସଙ୍କ (ଅପରାଜିତ ୬୯) ଦ୍ରୁତ ଅର୍ଦ୍ଧଶତକ ବଳରେ ଘରୋଇ ଭାରତ ପ୍ରଥମ ମହିଳା ଟିଟ୍ୱେଣ୍ଟିରେ ଶ୍ରୀଲଙ୍କାକୁ ୮ ୱିକେଟରେ ପରାସ୍ତ କରିଛି । ଏଥିସହ ଦଳ ୫ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି । ଆଜି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୬/୧୨୧ ରନ୍ କରିଥିଲା । ଜବାବରେ ଭାରତ ୧୪.୪ ଓଭରରେ ୨ ୱିକେଟ୍ ବିନିମୟରେ ଆବଶ୍ୟକ ରନ୍ ସଂଗ୍ରହ କରି ନେଇଥିଲା । ଜେମିମା ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ । ସିରିଜରେ ୧-୦ରେ ଆଗୁଆ ରହିଛି ଟିମ୍ ହର୍ମନପ୍ରୀତ ।
ଭାରତ ଟସ୍ ଜିତି ଶ୍ରୀଲଙ୍କାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ଜଣାଇଥିଲା । ଓପନର ଭୀଷ୍ମି ଗୁଣରତ୍ନେ ଭାରତୀୟ ବୋଲରଙ୍କ ସାମ୍ନାରେ ସଂଘର୍ଷ କରିଥିବାବେଳେ ଚାମରି ଆଟାପଟ୍ଟୁ ୩ଟି ଚୌକା ବଳରେ ୧୫ରନ୍ କରି ଆଉଟ୍ ହୋଇଥିଲେ । ହାସିନି ପେରେରା ୨୦ ଓ ହର୍ଷିତା ସମରବିକ୍ରମା ୨୧ରନ୍ ଯୋଗ କରିଥିଲେ । ଦଳୀୟ ସ୍କୋର ୧୦୩ରେ ଗୁଣରତ୍ନେଙ୍କ ୱିକେଟ୍ର ପତନ ଘଟିଥିଲା । ସେ ୩୯ରନ୍ କରିଥିଲେ । ମଧ୍ୟକ୍ରମରେ ନୀଳକ୍ଷିକା ସିଲ୍ଭା ୮, କବିଶା ଦିଲହାରୀ ୬ ଓ କୌଶିନି ଅପରାଜିତ ୯ରନ୍ କରିବା ଫଳରେ ଦଳୀୟ ସ୍କୋର ୬/୧୨୧ରେ ପହଞ୍ଚି ଥିଲା । ଭାରତ ପକ୍ଷରୁ କ୍ରାନ୍ତି ଗୌଡ଼, ଦୀପ୍ତି ଶର୍ମା ଓ ଶ୍ରୀ ଚରଣୀ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
୧୨୨ରନ୍ର ବିଜୟ ଲକ୍ଷ୍ୟ ସେତେଟା କଷ୍ଟସାଧ୍ୟ ନଥିଲା । ଯଦିଓ ଭାରତ ୧୩ରନ୍ରେ ଓପନର ଶେଫାଳି ବର୍ମାଙ୍କ (୯) ୱିକେଟ୍ ହରାଇଥିଲେ । ମାତ୍ର ଅନ୍ୟ ଓପନର ସ୍ମୃତି ମନ୍ଧନା ଓ ଜେମିମା ଦାୟିତ୍ୱପୂର୍ଣ୍ଣ ବ୍ୟାଟିଂ କରି ସ୍ଥିତି ସୁଧାରି ନେଇଥିଲେ । ମନ୍ଧନା ୨୫ରନ୍ କରି ଆଉଟ୍ ହେବା ପୂର୍ବରୁ ବିଶ୍ୱର ଦ୍ୱିତୀୟ ମହିଳା ବ୍ୟାଟର ଭାବେ ୪,୦୦୦ ଟି-ଟ୍ୱେଣ୍ଟି ରନ୍ ପୂରଣ କରିଥିଲେ । ତାଙ୍କ ପୂର୍ବରୁ ସୁଜି ବେଟ୍ସ (୪,୭୧୬) ଏକମାତ୍ର ବ୍ୟାଟର ଭାବେ ଏହି ସଫଳତା ଲାଭ କରିଥିଲେ । ଅଧିନାୟିକା ହର୍ମନପ୍ରୀତ କୌର ଅପରାଜିତ ରୋଡ୍ରିଗ୍ସଙ୍କ ସହ ମିଶି ଦଳକୁ ୩୨ବଲ୍ ବାକି ଥାଇ ବିଜୟୀ କରାଇଥିଲେ । ଜେମିମା ୧୦ଚୌକା ବଳରେ ୬୯ ଓ ହର୍ମନପ୍ରୀତ ଅପରାଜିତ ୧୫ରନ୍ କରିଥିଲେ ।