ନୂଆଦିଲ୍ଲୀ ୨୯/୧୨: ବ୍ରିଟେନ୍‌ରେ ଜଣେ ଯୁବତୀଙ୍କୁ କାର୍ଯ୍ୟସ୍ଥଳରେ ସ୍ପୋର୍ଟସ୍‌ ଜୋତା ପିନ୍ଧିବା କାରଣରୁ ଚାକିରିରୁ ବରଖାସ୍ତ କରାଯାଇଥିଲା । ଏହା ବିରୋଧରେ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବାବେଳେ ତାଙ୍କୁ ଭାରତୀୟ ମୁଦ୍ରାରେ ପ୍ରାୟ ୩୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ରାୟ ଦେଇଛନ୍ତି । ଘଟଣାଟି ଏହିପରି । ଏଲିଜାବେଥ୍‌ ବେନାସୀ ନାମ୍ନୀ ୧୮ ବର୍ଷୀୟା ଜଣେ ଯୁବତୀ ୨୦୨୨ରେ ମ୍ୟାକ୍ସିମସ୍‌ ୟୁକେ ସର୍ଭିସେସ୍‌ରେ କାର୍ଯ୍ୟରେ ଯୋଗ ଦେଇଥିଲେ । ତେବେ ବେନାସୀଙ୍କୁ କଂପାନିର କୌଣସି ଡ୍ରେସ୍‌ କୋଡ୍‌ ରହିଛି ବୋଲି ଜଣାନଥିଲା । ତାଙ୍କର ସହକର୍ମୀମାନେ ସ୍ପୋର୍ଟସ୍‌ ଜୋତା ପିନ୍ଧୁଥିବାର ଦେଖି ସେ ମଧ୍ୟ ତାହା ପିନ୍ଧି ଅଫିସ୍‌କୁ ଆସୁଥିଲେ । କିନ୍ତୁ କଂପାନିର ମ୍ୟାନେଜର ତାଙ୍କୁ ସ୍ପୋର୍ଟସ୍‌ ଜୋତା ପିନ୍ଧିଥିବା ନେଇ କଡ଼ା ସମାଲୋଚନା କଲେ । 

ସେ କଂପାନିର ସବୁଠୁ କମ୍‌ ବୟସ୍କ କର୍ମଚାରୀ ହୋଇଥିବାବେଳେ ଏକ ଛୋଟ ପିଲା ଭଳି ତାଙ୍କୁ ବ୍ୟବହାର ପ୍ରଦର୍ଶନ କରାଯାଉଥିଲା । କିଛି ଦିନ ପରେ ତାଙ୍କୁ ଚାକିରିରୁ ବିଦା କରିଦିଆଗଲା । ଏହା ବିରୋଧରେ ବେନାସୀ ଦକ୍ଷିଣ ଲଣ୍ଡନସ୍ଥିତ ଏକ କୋର୍ଟଙ୍କ ଦ୍ୱାରସ୍ଥ ହେଲେ । କୋର୍ଟରେ କଂପାନି ପକ୍ଷରୁ ଦର୍ଶାଗଲା ଯେ, ବେନାସୀଙ୍କୁ ମାତ୍ର ୩ ମାସ ଲାଗି ଚାକିରିରେ ରଖାଯାଇଥିଲା । ସେହି ଅବଧି ପୂରଣ ହୋଇଯିବାରୁ ତାଙ୍କୁ କାର୍ଯ୍ୟରୁ ବିଦା କରାଗଲା । ସ୍ପୋର୍ଟସ୍‌ ଜୋତା ପିନ୍ଧିବା କାରଣରୁ ନୁହେଁ । ଉଭୟପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ବେନାସୀଙ୍କ ସପକ୍ଷରେ ରାୟ ଦେଇଛନ୍ତି । 

କଂପାନି ସେହି ଯୁବ କର୍ମଚାରୀଙ୍କ ମଧ୍ୟରେ ‘ଭୁଲ୍‌ ଖୋଜିବାର ଇଚ୍ଛା’ ଦେଖାଇଥିଲା ବୋଲି କହିଛନ୍ତି । କୋର୍ଟ ଆହୁରି କହିଥିଲେ ଯେ, ଯଦି କଂପାନି ତାଙ୍କୁ ୩ ମାସ ଲାଗି କାର୍ଯ୍ୟରେ ରଖିଥାନ୍ତା ତେବେ ଇ-ମେଲ୍‌ରେ ସେ ସଂପର୍କରେ ଉଲ୍ଲେଖ ଥାଆନ୍ତା । କିନ୍ତୁ ଇ-ମେଲ୍‌ରେ ସେଭଳି କିଛି ସର୍ତ୍ତ କଥା ଉଲ୍ଲେଖ ନଥିବାବେଳେ ଅନୁଚିତ ଉପାୟରେ କାର୍ଯ୍ୟାଳୟରେ ତାଙ୍କୁ ସମାଲୋଚନା କରାଯାଇଥିଲା । ବୟସ କମ୍‌ ହୋଇଥିବାରୁ ତାଙ୍କୁ ବହୁତ ଅଧିକ ନିୟନ୍ତ୍ରଣରେ ରଖିବାକୁ ଉଦ୍ୟମ ହେଉଥିଲା । ଏହି ସମୟରେ କୋର୍ଟ ମଧ୍ୟ ତାଙ୍କୁ ୨୯,୧୮୭ ପାଉଣ୍ଡ(ଭାରତୀୟ ମୁଦ୍ରାରେ ପ୍ରାୟ ୩୨ ଲକ୍ଷ ଟଙ୍କା) ପ୍ରଦାନ ଲାଗି କଂପାନିକୁ ନିର୍ଦ୍ଦେଶ ଦେଇଥିଲେ ।